Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା ଅବସରରେ ଆମେ ଚର୍ଚ୍ଚା କରୁଛେ କୋଣାର୍କ ସୂର୍ଯ୍ୟନାରାୟଣ ସ୍ଥାପିତ ଓ ପୂଜିତ ମନ୍ଦିର ବିଷୟରେ। ଗବେଷକ ପଣ୍ଡିତ ହରିହର ମହାପାତ୍ରଙ୍କ ମତରେ ପୂର୍ବରୁ ଥିବା ଇନ୍ଦ୍ର ମୂର୍ତ୍ତି କୌଣସି କାରଣରୁ ସାମାନ୍ୟ ଭଗ୍ନ ହୋଇ ଯିବାରୁ ଓ ଅନ୍ୟପଟେ କୋଣାର୍କ ସୂର୍ଯ୍ୟ ମନ୍ଦିରର ମୂଖ୍ୟ ମନ୍ଦିର ଭାଙ୍ଗି ପଡିବା ପରେ ସେଠାରୁ ସୂର୍ଯ୍ୟଙ୍କ ମଣି ବିଗ୍ରହଙ୍କୁ ଅଣାଯାଇ ଠିକ ସେହି ଇନ୍ଦ୍ର ବିଗ୍ରହଙ୍କ ସାମ୍ନାରେ ଏହାଙ୍କୁ ସ୍ଥାପନ କରାଗଲା। ଆଜି ମଧ୍ୟ ଭଗ୍ନ ଇନ୍ଦ୍ର ବିଗ୍ରହ ସେଠାରେ ଲୁକାୟିତ ଅବସ୍ଥାରେ ଦୃଶ୍ୟମାନ। ଅବଶ୍ୟ କିଛି ଗବେଷକ ଏହାଙ୍କୁ ବୁଦ୍ଧ ମୂର୍ତ୍ତି ବୋଲି କହିଥାନ୍ତି। ବର୍ତ୍ତମାନ ଆସନ୍ତୁ ଏହି ପୁରାତନ ମନ୍ଦିର କଥା ଜାଣିବା।

ଏହା ୬୩ ପୁଟ ଉଚ୍ଚତା ବିଶିଷ୍ଟ ବିମାନ ସହ ଜଗମୋହନ ଓ ନାଟମଣ୍ଡପ ଏହିପରି ତିନି ଭାଗରେ ବିଭକ୍ତ।  ଅତ୍ୟନ୍ତ କାରୁକାର୍ଯ୍ୟ ପୂର୍ଣ୍ଣ ଏହି ମନ୍ଦିରକୁ ଦେଖିଲେ ଏହାର ପ୍ରାଚୀନତା ଓ ଐତିହାସିକ ମୂଲ୍ୟ ଅନୁମାନ କରିହୁଏ। କାରଣ ଶ୍ରୀମନ୍ଦିର ଗର୍ଭଗୃହ ପରେ, ଭିତର ବେଢାରେ ଥିବା ଅନ୍ୟାନ୍ୟ ମନ୍ଦିର ତୁଳନାରେ ଏହା ବୃହତ୍ତମ ଓ ପ୍ରାଚୀନ ଅଟେ।

ଅମରକୋଷ ଗ୍ରନ୍ଥରେ ବିଷ୍ଣୁ ଇନ୍ଦ୍ରାବରଜ ଅର୍ଥାତ ଇନ୍ଦ୍ରଙ୍କ ସାନଭାଇ ରୂପେ ବିଦିତ ଥିବାର ପ୍ରମାଣ ମିଳେ। ତେଣୁ ଏହି ମନ୍ଦିରଟି ବିଷ୍ଣୁ ପୂଜନ ପାଇଁ ଇନ୍ଦ୍ରବରଜ ବିଗ୍ରହ ଦ୍ୱାରା ମଣ୍ଡିତ ହୋଇ ଥିବା ବିଶ୍ୱାସ କରାଯାଏ। ଏହାର ଅନ୍ୟ ପ୍ରମାଣ ହେଲା ଏବେ ମଧ୍ୟ ଇନ୍ଦୁପୁର୍ଣିମା ଅଥବା ଐନ୍ଦ୍ରି ପୁର୍ଣ୍ଣିମା ଅର୍ଥାତ ଭାଦ୍ରବ ପୁର୍ଣ୍ଣିମା ଇନ୍ଦ୍ରଧ୍ଵଜ ପୂଜା ଓ ଇନ୍ଦ୍ରଗୋବିନ୍ଦ ଆରାଧନା ପ୍ରଚଳିତ। ମନ୍ଦିରର ବିମାନ ମଧ୍ୟରେ ନିର୍ମିତ୍ତ ଏକ ସ୍ୱତନ୍ତ୍ର ସିଂହାସନରେ ସପ୍ତାଶ୍ଵ ସହ ସୂର୍ଯ୍ୟନାରାୟଣଙ୍କ ବିଗ୍ରହ ପୂଜିତ ହେଉଛନ୍ତି ଏବଂ ଠିକ ପଛରେ ଲୁକାୟିତ ଭାବରେ ଅଛନ୍ତି ଇନ୍ଦ୍ରଧ୍ଵଜ ବିଗ୍ରହ। ଜଗମୋହନରେ ଏକ ରଥାକୃତି କାଷ୍ଠ ସିଂହାସନରେ ଧାତୁ ନିର୍ମିତ୍ତ ସୂର୍ଯ୍ୟ ପ୍ରତିମା (ଚଳନ୍ତି ପ୍ରତିମା )ଓ ବାମ ପାର୍ଶ୍ଵରେ ଛାୟା ବିଗ୍ରହ ବିରାଜିତ। କିନ୍ତୁ ଅନେକ ଏହାଙ୍କୁ ସୂର୍ଯ୍ୟନାରାୟଣଙ୍କ ଉତ୍ତରାୟଣ ବା ଚନ୍ଦ୍ରବିଗ୍ରହ ବୋଲି କହିଥାନ୍ତି। ଜଗମୋହନରେ ଆଉ କେଉଁ କେଉଁ ବିଗ୍ରହ ଅଛନ୍ତି, ଜ୍ୱର ବିଗ୍ରହଙ୍କ ରହସ୍ୟ କଣ? ଜାଣିବା ପରବର୍ତ୍ତୀ ଅଧ୍ୟାୟରେ ଏବେ ଆରାଧନା ଓ ଭାଗବତ ପଠନ।

ଏ ମନ ସ୍ଵଭାବେ ଚଞ୍ଚଳ
କେବେ ହେଁ ନୁହଇ ନିଶ୍ଚଳ ।
ପବନ ଗତି ଅନୁରୋଧେ
ସମେ ସାଧନ ଦୃଢ଼ବନ୍ଧେ ।
ପବନ ଦ୍ୱାରେ ମନ ଥୋଇ
ଆସନ ଦୃଢ଼ବନ୍ଧେ ଦେଇ ।
ଅଭ୍ୟାସେ ବଶ ହୋନ୍ତି ତାର
ପ୍ରାଣ ଇନ୍ଦ୍ରିୟ ଅହଂକାର।

ଜୟ ଜଗନ୍ନାଥ (ଦ. ତ୍ରି. ଉଵାଚ )

Comments are closed.