Latest Odisha News

BREAKING NEWS

‘ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ୱରେ ସର୍ବବୃହତ’, ଆଖିରେ ଆଙ୍ଗୁଠି ଗେଞ୍ଜି ମିଛ କହିଲେ କ୍ରୀଡାମନ୍ତ୍ରୀ?

ଭୁବନେଶ୍ୱର: ବିଶ୍ୱରେ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ସର୍ବ ବୃହତ । ରାଜ୍ୟ ସରକାର ଓ ଶାସକ ଦଳର ନେତା ଏହି ଦାବି କରିବା ପରେ ଅଲିମ୍ପିକ୍ସର ତଥ୍ୟ ଆଧାରରେ ରାଜ୍ୟ ସରକାରଙ୍କ ଦାବି ଭୁଲ୍ ବୋଲି ଜଣାପଡିଛି। ଏହାପରେ ବିବାଦ ବଢୁଥିବା ଦେଖି ରାଜ୍ୟ ସରକାରଙ୍କ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା କହିିଥିଲେ ଏଫଆଇଏଚ କହିଛି ‘ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ୱରେ ସର୍ବବୃହତ’। ରାଜ୍ୟ ସରକାର ଏହା କହୁନାହାନ୍ତି। ଯଦିଓ ବିଜ୍ଞପନରେ ଏହା ଏଫଆଇଏଚ (ଆନ୍ତର୍ଜାତିକ ହକି ମହାସଂଘ) ଦ୍ୱାରା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ୱରେ ସର୍ବବୃହତ ବୋଲି କେଉଁଠି ଉଲ୍ଲେଖ ନାହିଁ। ତେବେ ବିବାଦ ମୁଣ୍ଡ ଉପରକୁ ଆସିବା ପରେ ଏଫଆଇଏଚ ନାଁରେ ଦୋଷ ଲଦିଛନ୍ତି ରାଜ୍ୟ ସରକାର।

କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଫଆଇଏଚ ବା International Hockey Federationର ଓ୍ୱେବସାଇଟ ଅନୁଧ୍ୟାନ କରିଛି ‘ଓଡ଼ିଶା ସମ୍ବାଦ’।  ବିଭିନ୍ନ ଶ୍ରେଣୀରେ କ୍ଲିକ କରି ଦେଖିବା ପରେ ନ୍ୟୁଜ କାଟାଗୋରୀ ବା ମେନୁ ଉପରେ ନଜର ପଡିଥିଲା। ଯେଉଁଥିରେ ପୁରୁଷ ହକି ବିଶ୍ୱକପ ପାଇଁ ବ୍ୟବହାର ହେବାକୁ ଥିବା ଦୁଇ ହକି ଷ୍ଟାଡିୟମ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ଏବଂ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବାବଦରେ ଉଲ୍ଲେଖ ରହିଛି। ତେବେ ଯେଉଁ ବିର୍ସାମୁଣ୍ଡାକୁ ସର୍ବବୃହତ ଏଫଆଇଏଚ କହିଛି ବୋଲି ମନ୍ତ୍ରୀ ତୁଷାରକାନ୍ତି କହିଥିଲେ ତାହା କିନ୍ତୁ କେଉଁଠି ବି ଦେଖିବାକୁ ମିଳିନି। ଯାହାକୁ ନେଇ ପ୍ରଶ୍ନ ଉଠିଛି। ଆଉ ବିବାଦ ପରେ ଲୋକଙ୍କୁ ଚୁପ କରିବାକୁ ଯାଇ ଆଙ୍ଗୁଠି ଗେଞ୍ଜି ମନ୍ତ୍ରୀ ମିଛ କହିଥିବା ସୂଚନା ରହିଛି। ତେବେ ଏହି ଷ୍ଟାଡିୟମର ଦର୍ଶକ ସଂଖ୍ୟା କଳିଙ୍ଗ ଷ୍ଟାଡିୟମଠୁ ଅଧିକ ଏବଂ ରାଜ୍ୟରେ ବଡ ହକି ଷ୍ଟାଡିୟମ ବୋଲି ଏଫଆଇଏଚ ଓ୍ୱେବସାଇଟରେ ଉଲ୍ଲେଖ ରହିଛି। ଯଦି ଏଫଆଇଏଚ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ସର୍ବବୃହତ ବୋଲି କହିଛି ତାହା ମଧ୍ୟ ପ୍ରମାଣ ଭାବେ ଉପସ୍ଥାପନ କରିବା ଜରୁରୀ।

ତେବେ olympics.comର ତଥ୍ୟ ଅନୁଯାୟୀ ବିଶ୍ୱର ସବୁଠୁ ବଡ ହକି ଷ୍ଡାଡିୟମ ପାକିସ୍ତାନର ଲାହୋରରେ ରହିଛି। ଏହାପରେ ଚଣ୍ଡିଗଡରେ ଥିବା ଚଣ୍ଡିଗଡ ହକି ଷ୍ଡାଡିୟମ ରହିଛି। ଲାହୋରରେ 45 ହଜାର ଦର୍ଶକ ଏକାଠି ବସି ମ୍ୟାଚ ଦେଖିପାରିବାର ସୁବିଧା ଥିବା ବେଳେ ଭାରତରେ ଥିବା  ଚଣ୍ଡିଗଡରେ ଏକା ସାଙ୍ଗରେ 30 ହଜାର ଦର୍ଶକ ଏକାଠି ବସି ଦେଖିପାରିବେ। ସେହିପରି ତୃତୀୟରେ ରହିଛି ୟୁଏସଏର ଲସ ଏଞ୍ଜୋଲସରେ ଥିବା ଓ୍ୱେନଗାର୍ଟ ଷ୍ଡାଡିୟମ। ଯେଉଁଠି 22, 355 ଦର୍ଶକ ବସିପାରିବାର କ୍ଷମତା ରହିିଛି। ଏହାପରେ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ରହିଛି। ଯେଉଁଠି 20 ହଜାର ଲୋକ ଏକାଠି ବସି ମ୍ୟାଚ ଦେଖିପାରିବାର ସୁବିଧା ରହିଛି।

Leave A Reply

Your email address will not be published.