Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରର କ୍ଷେତ୍ରପାଳଙ୍କ ବିଷୟରେ ଆଲୋଚନା ଜାରି ରହିଛି। ଏହି ଶ୍ରୀକ୍ଷେତ୍ରପାଳ ମହାଦେବଙ୍କୁ ଅନେକ ଦର୍ଶନ କରିପାରନ୍ତି ନାହିଁ। ଏହାର ମୂଖ୍ୟ କାରଣ ଏହି ମନ୍ଦିରର ଅବସ୍ଥିତି. ଶ୍ରୀମନ୍ଦିର ପରିସରରେ ପ୍ରତିଷ୍ଠିତ ପ୍ରମୁଖ ମହାଦେବ ମନ୍ଦିରମାନଙ୍କ ମଧ୍ୟରେ ଶ୍ରୀକ୍ଷେତ୍ରପାଳ ଅନ୍ୟତମ. କାରଣ ସ୍କନ୍ଦ ପୁରାଣ, ପୁରୁଷୋତ୍ତମ ମହାତ୍ମ୍ୟର ବର୍ଣ୍ଣନା ଅନୁସାରେ ଶଙ୍ଖକ୍ଷେତ୍ରର ନାଭି ସ୍ଥଳରେ ଶ୍ରୀମନ୍ଦିର ବିଦ୍ୟମାନ ଓ ଏଠାରେ ଶ୍ରୀଜଗନ୍ନାଥ ଅଷ୍ଟ ରୁଦ୍ର ବେଷ୍ଟିତ ହୋଇ ଉପବେଶନ କରିଛନ୍ତି। ଯଥା :- କପାଳ ମୋଚନ, କ୍ଷେତ୍ରପାଳ, ଯମେଶ୍ୱର, ମାର୍କଣ୍ଡେଶ୍ୱର ଈଶାନେଶ୍ୱର, ବିଶ୍ୱେଶ୍ୱର, ନୀଳକଣ୍ଠ ବଟେଶ୍ୱର। ଏହି ଅଷ୍ଟରୁଦ୍ର ବା ଅଷ୍ଟଲିଙ୍ଗ ଙ୍କ ଦର୍ଶନ ସହ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଅତ୍ୟନ୍ତ ଦୁର୍ଲଭ ଅଟେ. ଶ୍ରୀମନ୍ଦିର ସତ୍ତ୍ୱଲିପି ଅନୁସାରେ ପ୍ଲଟ ନମ୍ବର ୮୪ ରେ ଠିକ ମୁକ୍ତିମଣ୍ଡପ ପଛ ପାଖରେ ଦକ୍ଷିଣାଭିମୁଖୀ ହୋଇ ଏହି ମନ୍ଦିର ଟି ଅଛି. ତେଣୁ ସାଧାରଣ ଭକ୍ତଙ୍କ ଦୃଷ୍ଟି ଏଠାରେ ସହଜରେ ପଡ଼େନାହିଁ। ପୂଜାପଣ୍ଡା ସେବକମାନେ ଏହାଙ୍କୁ ପୂଜା କରିଥାନ୍ତି। ଶ୍ରୀମନ୍ଦିର କୋଠ ଖଞ୍ଜା ଅନୁସାରେ ଦୈନିକ ନୀତି ପାଇଁ ବଲ୍ଳଭ, କୋରା ଦୁଇଟି, ସାନ କାକରା ଦିଓଟି. ମନ୍ଦିରରେ ଦୀପ ଜାଳିବା ପାଇଁ ତେଲ ଅଧା ମାଣିକେ । ବର୍ତ୍ତମାନ ବିଦ୍ୟୁତ ସଂଯୋଗ ପରେ ତେଲ ଲୋଡ଼ା ପଡୁନି। ଆସନ୍ତୁ ଆରାଧନା କରିବା ଶ୍ରୀକ୍ଷେତ୍ରପାଳ ମହାଦେବଙ୍କୁ। ଯେହେତୁ ସେ ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ର ରକ୍ଷକ ଓ ସାମାନ୍ୟ ଉଗ୍ର ସ୍ୱରୂପର ବା ଉଗ୍ର ଭୈରବ ସ୍ୱରୂପ ତେଣୁ ତାଙ୍କର ଆରାଧନା ମଧ୍ୟ ଭିନ୍ନ ରୁଚିର । ଯଥା :-

“କ୍ଷେତ୍ରପାଳ!ନମସ୍ତେ ଅସ୍ତୁ ଭୀଷଣଂ କ୍ରୁର ଲୋଚନମ୍, ତ୍ରିଶୂଳ ପାନପାତ୍ରଂ ଚ ଦଧାନମୁଗ୍ରଭୈରବମ୍, କ୍ଷେତ୍ରଦର୍ଶନଂ ମେ ଦେହି ପାପଘ୍ନ!ଚଣ୍ଡ ବିକ୍ରମ, ମହାପାପହରମୁଗ୍ରଂ ନମାମି କ୍ଷେତ୍ରରକ୍ଷକମ୍ ।” ଅର୍ଥାତ ହେ କ୍ଷେତ୍ରପାଳ, ତୁମେ ବଡ଼ ଭୟଙ୍କର, ତୁମନେତ୍ରର କ୍ରୁରତା, ତୁମ ହସ୍ତରେ ତ୍ରିଶୂଳ ଓ ପାନପତ୍ର, ତୁମକୁ କରୁଛି ଉଗ୍ର ଓ ଭୈରବ ସ୍ୱରୂପ. ତଥାପି ତୁମେ ପାପହାରକ, ତୁମ ସ୍ଵଭାଵ ବଡ଼ କଠିନ କାରଣ ତୁମେ କ୍ଷେତ୍ରରକ୍ଷକ। ତୁମକୁ ପ୍ରଣିପାତ କରୁଛୁ, ଶ୍ରୀକ୍ଷେତ୍ର ଦର୍ଶନରେ ତୁମେ ସହାୟ ହୁଅ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.