Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

BjdElectrycity

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଆମେ ଦର୍ଶନ କଲେ ଶ୍ରୀ ଦଧିବାମନ ଜୀଉଙ୍କୁ ।କିମ୍ବଦନ୍ତୀ ତଥା ଏହି ମନ୍ଦିରର ମାରଫତଦାରଙ୍କଠାରୁ ସଂଗୃହିତ ଇତିହାସ କହେ, ଥରେ ଉଦୟପୁର (ରାଜସ୍ଥାନ )ର ଶାସକ ରାଣା ଉଦୟ ସିଂହ ପରିବାର ସହ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ। ସେ ସମୟରେ ତାଙ୍କର ପୈତୃକ ପଣ୍ଡା ଥିଲେ ଦୋଳ ମଣ୍ଡପ ସାହିର ଶ୍ୟାମ ସୁନ୍ଦର ଗୋପୀନାଥ ପ୍ରତିହାରୀ ଯେ ପରବର୍ତ୍ତୀ ସମୟରେ ମେୱାଡ଼ ର ରାଜଗୁରୁ ବି ହୋଇଥିଲେ। ତାଙ୍କରି ଦ୍ୱାରା ପ୍ରଭାବିତ ହୋଇ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ ଗୋଟିଏ ମନ୍ଦିର ନିର୍ମାଣ କରାଇ ଥିଲେ ଓ ସେଥିରେ ସମ୍ପ୍ରତି ପୂଜା ପାଉଥିବା ଶ୍ରୀ ଦଧିବାମନ ଜୀଉ ଙ୍କୁ (ଯେ ରାଜସ୍ଥାନ ରେ ମୀରାକି ନାଗର ଶ୍ରୀକୃଷ୍ଣ )
ଭାବରେ ପୂଜିତ ହେଉଥିଲେ ତାହାଙ୍କୁ ଆଣି ପ୍ରତିଷ୍ଠା କରିଥିଲେ। ସେହି ପ୍ରତିଷ୍ଠା ସମୟରୁ ଶ୍ରୀଜଗନ୍ନାଥଙ୍କ ବିଶିଷ୍ଟ ସେବାୟତ ଶ୍ୟାମ ସୁନ୍ଦର ପ୍ରତିହାରୀଙ୍କ ବଂଶଧର ମାନେ ପ୍ରଭୂ ଶ୍ରୀ ଦଧିବାମନ ଜୀଉଙ୍କ ସେବା ପୂଜା କରି ଆସୁଥିବାରୁ ରାଜସ୍ଥାନରୁ ଆସୁଥିବା ପ୍ରତ୍ୟେକ ଭକ୍ତ ନିଶ୍ଚିତ ରୂପେ ତାଙ୍କ ପ୍ରଭୂ” ମୀରାକି ନାଗର ଶ୍ରୀକୃଷ୍ଣ “ଙ୍କୁ ଦର୍ଶନ କରନ୍ତି ଏବଂ ମେୱାଡ଼ର ରାଜଗୁରୁଙ୍କ ବଂଶଧର ବର୍ତ୍ତମାନର ଶ୍ରୀ ଦଧିବାମନ ଜୀଉଙ୍କ ପୂଜକଙ୍କୁ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତି ପଦର୍ଶନ କରିଥାନ୍ତି। ଏହି ମନ୍ଦିର ବିଶେଷ ପୁରାତନ ନୁହେଁ। ” ମୁକ୍ତି ଚିନ୍ତାମଣି “ଗ୍ରନ୍ଥ ରଚନା ପରେ ଏହା ନିର୍ମିତ୍ତ ହୋଇଥିବାରୁ, ଶ୍ରୀ ଦଧିବାମନ ଜୀଉଙ୍କ ବିଷୟରେ ଏହି ଗ୍ରନ୍ଥ ସମ୍ପୂର୍ଣ୍ଣ ନୀରବ ଅଛି। ଦୈନନ୍ଦିନ ସନ୍ଧ୍ୟା ସମୟରେ ଏହି ମନ୍ଦିର ବାରଣ୍ଡାରେ ଧ୍ବଜାବନ୍ଧା ପାଳିଆ ଚୂନରା ସେବକ ଏକାଠି ହୋଇ ମାନସିକ ଧ୍ବଜା ଗୁଡିକ ଏକାଠି କରି ମୂଖ୍ୟ ମନ୍ଦିର ଉପରକୁ ଚଢିଥାନ୍ତି ଓ ନୀଳଚକ୍ରରେ ଏହି ପତାକା ବାନ୍ଧିଥାନ୍ତି।

ବର୍ତ୍ତମାନ ଶ୍ରୀ ଦଧିବାମନ ଜୀଉ ଙ୍କ ଦୈନନ୍ଦିନ ନୀତି ମଧ୍ୟରେ ସ୍ନାନ, ମଇଲମ, ବେଶ, ବଲ୍ଳଭ, ସମସ୍ତ ଭୋଗ, ସନ୍ଧ୍ୟା ଆଳତି ଓ ପହୁଡ ଇତ୍ୟାଦି ନୀତି ପାଳିତ ହୁଏ । ଶ୍ରୀମନ୍ଦିର କୋଠ ଭୋଗରୁ ପ୍ରତିଦିନ
ଗୋଟିଏ କାକରା ଭୋଗ ବ୍ୟବସ୍ଥା ରହିଛି। ବିଭିନ୍ନ ସମୟରେ ରାଜସ୍ଥାନୀ ଭକ୍ତଙ୍କ ପ୍ରଦତ୍ତ ସ୍ୱତନ୍ତ୍ର ପ୍ରସାଦ ଏଠାରେ ଲାଗି ହୁଏ। ଏହା ଛଡା ଜନ୍ମାଷ୍ଟମୀ ତିଥିରେ ଶ୍ରୀ ଦଧିବାମନ ଜୀଉଙ୍କୁ ନିଜସ୍ୱ ଖର୍ଚ୍ଚରେ ପୂଜକ ନୂତନ ବସ୍ତ୍ର ଓ ସ୍ୱତନ୍ତ୍ର ଭୋଗ ପ୍ରଦାନ କରି ମହା ଆଡମ୍ବରରେ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ ପାଳନ କରିଥାନ୍ତି। ତେବେ ଆସନ୍ତୁ ମୀରାଙ୍କ ନାଗର, ନାଟୁଆ ନଟବର ଶ୍ରୀ ଦଧିବାମନଙ୍କ ଛନ୍ଦା ପାଦରେ ଶରଣ ପଶି କରିବା ଆରାଧନା ଓ ଭାଗବତ ପଠନ ।

କୃଷ୍ଣ ର ପଥେ ଯାନ୍ତି ଦେବେ
ପୂରିତ ଅନେକ ଉତ୍ସବେ ।
ଯେବଣ ପଥେ କୃଷ୍ଣ ଗଲେ
କେବେହେଁ ଦେବେ ନ ଜାଣିଲେ ।
ପରମଜ୍ୟୋତି ଶୂନ୍ୟେ ମିଶେ
ମେଘେ ବିଜୁଳି ପ୍ରାୟ ଦିଶେ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.