Latest Odisha News

BREAKING NEWS

ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବ ଓଡ଼ିଆ ଖାଦ୍ୟ, ଆଜି ଆୟୋଜିତ ହେବ ପ୍ୟାକେଜିଂ କର୍ମଶାଳା

ଭୁବନେଶ୍ୱର: ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ସାରା ବିଶ୍ୱର ବିଭିନ୍ନ କୋଣରେ ପହଞ୍ଚାଇବାକୁ ପ୍ୟାକେଜିଂ ଉପରେ କର୍ମଶାଳା ଆୟୋଜିତ ହେବ। ଆଜି ପୂର୍ବାହ୍ନ ୧୦.୩୦ ଠାରୁ ଭୁବନେଶ୍ୱର ସ୍ଥିତ ହୋଟେଲ ଦି ନିଉ ମାରିଅନରେ ଆୟୋଜନ କରାଯିବ। କେନ୍ଦ୍ର ଏମଏସଏମଇ ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କର ଏମଏସଏମଇ ବିଭାଗ ସହାୟତାରେ ଫୋରମ୍ ଫର ଏଣ୍ଟରପ୍ରାଇଜ ଡେଭଲପମେଣ୍ଟ (ଫେଡ଼), ଭୁବନେଶ୍ୱର ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ।

ଭାରତ ଗୋଟିଏ ଯୁବକରେ ଭରା ଦେଶ ଯେଉଁଥିରେ ପ୍ରାୟ ୭୦% ଲୋକଙ୍କର ବୟସ ୪୦ ବର୍ଷରୁ କମ୍ । ଭାରତର ମୋଟ ଜାତୀୟ ଆୟର ୩୪% ଯୁବକମାନଙ୍କର ଅବଦାନ ରହିଛି; କିନ୍ତୁ ଏହାକୁ ବୃଦ୍ଧି କରିବାର ଅତ୍ୟନ୍ତ ଆବଶ୍ୟକତା ଅଛି।

ବାସ୍ତବରେ, ଯୁବକମାନେ ଆଜି କେବଳ ଆର୍ଥିକ ସମୃଦ୍ଧିର ବିକାଶ ପାଇଁ ନୁହେଁ ବରଂ ସାମାଜିକ ପରିବର୍ତ୍ତନ ପାଇଁ ମଧ୍ୟ ଏକ ପ୍ରମୁଖ ଉତ୍ସ। ଆମେ ଜନସଂଖ୍ୟାଗତ ଲାଭାଂଶ (Demographic Dividend) କଥା କହୁ ଯାହାର ଅର୍ଥ ହେଲା ଜନସଂଖ୍ୟାର ବୟସ ସଂରଚନାରେ ପରିବର୍ତ୍ତନର ଫଳାଫଳ ସ୍ୱରୂପ ଅର୍ଥନୀତିର ଅଭିବୃଦ୍ଧି । ଯୁବ ସମାଜର ସଂଖ୍ୟା ବୃଦ୍ଧି ସଂଗେ ସଂଗେ ଅର୍ଥନୀତିର ଅଭିବୃଦ୍ଧି । ଗୋଟିଏ ପରିବାରରେ ଖାଲି ଯୁବସଂଖ୍ୟା ବଢିଲେ ପରିବାର ଉନ୍ନତି ହୁଏ ନାହିଁ । ସେମାନେ ସବୁ ରୋଜଗାରକ୍ଷମ ହେଲେ ପରିବାରର ଉନ୍ନତି ହୁଏ। ସେମାନେ ଖାଲି ବେକାର ହୋଇ ବସି ଖାଇଲେ ପରିବାର ପାଇଁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରନ୍ତି। ସେମିତି ଆମ ଦେଶ ଆମର ଗୋଟିଏ ବଡ ପରିବାର। ଦେଶର ଏତେ ବଡ ଯୁବ ଶକ୍ତି ଯଦି କର୍ମ କରିବାର ସୁଯୋଗ ପାଇଲେ ତେବେ ଆମ ଦେଶ ଉନ୍ନତ ହେବ । କିନ୍ତୁ ଯୁବପିଢ଼ି ଯଦି କର୍ମ କରିବାକୁ ସୁଯୋଗ ପାଇଲେ ନାହିଁ ତେବେ ଦେଶର ଆର୍ଥିକ ଅଭିବୃଦ୍ଧି ହେବା ବଦଳରେ ସେମାନେ ଦେଶ ଉପରେ ବୋଝ ହୋଇଯିବେ।

