Latest Odisha News

BREAKING NEWS

ଭାଷା ଭାଗବତ : ଲିପିର ସରଳୀକରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀ ଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଲିପିର ସରଳୀକରଣ
ପାଇଁ ଦେଲେ ଟିକିଏ ଧ୍ୟାନ
ନୂଆ ଶିଖାଳି ଶିଶୁଗଣ
କରଂତେ ଆନଂଦେ ଲିଖନ

ଜଟିଳ ଯୁକ୍ତାକ୍ଷର ଯୋଗୁଁ
ଯେପରି ଅସୁବିଧା ଭୋଗୁଁ
ତହିଁର ସଂଖ୍ୟା କଲେ ହ୍ରାସ
ପିଲା ମୁହେଁ ଫୁଟିବ ହସ

ହାତରେ କରି ରେଖାଂକନ
ଲେଖିଶିଖିଲେ ବର୍ଣମାନ
ପାଠରେ ଲାଗିବ ତା ମନ
ତେଣୁ ଦେବ ଅଧିକ ଧ୍ୟାନ

ଏବେ ତ କିଛି ବି ନ ବୁଝି
ମାନିବା ପାଇଁ ହୁଏ ରାଜି
ଏହା ହିଁ ଶିକ୍ଷାର ଘାତକ
ବୁଝଂତୁ ଏବେ ଆମ ଲୋକ

ସମ୍ବଳ ସହିତ ସଂବଳ
ସମ୍ଭାଳ ସହିତ ସଂଭାଳ
ଯେ କେହି କରଂତୁ ତୁଳନା
ସହଜ ସ୍ପଷ୍ଟ ପଡ଼େ ଜଣା

ବନାନ ପରିବର୍ତନୀୟ
ସଞ୍ଚୟ ସହିତ ସଂଚୟ
ସଞ୍ଜୟ ସହିତ ସଂଜୟ
ଭାଷାରେ ସକ୍ରିୟ ଉଭୟ

ଯେଉଁଟି ସହଜ, ସରଳ
ଲିପିକୁ ଯୋଗାଇବ ବଳ
ତାହାକୁ କରିଲେ ସ୍ବୀକାର
ଲୋକେ ପାଇବେ ଉପକାର

ଜଟିଳତାର ସଂରକ୍ଷଣ
କରିବା ଯେଣୁ ଅକାରଣ
ତେଣୁ ନୁହଇ ଆବଶ୍ଯକ
ବୁଝଂତୁ ଭାଷାର ଶିକ୍ଷକ

ସରଳ ହେଲେ ବର୍ଣାବଳି
ସହଜେ ଯାଇଥାଂତି ଚଳି
ଏହା ତ ଭାଷାର ସ୍ବଭାବ
ଯାହା ଲେଖିବା ତାହା ହେବ

 

Leave A Reply

Your email address will not be published.