ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଅନେକ ଏପରି ମନ୍ଦିର ଅଛି। ଯାହାକୁ ସାଧାରଣ ଭକ୍ତ /ଶ୍ରଦ୍ଧାଳୁ ଜାଣିପାରନ୍ତି ନାହିଁ। ଆଜି ଠିକ ସେମିତି ଏକ ଅଜଣା ତଥା ପ୍ରଖ୍ୟାତ ମନ୍ଦିର ବୁଲିବା। ଏହାକୁ ପ୍ରଖ୍ୟାତ କହିବାର ଅର୍ଥ ହେଲା, ଏହି ମନ୍ଦିରଟି ସକଳ ଶକ୍ତିର ଆଧାର ଶ୍ରୀ ସୂର୍ଯ୍ୟନାରାୟଣଙ୍କ ମନ୍ଦିର, ଏବଂ ଏହି ସୂର୍ଯ୍ୟଦେବଙ୍କ ପ୍ରତିମାଟି କୋଣାର୍କରୁ ଆନୀତ। ଏହାର ସମ୍ପୂର୍ଣ ଇତିହାସ ଓ ବିବରଣୀ ନିଶ୍ଚିତ ଭାବେ ଆଲୋଚନା କରିବା, କିନ୍ତୁ ପ୍ରଥମେ ଜାଣିବା ଏହା ଭକ୍ତଙ୍କ ପାଖରେ ଅଜଣା କାହିଁକି? ଏହାର ମୂଖ୍ୟ କାରଣ ହେଲା, ଏହି ମନ୍ଦିର ଟି ପ୍ରଥମେ “ଇନ୍ଦ୍ର ମନ୍ଦିର “ହେବାର ଥିଲା। କିନ୍ତୁ ଇନ୍ଦ୍ରଙ୍କ ବିଗ୍ରହ ସ୍ଥାପିତ ନ ହୋଇ ଭୋଇ ବଂଶ ର ରାଜା ନରସିଂହ ଦେବ କୋଣାର୍କରୁ ଉଭୟ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ବିଗ୍ରହ ଅଣlଇ ଏଠାରେ ପ୍ରତିଷ୍ଠା କରିଥିଲେ ଓ ସାଧାରଣରେ ଏହାକୁ “କୋଣାର୍କ ସୂର୍ଯ୍ୟ ନାରାୟଣ ମନ୍ଦିର “ଭାବରେ ବିବେଚିତ କରାଗଲା ଓ ଦ୍ଵନ୍ଦ ମଧ୍ୟରେ ଏହା ଅଜଣା ହେବାରେ ଲାଗିଲା ବା ଅନ୍ୟ ଭାଷାରେ ଭକ୍ତମାନେ ଏଠାରେ ଦୈନିକ ସେବାପୂଜା କରିବା ଭୁଲିଲେ ।
ଶ୍ରୀମନ୍ଦିର ସତ୍ୱଲିପିରେ ଉଲ୍ଲେଖ ଅଛି ଭିତର ବେଢାର ୪୫ ନମ୍ବର ପ୍ଲଟରେ ଏହି ମନ୍ଦିର ଅବସ୍ଥିତ। କିନ୍ତୁ ଏହି ମନ୍ଦିରରେ ସୂର୍ଯ୍ୟ ଦେବ ପ୍ରତିଷ୍ଠା ପାଇବାର ଅନେକ ପୂର୍ବରୁ ମୁକ୍ତିମଣ୍ଡପ ସମ୍ମୁଖରେ ଅତ୍ୟନ୍ତ ପ୍ରାଚୀନ କାଳରୁ “ସୂର୍ଯ୍ୟମନ୍ତ୍ର “ମନ୍ଦିର ପ୍ରତିଷ୍ଠା ହୋଇ ଶ୍ରୀମନ୍ଦିର ରୀତିନୀତି ସହ ଏହା ଜଡିତ ଅଛି। ପୁନଶ୍ଚ କୋଣାର୍କ ମନ୍ଦିର ଭାଙ୍ଗିବା ପରେ ରାଜା ନରସିଂହଦେବ କାହିଁକି ଓ କେଉଁ ପରିସ୍ଥିତିରେ ସେଠାରୁ ସୂର୍ଯ୍ୟ ପ୍ରତିମା ଅଣlଇ ଇନ୍ଦ୍ର ଲାଗି ଉଦିଷ୍ଟ ମନ୍ଦିରରେ ପ୍ରତିଷ୍ଠା କରାଇଲେ ତାହା ଏବେ ବି ଅଜଣା ଓ ଗବେଷଣା ସାପେକ୍ଷ। ତଥାପି ଗବେଷକ ପଦ୍ମଚରଣ ସାହୁଙ୍କ ତଥ୍ୟ ପ୍ରକାରେ ୧୬୨୮ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ମାସ ୧୭ ତାରିଖରେ ଏହା କୋଣାର୍କରୁ ଆସି ପୁରୀ ଶ୍ରୀମନ୍ଦିର ରେ ଇନ୍ଦ୍ର ଦେବଙ୍କ ସ୍ଥାନରେ ପ୍ରତିଷ୍ଠା କରାଗଲା। ମାଦଳା ପାଞ୍ଜି ମଧ୍ୟ ଏହି ତଥ୍ୟକୁ ସ୍ୱୀକାର କରେ, କିନ୍ତୁ ସମୟ ସଠିକ ନଦେଇ କେବଳ ୧୬୨୨ ରୁ ୧୬୪୪ ଖ୍ରୀଷ୍ଟାବ୍ଦ ମଧ୍ୟରେ ଅର୍ଥାତ ଭୋଇ ବଂଶର ରାଜା ନରସିଂହ ଦେବଙ୍କ ଶାସନ ସମୟରେ ସୂର୍ଯ୍ୟଦେବଙ୍କ ବିଗ୍ରହ କୋଣାର୍କରୁ ଆଣି ଏଠାରେ ପ୍ରତିଷ୍ଠା ହୋଇଛି ବୋଲି ଉଲ୍ଲେଖ ଅଛି। ଗବେଷକ ପଣ୍ଡିତ ହରିହର ମହାପାତ୍ରଙ୍କ ମତ ଓ ଏହି ମନ୍ଦିର ତଥା ବିଗ୍ରହ ପ୍ରତିଷ୍ଠାର ସମ୍ପୂର୍ଣ ବିବରଣୀ ଜାଣିବା ଆଗାମୀ ଅଧ୍ୟlୟରେ ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ଅବସର ।
ମୁଁ ଆତ୍ମା ପ୍ରିୟ ସଖା ହୋଇ
ସକଳ କର୍ମ ଫଳ ଦେଇ ।
ମୁଁ ଗତି ପତି ହିତକର୍ତ୍ତା
ମୁହିଁ ସେ ସର୍ବଲୋକ ପିତା ।
ମୋତେ ଭଜନ୍ତି ପ୍ରାଣୀ ଯେତେ
ସୁଖେ ସେ ତରନ୍ତି ନିଶ୍ଚିନ୍ତେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.