ଗୋଟିଏ ଉନ୍ନତ ଭବିଷ୍ୟତ ପାଇଁ ଯୁବକମାନଙ୍କୁ ସଶକ୍ତ କରି ସେମାନଙ୍କର ଉଭୟ ଆର୍ଥିକ ଉନ୍ନତି ସହିତ ଜୀବନଧାରଣର ମାନକୁ ବୃଦ୍ଧି କରିବାର ଆବଶ୍ୟକତା ଅଛି। ଏହି ଆହ୍ୱାନ କେବଳ ସରକାରଙ୍କ ପାଇଁ ସୀମିତ ନୁହେଁ, ଦେଶର ସମଗ୍ର ବେସରକାରୀ ସଂସ୍ଥା ମଧ୍ୟ ସେମାନଙ୍କୁ କର୍ମ ଯୋଗାଇ ଦେବାକୁ ତତ୍ପର ହେବା ଉଚିତ। ସଚେତନତା ଏବଂ ମାର୍ଗଦର୍ଶନ ମାଧ୍ୟମରେ ଯୁବପିଢିଙ୍କୁ ସଶକ୍ତିକରଣ କରି ଜୀବନର ଏକ ଉତ୍ତମ ଦୃଷ୍ଟିକୋଣର ବିକାଶ ଦିଗରେ ପ୍ରଚେଷ୍ଟା କରିବାର ଆବଶ୍ୟକତା ଅଛି । ଯୁବ ସଶକ୍ତିକରଣ କେବଳ ସମଗ୍ର ଦେଶର ବିକାଶ ପାଇଁ ନୁହେଁ ବରଂ ଜଣେ ବ୍ୟକ୍ତିର ବ୍ୟକ୍ତିଗତ ବିକାଶ ପାଇଁ ମଧ୍ୟ ଜରୁରୀ।

ଏହାକୁ ଧ୍ୟାନରେ ରଖି ଫୋରମ୍ ଫର ଏଣ୍ଟରପ୍ରାଇଜ ଡେଭଲପମେଣ୍ଟ (ଫେଡ଼), ଏକ ପଂଜିକୃତ ସଂସ୍ଥା ଯୁବକ ମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରିଆସୁଛି । ଦକ୍ଷିଣ ଭାରତର ଇଡଲି, ଦୋସା ପୃଥିବୀ ସାରା ବିକ୍ରି ହେଉଛି । ଆମ ଓଡ଼ିଶାରେ ଏତେ ପାରମ୍ପରିକ ପିଠା ଅଛି ଯଦି ସେଗୁଡ଼ିକ ତିଆରିର ମାନ ଏବଂ ଗୁଣ ବୃଦ୍ଧି ସଂଗେ ସଂଗେ ସୁନ୍ଦର ଆବରଣ ମାଧ୍ୟମରେ ବିକ୍ରି କର ଯାଆନ୍ତା ତେବେ ଏହା ବିଶ୍ୱର ବିଭିନ୍ନ ଜାଗାରେ ପହଞ୍ଚି ପାରନ୍ତା ।

