Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ମଧ୍ୟରେ କ୍ଷେତ୍ରେଶ୍ୱରୀ ଭାବରେ ପରିଚିତ ମା ବିମଳାଙ୍କ ବିଗ୍ରହ ଦର୍ଶନ ପରେ ଆସନ୍ତୁ ଜାଣିବା ଦେବୀଙ୍କ ଦୈନିକ ରୀତିନୀତି ବିଷୟରେ । ଶ୍ରୀମନ୍ଦିର ସତ୍ୱଲିପି ପ୍ରକାରେ କ୍ଷେତ୍ରର ଅଧିଶ୍ୱର ଶ୍ରୀଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି ପ୍ରକାରେ ମା ବିମଳାଙ୍କ ରୀତିନୀତି ପାଳିତ ହୁଏ। ମଙ୍ଗଳ ଆରତୀ, ମଇଲମ, ସ୍ନାନ, ବେଶ ଇତ୍ୟାଦି ଉକ୍ତ ମନ୍ଦିରର ପୂଜକମାନଙ୍କ ଦ୍ୱାରା ସମ୍ପାଦିତ ହୋଇଥାଏ। ଏପରିକି ଶ୍ରୀ ଜୀଉମାନଙ୍କୁ ସମର୍ପିତ ରାଜ ଭୋଗ ବା କୋଠ ଭୋଗ ଅଣାଯାଇ ମାଙ୍କ ପାଖରେ ସମର୍ପିତ ହୁଏ। ଶ୍ରୀଜୀଉମାନଙ୍କୁ ସମର୍ପିତ ହେଉଥିବା ଅନ୍ନ ଥାଳି ପ୍ରସାଦ ଆସି ମା ବିମଳାଙ୍କୁ ସମର୍ପଣ ପରେ ତାହା ମହାପ୍ରସାଦରେ ପରିଣତ ହୁଏ ବୋଲି ଲୋକ ମୁଖରେ ପ୍ରଚଳିତ ଏକ ସୁନ୍ଦର ବ୍ୟାଖ୍ୟା ରହିଛି। କିନ୍ତୁ ଏହା ସମ୍ପୂର୍ଣ ଶାସ୍ତ୍ର ମତରେ ସମର୍ଥିତ ସିନ୍ଧାନ୍ତ ନୁହେଁ। ଅବଶ୍ୟ ଦେବୀ ବିମଳାଙ୍କ ପାଖରେ ପ୍ରତିଦିନ କୈବଲ୍ୟ (ମହାପ୍ରସାଦ ) ସମର୍ପଣ ବିଧିର ଏକ ସୁନ୍ଦର ପୌରାଣିକ ରହସ୍ୟ ରହିଛି।  ସଂକ୍ଷେପରେ କାହାଣୀଟି ହେଲା :-  ନାରଦ, ଶ୍ରୀବିଷ୍ଣୁଙ୍କଠାରୁ କୈବଲ୍ୟ ପ୍ରାପ୍ତ ହୋଇ, ଆନନ୍ଦ ମନରେ ପହଞଲେ କୈଳାସ ପାର୍ବତରେ। ସେଠାରେ ସଦାଶିବ ନାରଦଙ୍କ ନଖ କୋଣରେ ଥିବା କଣିକାଏ କୈବଲ୍ୟ ପାଇ ଅତ୍ୟନ୍ତ ପ୍ରିତ ହୋଇ ମା ପାର୍ବତୀଙ୍କୁ ଏହା କହିଲେ। ମା ପାର୍ବତୀ ଏହି କୈବଲ୍ୟ ଲାଭ କରିବା ପାଇଁ ଶ୍ରୀବିଷ୍ଣୁଙ୍କୁ ଆରାଧନା କଲେ, ଏଥିରେ ଶ୍ରୀବିଷ୍ଣୁ ସନ୍ତୁଷ୍ଟ ହୋଇ ମା ପାର୍ବତୀଙ୍କୁ କହିଥିଲେ ଯେ କଳି ଯୁଗରେ ସେ (ଶ୍ରୀ ବିଷ୍ଣୁ )ଶ୍ରୀଜଗନ୍ନାଥ ରୂପେ ଲୀଳା କରିବେ ଓ ମା ପାର୍ବତୀ ଦେବୀ ବିମଳା ରୂପେ ଅବସ୍ଥାନ କରି ପ୍ରତ୍ୟେକ ଦିନ କୈବଲ୍ୟ ସେବାର ସୁଯୋଗ ପାଇବେ। ତାହା ହିଁ ବର୍ତ୍ତମାନ ପାଳିତ ହୋଇ ଆସୁଛି ଓ ମାବିମଳା ଶ୍ରୀକ୍ଷେତ୍ରରେ “କୈବଲ୍ୟ ଲୋଲୁପିନୀ “ଭାବରେ ଖ୍ୟାତ ହୋଇଛନ୍ତି। ଆସନ୍ତୁ ଦେବୀଙ୍କର ବିଶେଷ ପର୍ବ ପର୍ବାଣୀ ବିଷୟରେ ଜାଣିବା ପୂର୍ବରୁ କରିବା ମାଙ୍କୁ ଆରାଧନା ଓ ଭାଗବତ ପଠନ।

ସେବକ ଭାବେ ଆତ୍ମା ମନ

ମୋ ପାଦେ କରେ ନିବେଦନ ।

ମୋ ଜନ୍ମ କର୍ମର କଥନ

ମୋ ଉତ୍ସବେ ହୃଷ୍ଟ ମନ ।

ନାନା ସୁବାଦ୍ୟ ନୃତ୍ୟ ଗୀତେ

କୀର୍ତ୍ତନ କରି ମୋ ଅଗ୍ରତେ ।

ଗୋଷ୍ଠୀ କରିବ ବହୁ ମିଳି

ମୋ ଘରେ ଦେଇ ଦୀପାବଳି ।

ଆନନ୍ଦେ କରି ମହୋତ୍ସବ

ଦିବସ ରଜନୀ ବଞ୍ଚିବ ।

ଜୟ ମା ବିମଳା, ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.