Latest Odisha News

ଥାନାରେ ଏତଲା ଦେବାର କିଛି ସମୟ ପରେ ଉଦ୍ଧାର ହେଲେ ବିଜେପି ନେତା

ପଦ୍ମପୁର: ବନ୍ଧୁକ ମୁନରେ ଅପହୃତ ହୋଇଥିବା ବିଜେପି ନେତା ଦିଲ୍ଲୀପ କୁମାର ସେନାପତି ଉଦ୍ଧାର ହୋଇଥିବା ସୂଚନା। ଦିଲ୍ଲୀପ ସେନାପତିଙ୍କୁ ପୋଲିସ୍ ଉଦ୍ଧାର କରିଥିବା ସୂଚନା ରହିଛି। ଏ ନେଇ ବିଜେପି ନେତା ତେଜେଶ୍ୱର ପରିଡ଼ା ସୂଚନା ଦେଇଛନ୍ତି। ଆଜି ସଂଧ୍ୟାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ, ଗୋଠୁଗୁଡା ପଞ୍ଚାୟତ ସନଦାଦର ଛକରୁ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ବିଜେପି ଥାନାରେ ଏତଲା ଦେଇଥିଲା।

ଦିଲ୍ଲୀପ ସେନାପତି ଉଦ୍ଧାର ହେବା ପରେ ତାଙ୍କୁ ହସ୍ପିଟାଲ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ତେବେ ଦିଲ୍ଲୀପଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ଦେଖିବାକୁ ମିଳିଛି। ତେଣୁ ଅପହରଣକାରୀ ତାଙ୍କୁ ମାଡ଼ ମାରିଥିବା ସୂଚନା ରହିଛି। ତେବେ କିଏ ଅପହରଣ କରିଥିଲେ ଏବଂ କାହିଁକି ଦିଲ୍ଲୀପଙ୍କୁ ଅପହରଣ କରିଥିଲେ ସେ ନେଇ କୌଣସି ସୂଚନା ମିଳିପାରିନାହିଁ।

ଆଜି ଦିଲ୍ଲୀପ ଅପହରଣର ଶିକାର ହୋଇଥିବା ନେଇ ବିଜେପି ନେତା ଥାନାରେ ଏତଲା ଦେଇଥିଲେ। ଅପହରଣ ପଛରେ ଲାଞ୍ଜିଗଡ ବିଜେଡି ବିଧାୟକଙ୍କ ଭୂମିକା ରହିଥିବା ଦାବି କରିଥିଲା ବିଜେପି। ଏ ନେଇ ତାଙ୍କ ନାଁରେ ବିଜେପି ନେତା ଝାରବନ୍ଧ ଥାନାରେ ଏତଲା ଦେଇଥିଲେ।

ଯେଉଁଥିରେ ସେ କହିଥିଲେ, ଅପରାହ୍ନରେ ଦିଲ୍ଲୀପ ସେନାପତି ବନ୍ଧୁକ ମୁନରେ ଅପହରଣ ହୋଇଛନ୍ତି। ଲାଞ୍ଜିଗଡ଼ର ବିଧାୟକ ପ୍ରଦୀପ ଦିଶାରୀ ଓ ତାଙ୍କର ସହଯୋଗୀ ବନ୍ଧୁକମୁନରେ ଏହି ଅପହରଣ କରିଛନ୍ତି। ଦୁଇଟି କାରରେ ଆସି ବିଧାୟକ ଏବଂ କିଛି ଦୁର୍ବୃତ୍ତମାନେ ଦିଲ୍ଲୀପଙ୍କୁ ବନ୍ଧୁକ ଦେଖାଇ ବଳପୂର୍ବକ ଉଠାଇ ନେଇ ଅପହରଣ କରି ନେଇଛନ୍ତି। ଦିଲ୍ଲୀପଙ୍କ ଘର ସୁନ୍ଦରଗଡ ବୋଲି ବିଜେପି କର୍ମୀ ଥାନାରେ ଦେଇଥିବା ଏଫଆଇଆରରେ ଉଲ୍ଲେଖ କରିଥିଲେ।

Leave A Reply

Your email address will not be published.