ଓଡିଆର ପାରମ୍ପରିକ ପିଠାକୁ ଗୃହିଣୀମାନଙ୍କ ମାଧ୍ୟମରେ ତିଆରି କରାଇ ତାକୁ ଲୋକପ୍ରିୟ କରିବା ପାଇଁ କିଛି ଯୁବକମାନଙ୍କ ସହ ମିଶି ଫେଡ଼ ଏକ ଅଭିନବ ପ୍ରୟାସ କରିଛି, ଯେଉଁମାନେ ଅନ୍ୟଥା ବେକାର ବସି ଟିଭି ଦେଖି ସମୟ ନଷ୍ଟ କରୁଥିଲେ। ବର୍ତ୍ତମାନ ଗୃହିଣୀମାନେ ରାଜ୍ୟ ଅର୍ଥନୀତିରେ ସହଯୋଗ କରୁଛନ୍ତି। ସେଠାରେ ବହୁ ସଂଖ୍ୟକ ମହିଳା ଅଛନ୍ତି ଯେଉଁମାନେ ପାରମ୍ପରିକ ପିଠା ତିଆରିରେ ନିୟୋଜିତ ଅଛନ୍ତି । ଆସ୍ତେ ଆସ୍ତେ ଏହି ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି । କିନ୍ତୁ ସେମାନଙ୍କୁ ଉତ୍ପାଦନ ପାଇଁ ଉତ୍ସାହିତ କରିବା ଯଥେଷ୍ଟ ନୁହେଁ । ଗୁଣବତ୍ତା ଏବଂ ଏହାର ମାର୍କେଟେବିଲିଟିରେ ଉନ୍ନତି ଆଣିବା ପାଇଁ ସେମାନେ ବିଭିନ୍ନ ହ୍ୟାଣ୍ଡହୋଲ୍ଡିଂ ସହଯୋଗର ଆବଶ୍ୟକତା ଅଛି । ଓଡିଶା ରସଗୋଲା ଟ୍ୟାଗ୍ ହାସଲ କରିଛି କିନ୍ତୁ ଉପଯୁକ୍ତ ପ୍ୟାକେଜିଂ ଅଭାବ ହେତୁ ଉତ୍ପାଦକୁ ସ୍ଥାନୀୟ ଅଞ୍ଚଳ ବାହାରେ ମାର୍କେଟ କରିବାରେ ସକ୍ଷମ ହେଇ ହୋଇ ନାହାନ୍ତି । ସମସ୍ତେ ନିଜ ଉତ୍ପାଦକୁ ରାଜ୍ୟ ବାହାରେ ମାର୍କେଟ କରିବା ଏବଂ ଏପରିକି ରପ୍ତାନି ପାଇଁ ପ୍ୟାକେଜିଂ ଉପରେ ମାର୍ଗଦର୍ଶନର ଆବଶ୍ୟକତା ଅଛି ।

ଖାଦ୍ୟ ପଦାର୍ଥର ସଠିକ୍ ପ୍ୟାକେଜିଂ କଲେ ଏହା ଖାଦ୍ୟକୁ ଦୂଷିତ ହେବାରୁ ରକ୍ଷା କରିଥାଏ, ଦ୍ରବ୍ୟର ସେଲ ଲାଇଫକୁ ଉନ୍ନତ କରିଥାଏ, ଖାଦ୍ୟକୁ ଶାରୀରିକ କ୍ଷତିରୁ ରକ୍ଷା କରିଥାଏ, ଖାଦ୍ୟ ସାମଗ୍ରୀର ସତେଜତା ବଜାୟ ରଖେ ଏବଂ ଟ୍ୟାମ୍ପରିଂ ରୋକିବାରେ ସାହାଯ୍ୟ କରେ । ଆଜି ଆଧୁନିକ ଆବରଣ (ପ୍ୟାକେଜିଂ) ମାଧ୍ୟମରେ ପୃଥିବୀର ଗୋଟିଏ କୋଣରେ ତିଆରି ହେଉଥିବା ଖାଦ୍ୟ ପଦାର୍ଥ ପୃଥିବୀର ଅନ୍ୟ କୋଣରେ ବିକ୍ରି ହେଉଛି । ଏହାକୁ ଦୃଷ୍ଟିରେ ରଖି ଫେଡ୍‌ ପକ୍ଷରୁ ଏଭଳି ଏକ ପ୍ରୟାସ କରାଯାଉଛି ।

 

Leave A Reply

Your email address will not be published.