ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଆମେ କଳ୍ପବଟ ସଂନିକଟ ମା ଇନ୍ଦ୍ରାଣୀଙ୍କୁ ଦର୍ଶନ କଲେ। ଏହି ମା ଇନ୍ଦ୍ରାଣୀଙ୍କ ଶିବ ସ୍ୱରୂପ ଶ୍ରୀକ୍ଷେତ୍ରପାଳଙ୍କୁ ଆଜିଦର୍ଶନ କରିବା। ଶ୍ରୀକ୍ଷେତ୍ରପାଳ (ମହାଦେବ )ଅନ୍ୟ ମହାଦେବଙ୍କ ଠାରୁ ସ୍ୱତନ୍ତ୍ର ଅଟନ୍ତି। କାରଣ ଜନଶ୍ରୁତି କହେ ଶ୍ରୀକ୍ଷେତ୍ରପାଳ (ମହାଦେବ ) ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ରକ୍ଷକ ଅଟନ୍ତି। କଳ୍ପବଟରୁ ସାମାନ୍ୟ ଆଗକୁ ଯାଇ ମୁକ୍ତିମଣ୍ଡପର ଠିକ ପଛ ଭାଗରେ ଦକ୍ଷିଣକୁ ମୁଖ କରି ଏହି ମନ୍ଦିର ଟି ନିର୍ମିତ୍ତ ହୋଇଛି. ଗବେଷକ ମାନଙ୍କ ମତରେ ଗଙ୍ଗ ବଂଶୀୟ ନରପତି ଅନଙ୍ଗଭୀମ ଦେବ ଏହି ମନ୍ଦିର ସ୍ଥାପନ କରିଥିଲେ। ନାମ କରଣରୁ ଅନୁମାନ କରିହୁଏ ଶ୍ରୀକ୍ଷେତ୍ର ପାଳନ ବା ରକ୍ଷା ଦାୟିତ୍ୱ ଏହି ମହାଦେବ ବା ଭୈରବଙ୍କ ଉପରେ ନ୍ୟସ୍ତ ଅଟେ। ଭାରତୀୟ ପରମ୍ପରା ଅନୁଯାୟୀ ପ୍ରତ୍ୟେକ କ୍ଷେତ୍ର ପ୍ରତିଷ୍ଠା ସହ ସେଠାରେ କ୍ଷେତ୍ରପାଳଙ୍କ ପ୍ରତିଷ୍ଠା କରାଯାଏ। ତେଣୁ ଶ୍ରୀକ୍ଷେତ୍ର ବା ପୁରୁଷୋତ୍ତମ କ୍ଷେତ୍ର ଭଳି ଏକ ପାବନ ଓ ମୂଖ୍ୟ କ୍ଷେତ୍ରରେ ଶ୍ରୀକ୍ଷେତ୍ରପାଳଙ୍କ ପ୍ରତିଷ୍ଠା ନିଶ୍ଚିତ ଭାବେ ତାତ୍ପର୍ଯ୍ୟପୂର୍ଣ୍ଣ। ଏଭଳି ବିଶ୍ୱାସ ଅଛି ଯଦି ଶ୍ରୀକ୍ଷେତ୍ର ପ୍ରବେଶ ପରେ କେହି ସାଧକ ପ୍ରଥମେ ଏହି ଉଗ୍ର ଭୈରବ ବା ମହାଦେବ ଶ୍ରୀକ୍ଷେତ୍ରପାଳଙ୍କୁ ଆରାଧନା କରେ ତେବେ ଶ୍ରୀକ୍ଷେତ୍ର ବା ଶ୍ରୀମନ୍ଦିର ଭ୍ରମଣ ସମୟରେ କୌଣସି ବାଧା ଉପୁଜେ ନାହିଁ। ଏହି ଶ୍ରୀକ୍ଷେତ୍ରପାଳଙ୍କୁ ଅଷ୍ଟାଦଶ ଅକ୍ଷର ମନ୍ତ୍ରରେ ଉପାସନା କରାଯାଏ “ଓଁ କ୍ଷେଂ କ୍ଷେତ୍ରପlଳାୟ ନମଃ ” ଏହି ଶ୍ରୀକ୍ଷେତ୍ରପାଳଙ୍କ ବିଷୟ “ନୀଳାଦ୍ରି ମହୋଦୟ “ରେ ମଧ୍ୟ ବର୍ଣ୍ଣିତ ହୋଇଛି। ସର୍ବକାମ ପ୍ରଦ ଭାବରେ ଶ୍ରୀକ୍ଷେତ୍ରପାଳଙ୍କ ପ୍ରସଙ୍ଗ ଏଥିରେ ବର୍ଣ୍ଣିତ ହୋଇଛି।
