ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାର ଗୁମୁଟ ମଧ୍ୟରେ ଆମେ ପ୍ରବେଶ କରିବା। ପ୍ରାୟ ତିରିଶ ଫୁଟ ଉଚ୍ଚା ଏହି ଗୁମୁଟ ମଧ୍ୟରେ ବାମ ଭାଗରେ ଫତେ ହନୁମାନ, ରାଧାକୃଷ୍ଣ, ନୃସିଂହ ଓ ଗଣେଶ ପ୍ରତିମାଙ୍କୁ ପାଇବା। ଏକ ଠଣା ସଦୃଶ୍ୟ କ୍ଷୁଦ୍ର ମନ୍ଦିରରେ ପୂର୍ବ ଦିଗର ରକ୍ଷକ ହିସାବରେ ପୂଜା ପାଉଛନ୍ତି ଫତେ ହନୁମାନ। ଏହା ରାମାନନ୍ଦାଚାର୍ଯ୍ୟଙ୍କ ସମୟରେ ସ୍ଥାପିତ ହୋଇଛି। ଠିକ ତାଙ୍କରି ଉପରେ ଦୁର୍ଗାଙ୍କ ଚିତ୍ର ଅଛି। ଉଭୟ ରାଧାକୃଷ୍ଣ ଓ ଫତେ ହନୁମାନଙ୍କ ସେବାପୂଜା ପ୍ରତିହାରୀ ନିଯୋଗଙ୍କୁ ନ୍ୟସ୍ତ ହୋଇଛି। ଶ୍ରୀମନ୍ଦିର କୋଠ ଭୋଗରୁ ଦୈନିକ ବଲ୍ଳଭ ଓଳିଏ, କାକରା ଗୋଟିଏ, ମହନଭୋଗ ମେଞ୍ଚାଏ, ଓ ଦୁଇଟି କୋରା ଖଞ୍ଜା ଅଛି। ଝୁଲଣ ସମୟରେ ରାଧାକୃଷ୍ଣଙ୍କ ସ୍ୱତନ୍ତ୍ର ଉତ୍ସବ କରାଯାଏ। ପଣା ସଂକ୍ରାନ୍ତିରେ ଫତେ ହନୁମାନଙ୍କ ସ୍ୱତନ୍ତ୍ର ବେଶ ହୁଏ । ସେହିଭଳି ଡାହାଣ ପଟେ ମଧ୍ୟ ଏକ ହନୁମାନ ମୂର୍ତ୍ତି ଦୃଷ୍ଟି ଗୋଚର ହୁଅନ୍ତି। ଯାହାଙ୍କୁ କେହି କେହି ସୁଗ୍ରୀବ ବୋଲି କହିଥାନ୍ତି। ପରେ ବହୁ ପ୍ରଚଳିତ “ହାତେ ଦେଉଳ ରେ କୋଡିଏ ହାତ ଦିଅଁ “ଦେଖିବାକୁ ମିଳେ। ପ୍ରକୃତରେ ଏହା ହାତେ ଉଚ୍ଚା କ୍ଷୁଦ୍ର ମନ୍ଦିରରେ କୋଡିଏ ହାତ ବିଶିଷ୍ଟ ହିରଣ୍ୟକାଶ୍ୟପ ବିଦାରକ ନୃସିଂହ ବିଗ୍ରହ ଅଟନ୍ତି। ତତପରେ ପ୍ରସିଦ୍ଧ ସବୁ ଭକ୍ତଙ୍କ ପ୍ରାଣପ୍ରିୟ ଠାକୁର “ପତିତପାବନ “ବିରାଜ ମାନ କରିଛନ୍ତି ଏହାଙ୍କ ବିଷୟରେ ବିଷଦ ଆଲୋଚନା କରିବା ଆଗାମୀ ଅଧ୍ୟlୟ ରେ. ଏହି ଗୁମୁଟର ଉଭୟ ପାର୍ଶ୍ଵରେ ସାଢେ ତିନି ଫୁଟ ଉଚ୍ଚାର ପିଣ୍ଡା ରହିଛି, ଏହି ପିଣ୍ଡା ଉପରେ ଚଢି ବ୍ରlହ୍ମଣ ଦୈନିକ ପୂଜା କରିଥାନ୍ତି। ସାଧାରଣରେ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ଏହି ଗୁମୁଟ ଡେଇଁ ବାଇଶି ପାହାଚ ଅତିକ୍ରମ କରିଥାନ୍ତି। ଗଜପତି ରାଜନୀତି ସେବା ପାଇଁ ଏହି ପଟେ ଯାଆନ୍ତି। ପତିତପାବନଙ୍କ ବିଷୟରେ ଜାଣିବା ପୂର୍ବରୁ ନିଜକୁ ପତିତ ଭାବି ପ୍ରଣତି ଜଣାଇବା। ହେନାଥ “ପତିତାନାଂ ପତିତୋହଂ ତ୍ବମେବ ପାପ ହାରକଃ, ପାବନ ପୁରୁଷ ଦେହି ନିଶ୍ଚଳାଂ ଭକ୍ତି ମେ ବିଭୋ । “(ମୁକ୍ତି ଚିନ୍ତାମଣି ) ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.