ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ମୁଁ ରହେଁ ସ୍ବଭାଷା ସହିତ
କରେଁ ମୋ ମନୋଭାବ ବ୍ୟକ୍ତ
ଯାହା ବି କଥିତ, ଲିଖିତ
ପାଏଁ ତହିଁରୁ ହିତାହିତ
ନୁହେଁ ମୁଁ ଭାଷାର ଶିକ୍ଷକ
ଅଥବା ନୀତି ନିର୍ଣାୟକ
ପାଇଥିଲେ ହେଁ ଅଳ୍ପ ଜ୍ଞାନ
କରେଁ ମୁଁ ଭାବନା ଲିଖନ
କୌଣସି ପ୍ରଶ୍ନର ଉତ୍ତର
ଦେବାକୁ ନ ହୋଇ ତତ୍ପର
ଶୁଣେ ଲୋକଂକ ନିତ୍ୟ ବାଣୀ
ତହିଁରୁ ପାରେଁ ତତ୍ତ୍ବ ଜାଣି
ହେଲେ ଗୃହୀତ, ଅଗୃହୀତ
ସ୍ଥିର ରଖି ନିଜର ଚିତ୍ତ
କରେଁ ମୁଁ ଅଧିକ ସଂଧାନ
ଶାଂତ ହୁଏ ମୋହର ମନ
ମୁଁ ନୁହେଁ ଗ୍ରଂଥାଶ୍ରିତ ଜଣେ
ଭାଷା ଶୁଣି ଯାହା ବି ଜାଣେ
ତାହା ମୋ ପାଇଁ ସଜ ଜ୍ଞାନ
ତାହା ହିଁ କରେଁ ମୁଁ ଲିଖନ
ସ୍ବାନୁଭୂତିରୁ ଭାଷା ଶିଖି
ଯାହା ବି ଦେଉଥାଏଁ ଲେଖି
ସରଳ ଆଉ ସଫା ରୂପେ
ତାହା ହିଁ ଆପେ ଆପେ ବ୍ୟାପେ
ନ ହୋଇ ତର୍କପରାୟଣ
ବାସ୍ତବ ଭାଷା ପ୍ରତି ଧ୍ୟାନ
ଦେଇ ମୁଁ ପ୍ରାୟ ପ୍ରତି ଦିନ
କରୁଛିଁ ଜୀବନ ଯାପନ