କିମ୍ବଦନ୍ତୀ ଅନୁସାରେ ସତୀଙ୍କ ଯଜ୍ଞ କୁଣ୍ଡରେ ଝାସ ପରେ ଶ୍ରୀ ମହାଦେବ ଅତ୍ୟନ୍ତ କୋପମତି ହୋଇ ଉଗ୍ର ଭୈରବ ରୂପ ଧାରଣ କଲେ। ସଙ୍ଗେ ସଙ୍ଗେ ଦକ୍ଷଙ୍କ ଶୀର ଛେଦନ କରିବା ସହ ସତୀଙ୍କ ମୃତ ପିଣ୍ଡକୁ ସ୍କନ୍ଦରେ ଧାରଣ କରି ଚଉଦ ବ୍ରହ୍ମlଣ୍ଡ ଭ୍ରମଣ କଲେ। ସାରା ସଂସାର ତାଙ୍କର କ୍ରୋଧରେ କମ୍ପିବାକୁ ଲାଗିଲା, ଏହି ସମୟରେ ସ୍ୱୟଂ ବିଷ୍ଣୁ ତାଙ୍କୁ ଆକୁଳ ପାର୍ଥନା କରନ୍ତେ, ସେ ନିଜର କୋପ ତ୍ୟାଗ କରି କେବଳ ଉଗ୍ର ଭୈରବ ଭାବରେ ଏହି ପାବନ କ୍ଷେତ୍ରରେ ନିବାସ କଲେ। ଶ୍ରୀବିଷ୍ଣୁ (ନାରାୟଣ )ତାଙ୍କୁ କଳିଯୁଗର ଏହି ଶ୍ରେଷ୍ଠ ଶ୍ରୀକ୍ଷେତ୍ରରେ ଶ୍ରୀକ୍ଷେତ୍ରପାଳ ଭାବରେ ଦାୟିତ୍ୱ ଦେଇ ଏହି କ୍ଷେତ୍ର ରକ୍ଷାର ଅନୁରୋଧ କଲେ। ତେଣୁ ଶ୍ରୀମନ୍ଦିରର ଦକ୍ଷିଣ ଭାଗରେ ଶ୍ରୀକ୍ଷେତ୍ର ପାଳ ମହାଦେବ ଅବସ୍ଥାନ କରି ଉଭୟ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ରକ୍ଷା କରୁଛନ୍ତି ସବୁଠାରୁ ଉଲ୍ଲେଖ ଯୋଗ୍ୟ ବିଷୟ ଏହି ଉଗ୍ର ଭୈରବ କ୍ରୋଧରେ ଭ୍ରମଣ କରୁଥିବା ସମୟରେ ସlଙ୍ଗରେ ନନ୍ଦୀ ଭୃକୁଟି ବୃଷଭ ବା କୀର୍ତିମୁଖ ସେବକ କେହି ନଥିବାରୁ ଶ୍ରୀ କ୍ଷେତ୍ରପାଳଙ୍କ ନିକଟରେ ପ୍ରଭୂ ନାରାୟଣ ନିଜ ସେବକ ଜୟ ବିଜୟ ଓ ମା ଜଗତ ଜନନୀ ମହାଲଷ୍ମୀଙ୍କୁ ରହିବାର ଆଜ୍ଞା ଦେଇଛନ୍ତି। ତେଣୁ ଏଠାରେ କୀର୍ତିମୁଖଙ୍କ ସ୍ଥାନରେ ମା ଲଷ୍ମୀ ଏବଂ ଶ୍ରୀକ୍ଷେତ୍ର ପାଳଙ୍କ ଦୁଇ ପାର୍ଶ୍ଵରେ ଜୟ ଓ ବିଜୟ ସ୍ଥାନ ପାଇଛନ୍ତି। ଶ୍ରୀମନ୍ଦିରର ରକ୍ଷକ ଶ୍ରୀକ୍ଷେତ୍ରପାଳଙ୍କ ରୀତିନୀତି ବିଷୟରେ ଜାଣିବା ଆଗାମୀ ଅଧ୍ୟlୟରେ ବର୍ତ୍ତମାନ । ଏହି ସର୍ବକାମ ପ୍ରଦ ଉଗ୍ରଭୈରବଙ୍କ ସ୍ତୁତି ଗାନ କରିବା ଓ ଆଶିଷ ଭିକ୍ଷା କରିବା ।
କାମାଖ୍ୟ କ୍ଷେତ୍ରପାଳ ଅସ୍ତି ସର୍ବକାମଫଳ ପ୍ରଦ”(ନୀଳାଦ୍ରି ମହୋଦୟ ୧ /୩୭ )ହେ ସର୍ବକାମ ବା କାମନାକୁ ପୂର୍ଣ୍ଣ କରୁଥିବା ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିରକୁ ସୁରକ୍ଷା ପ୍ରଦାନ କରୁଥିବାଦେବ ଦେବ ମହାଦେବ ତୁମକୁ ଅନନ୍ତ କୋଟି ନମସ୍କାର।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.