ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ କଳ୍ପ ବଟ ନିକଟରେ ରହିଛନ୍ତି ବଟ ଅବକାଶ ବା ବଟ ପତିତପାବନ। ଏହା ହିଁ ଶ୍ରୀମନ୍ଦିରର ବିଶେଷତ୍ୱ, ଆମେ ପତିତପାବନ ମୂର୍ତ୍ତି ସିଂହଦ୍ୱାର ଗୁମୁଟରେ ଦର୍ଶନ କଲେ। ପୁଣି ଏଠାରେ ବଟ ପତିତପାବନ। ଏହା ପ୍ରମାଣିତ କରୁଛି ଶ୍ରୀଜଗନ୍ନାଥଙ୍କ ପତିତପାବନ ସ୍ୱରୂପ କୌଣସି ଆବଶ୍ୟକତାରୁ ସୃଷ୍ଟି ହୋଇନି । ପ୍ରଭୁ ପ୍ରଥମରୁ ନିଜକୁ ପତିତପାବନ ହିସାବରେ ଉପସ୍ଥାପିତ କରିଛନ୍ତି। କଳ୍ପବଟର ଦକ୍ଷିଣକୁ କୂର୍ମବେଢାକୁ ଲାଗି ଉତ୍ତରାଭିମୁଖୀ ହୋଇ ଏହି ମନ୍ଦିର ବିଦ୍ୟମାନ। ପୂର୍ବ ପଶ୍ଚିମ ହୋଇ ଏକ ଲମ୍ବା ପ୍ରସ୍ତର ନିର୍ମିତ୍ତ ଏକ ମନ୍ଦିରର ଠିକ ମଧ୍ୟଭଗରେ ଏକ ସିଂହlସନ ଉପରେ ଠିକ ଜଗନ୍ନାଙ୍କ ସ୍ୱରୂପ ଧାରଣ କରି ପ୍ରାୟ ୫ ଫୁଟ ଉଚ୍ଚର ମୂର୍ତ୍ତି ବିରାଜମାନ କରିଛନ୍ତି । ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ପ୍ଲଟ ନମ୍ବର ୯୪ ଗରେ ଏହି ମନ୍ଦିର ଅବସ୍ଥିତ। ସ୍ୱୟଂ ଶ୍ରୀଜଗନ୍ନାଥ ଙ୍କ ସ୍ୱରୂପ ହୋଇ ଥିବାରୁ ଏହାଙ୍କୁ ବଟ ଜଗନ୍ନାଥ ମଧ୍ୟ କୁହାଯାଏ। କିନ୍ତୁ ବଟ ଅବକାଶ ବା ବଟ ପତିତପାବନ ହିସାବରେ ବିଶେଷ ଭାବେ ପରିଚିତ ଏହି ବିଷ୍ଣୁ ରୁପଙ୍କ ବାମ ପାର୍ଶ୍ଵରେ ଲଷ୍ମୀ ମୂର୍ତ୍ତି ଅବସ୍ଥାନ କରୁଛନ୍ତି। ଏହାଙ୍କ ସମ୍ମୁଖ, ରେ ଗରୁଡ଼ ସ୍ତମ୍ଭ ନାହିଁ କିନ୍ତୁ ସିଂହାସନରେ କ୍ଷୁଦ୍ର ଗରୁଡ଼ ମୂର୍ତ୍ତି ଅବସ୍ଥାନ କରୁଛନ୍ତି। ସମ୍ପ୍ରତି ସିଂହାସନଟି ମାର୍ବଲରେ ସମ୍ପୂର୍ଣ୍ଣ ଆଚ୍ଛାଦିତ ହୋଇ ଯାଇଥିବାରୁ ଏହା ଦୃଶ୍ୟ ହେଉନି। ଏହା ମଧ୍ୟରେ ଏକ ପାଣି କୁଣ୍ଡ ରହିଛି। ରତ୍ନ ସିଂହାସନ ଆରୁଢ଼ ଶ୍ରୀଜୀଉମାନଙ୍କର ନିତ୍ୟ ବ୍ୟବହୃତ ବସ୍ତ୍ର ଏଠାରେ ସଫା କରାଯାଏ। ଏହା ବ୍ୟତୀତ ମନ୍ଦିର ବାରଣ୍ଡାରେ ପଶ୍ଚିମ କୋଣରେ ଆଉ ଏକ ପାଣି କୁଣ୍ଡ ଦୃଶ୍ୟମାନ ହୁଏ। ଏହା ସର୍ବଦା ଜଳ ପୂର୍ଣ୍ଣ ହୋଇ ରହିଥାଏ। ଶ୍ରୀମନ୍ଦିରର ପାଳିଆ ସେବକମାନେ ଏହିଠାରେ ପାଦ ପ୍ରଖ୍ୟାଳନ କରି ମୂଖ୍ୟ ମନ୍ଦିରରେ ପ୍ରବେଶ କରନ୍ତି। ଆଗାମୀ ଅଧ୍ୟାୟରେ ଏହି ମନ୍ଦିରର ଇତିହାସ ଓ କିମ୍ବଦନ୍ତୀ ବିଷୟରେ ଆଲୋଚନା କରିବା ।ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ ।
ସକଳ ଐଶ୍ୱର୍ଯ୍ୟ ର ଧାମ
ତୁରୀୟ ରୂପ ନାରାୟଣ ।
ଧାରଣା ଯୋଗେ ଚିତ୍ତ ଧରି
ବଶୀତା ସିଦ୍ଧି ବଶ କରି ।
ନିର୍ଗୁଣ ବ୍ରହ୍ମ ରୂପେ ମୋତେ
ମନ ନିବେଶି ଶୁଦ୍ଧ ଚିତ୍ତେ ।
ଜୟ ଜଗନ୍ନାଥ (ଦ.ତ୍ରି. ଉବାଚ )