ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଅରଣ୍ୟ ଔଷଧ ଭଂଡାର
ଖୋଜି ଆଗ ବାହାର କର
ରୋଗୀ ହୋଇବେ ଉପକୃତ
ବଇଦ ବି ପାଇବେ ବିତ୍ତ
ପ୍ରତ୍ୟେକ ଗାଆଁରେ ଜଂଗଲ
ରହିଲେ କେତେ ଯେ ମଂଗଳ
ପାଆଂତି ସବୁ ପ୍ରାଣୀକୁଳ
ଏ କଥା ମନେ ଥରେ ଭାଳ
ଯାହା କାଟି ଦେଇଛେଁ ବିକି
ତାହା ପ୍ରମାଣ କରିନି କି
ଆମର ଲୋଭାସକ୍ତ ମନ
କିପରି ହୋଇଛି ଅଜ୍ଞାନ ?
ବିଶ୍ବକୁ କରି ନାରଖାର
ଭାଷାକୁ କଲେ ଚମତ୍କାର
କିପରି ହୁଏ ସର୍ବହାନି
ଏହା କି ପାରୁନାହୁଁ ଜାଣି ?
ଭାଷାରେ ରଖିଲେ ଛଳନା
ତାହାର ମାନ ହୁଏ ଊଣା
ଏହା ହେଲେ ହେଁ ସୁବିଦିତ
ବଦଳୁନାହିଁ କାହା ଚିତ୍ତ
ପଡ଼ିଛି ଅପୂର୍ବ ବିପତ୍ତି
ଏବେ ଚେଷ୍ଟା ନ କଲେ ବ୍ୟକ୍ତି
ଆପେ ତା ଯିବନାହଁ ଟଳି
ଏ କଥା ଭାବୁନୁ କିଭଳି ?
ଆଦେଶ ନ ପାଇବା ଯାଏଁ
ଯିଏ ନିକମା ହୋଇ ଥାଏ
ତାହାକୁ କେତେ ବା କହିବା ?
ଅଗତ୍ୟା ସହିବା, ରହିବା
ମଣିଷ ଏତେ ନିଃସହାୟ
ହେଲେ ହିଁ ଜାତ ହୁଏ ଭୟ
ଏପରି ଭୟଗ୍ରସ୍ତ ବିଶ୍ବ
ଶୀଘ୍ର ତ ହୋଇଯିବ ନିଃସ୍ବ
ଏହା ହିଁ ଉଚିତ ସମୟ
ମନରୁ ତଡ଼ି ଦ୍ବିଧା, ଭୟ
ହୋଇଲେ ଅଧିକ ସକ୍ରିୟ
ଘଟିବ ନବ ଭାବୋଦୟ