ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବେଢା ବୁଲା କ୍ରମରେ ଆମେ ଶ୍ରୀ ସତ୍ୟନାରାୟଣ ପୀଠ ପରିଦର୍ଶନ ପରେ ଆଗକୁ କଳ୍ପବଟ ଦିଗରେ ଯିବା କଥା(ଯାହା ସାଧାରଣତଃ ପ୍ରତ୍ୟେକ ଭକ୍ତ କରିଥାନ୍ତି )। କିନ୍ତୁ ଆମେ ଆଗ ଦର୍ଶନ କରିବା ଆଉ ଜଣେ ମହେଶ୍ୱରଙ୍କୁ, ଯେକି “ଅଗ୍ନିଶ୍ୱର “ନାମରେ ଖ୍ୟାତ । କୂର୍ମ ବେଢା ବା ଭିତର ବେଢାରେ ଭୋଗ ମଣ୍ଡପ ମନ୍ଦିରର ସମ୍ମୁଖରେ ପାକଶାଳା ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଆଗ୍ନେୟ କୋଣରେ ଯେଉଁ ମହାଦେବଙ୍କ ମନ୍ଦିର ଦୃଶ୍ୟମାନ ହୁଏ। ସେହି ମନ୍ଦିରରେ ବିରାଜମାନ କରିଛନ୍ତି ଶ୍ରୀ ଅଗ୍ନିଶ୍ୱର ମହାଦେବ। ଅତ୍ୟନ୍ତ କ୍ଷୁଦ୍ର ଉଚ୍ଚତା ବିଶିଷ୍ଟ ଓ ବେଢା ପତନଠାରୁ ନିମ୍ନରେ ରହିଥିବାରୁ, ସାଧାରଣରେ ଏହା ଏତେ ପରିଚିତ ନୁହେଁ। ଶ୍ରୀମନ୍ଦିର ସତ୍ୱଲିପିରେ ପ୍ଲଟ ନମ୍ବର ୧୧୬ ରେ ବିଜେ କରିଥିବା ଶ୍ରୀ ଅଗ୍ନିଶ୍ୱର ମହାଦେବ କିନ୍ତୁ ଶ୍ରୀମନ୍ଦିର ପାକଶାଳାର ଅଗ୍ନି ରକ୍ଷକ ଭାବେ ବେଶ ପରିଚିତ । ସମସ୍ତ ସେବକଙ୍କ ପାଖରେ ଏହାଙ୍କୁ ମଧ୍ୟ ଶ୍ରୀଜଗନ୍ନାଥଙ୍କ ପାକ ବିଶୋଧକ ଭାବେ ବିବେଚନା କରାଯାଏ।
ପ୍ରଚଳିତ ଜନସ୍ମୃତି କହେ ସ୍ୱୟଂ ଅଗ୍ନି ସ୍ୱରୂପ ଶ୍ରୀ ଅଗ୍ନିଶ୍ୱର ମହାଦେବଙ୍କ ସମ୍ମୁଖ ଦେଇ ବୁହା ଯାଉଥିବା ଅନ୍ନ, ବ୍ୟଞ୍ଜନ ଆଦି କିଛି ଅସିଦ୍ଧ (ସମ୍ପୂର୍ଣ ସିଝି ନଥିଲେ )ଥିଲେ ଅଗ୍ନିଶ୍ୱରଙ୍କ ଦୃଷ୍ଟି ପଡିବା ମାତ୍ରେ ସମ୍ପୂର୍ଣ ସିଦ୍ଧ ହୋଇଯାଏ। ଏହି ମନ୍ଦିର ପାଇଁ କୌଣସି ନିର୍ଦ୍ଦିଷ୍ଟ ସେବକ ନାହାନ୍ତି କି ଶ୍ରୀମନ୍ଦିର ତରଫରୁ କୌଣସି ଖଞ୍ଜା ନାହିଁ। କେବଳ ଶିବରାତ୍ରି ଦିନ କୋଠରୁ ଚଣା ଓ ଖଜା ଦିଆଯାଏ ଓ ପୂଜାପଣ୍ଡା ଏହାକୁ ଭୋଗ କରିଥାନ୍ତି। ଆସନ୍ତୁ ସେହି ଅଗ୍ନିଶ୍ୱରଙ୍କୁ ପ୍ରଣିପାତ କରି ଗାଇବା
“ଅଗ୍ନିଶ୍ୱରଂ ମହାରୁଦ୍ରଂ ବିଷ୍ଣୁପାକ ବିଶୋଧକମ୍, ମହା ଜ୍ୱାଳାମୟଂ ଶମ୍ଭୁ ନମାମି ଚନ୍ଦ୍ରଶେଖରମ୍ “ଜୟ ଅଗ୍ନିଶ୍ୱର ।
ଜୟ ଜଗନ୍ନାଥ, (ଦ. ତ୍ରି. ଉବାଚ )
Comments are closed.