Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବା ଗୁଡିକ ତାଲିକା ଭୁକ୍ତ ହୋଇ ସମୁଦାୟ ୧୨୦ ଗୋଟି ପ୍ରଚଳିତ ଓ ବନ୍ଦ ହୋଇଯାଇଥିବା ସେଵା ବା ସେବକ ଗୋଷ୍ଠୀ ବିଷୟରେ ପ୍ରମାଣ ମିଳୁଛି। ସେଥି ମଧ୍ୟରୁ ଆମେ ଆଜି ଆଲୋଚନା କରିବା କୁମ୍ଭାର ବିଶୋଇ, ଓ ମାଳଚୁଳ ସେଵା ବିଷୟରେ। ପ୍ରଥମେ କୁମ୍ଭାର ବିଶୋଇ :- ଏହି ସେବାଟି ଏକ ପରୋକ୍ଷ ସେବା, ନାମ କରଣରୁ ଆମ୍ଭେ ଜାଣିପାରୁଛେ ଯେ ଶ୍ରୀମନ୍ଦିରରେ ଦୈନିକ ହେଉ ବା ପର୍ବ ପର୍ବାଣୀରେ ହେଉ ବ୍ୟବହୃତ ହେଉଥିବା ମାଟି ପାତ୍ର ଏମାନେ ନିର୍ମାଣ କରିଥାନ୍ତି। ଅନ୍ୟ ଭାବରେ କହିଲେ ଏମାନେ କୁମ୍ଭାର ସେବକ ଅଟନ୍ତି। ସାଧାରଣରେ ଏମାନଙ୍କୁ ତିନି ଶ୍ରେଣୀରେ ବିଭକ୍ତ କାରାଯାଏ ।

୧ . ଦୈନିକ ସେବା କରୁଥିବା ୨ . ପର୍ବ ଯାତ୍ରା ସେବା ଯୋଗାଉଥିବା ୩ . ବଲ୍ଳଭ ଓ ବାହାର ଦେଉଳି ସେବା କରୁଥିବା କୁମ୍ଭାର ବିଶୋଇ। ଏହି ତିନୋଟି ଯାକ ସେବାରେ ନିଯୁକ୍ତ କୁମ୍ଭାର ସେବକ ଶାଢ଼ୀ ବନ୍ଧା ସେବକ ନୁହଁନ୍ତି । ସେଵା ମଧ୍ଯ ବଂଶାନୁକ୍ରମିକ ନୁହେଁ। ସମ୍ପ୍ରତି ଆବଶ୍ୟକତା ମୁତାବକ ପ୍ରଶାସନ ବା ସୁଆର ମହାସୁଆର ଗୋଷ୍ଠୀ କୁମ୍ଭାରମାନଙ୍କଠାରୁ ମାଟି ପାତ୍ର କିଣି ଶ୍ରୀଜୀଉମାନଙ୍କ ନୀତିକାନ୍ତି ନିର୍ବାହ କରୁଛନ୍ତି। ଅନେକ ସମୟରେ ଧାରାବନ୍ଧା ସେବକମାନେ ସେବାରେ ତ୍ରୁଟି କରିବା ଯୋଗୁ ଶ୍ରୀମନ୍ଦିର ପରିଚାଳନା କମିଟି ଅନେକ ବର୍ଷ ତଳୁ ଏହି ସେଵା ବନ୍ଦ କରିଦେଇଛନ୍ତି। ମନ୍ଦିର ଭାଷାରେ ଏମାନେ ସେବାରୁ ବାସନ୍ଦ ହୋଇଛନ୍ତି। ସେହିପରି ଆଲୋଚିତ ଦ୍ଵିତୀୟ ସେବାଟି ହେଉଛି ମାଳଚୁଳ ସେବା :-ଯାହା ମଧ୍ଯ ଏବେ ବନ୍ଦ ହୋଇଛି। ପୂର୍ବ କାଳରେ ଏହି ସେବକ ମାନେ ସ୍ନାନ ବେଦୀରେ, ରଥଯାତ୍ରା ସମୟରେ ରଥରେ, ଗୁଣ୍ଡିଚା ଘରେ, ବାହୁଡ଼ାଯାତ୍ରାର ବାହୁଡା଼ ଏକାଦଶୀରେ ଠାକୁରମାନଙ୍କ ମାଳଚୁଳ ଯୋଗାଉଥିଲେ । ମକର ପୂର୍ବଦିନ ଶ୍ରୀଜଗନ୍ନାଥଙ୍କ ବାଡ଼ ପାଇଁ ଫୁଲ ଓ ତୁଳସୀର ଚୁଳ ଜଳlକବରୀ ବେଣୀ ତିଆରି କରି ଦେଇଥାନ୍ତି। ଚନ୍ଦନଯାତ୍ରା ସମୟରେ (ଉଭୟ ବାହାର ଓ ଭିତର ଚନ୍ଦନ ୪୨ ଦିନ ଯାକ )ସୁଦର୍ଶନଙ୍କ ବାଡ଼ ନିମନ୍ତେ ଅଳକା ଯୋଗାଉଥିଲେ। ଏହି ସେବା ଶାଢ଼ୀ ବନ୍ଧା ସେବକ ନୁହନ୍ତି କି ସେବା ବଂଶାନୁକ୍ରମିକ ନଥିଲା। କୁମ୍ଭାର ବିଶୋଇ ସେବା ପରି ବର୍ତ୍ତମାନ ଏହି ସେବା ବା ସେବକଙ୍କୁ ମନ୍ଦିର ପ୍ରଶାସନ ବାଛନ୍ଦ କରିଛନ୍ତି।

ଆଗାମୀ ଅଧ୍ୟାୟରେ ଜାଣିବା ଆଉକିଛି ସେଵା ଓ ସେବକଙ୍କ ବିଷୟରେ, ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।
ଯେ କଳ୍ପବୃକ୍ଷ ଭାବେ ମୋତେ
ସତ୍ୟ ସ୍ୱରୂପେ ଚିନ୍ତେ ନିତ୍ୟେ ।
ଧାରଣା ଯୋଗେ ଧ୍ୟାନ ବଳେ
ସଂକଳ୍ପ ସିଦ୍ଧି ଲଭେ ହେଳେ ।
ସଂସାର ହର୍ତ୍ତାକର୍ତ୍ତା ମୁହିଁ
ମୋ ବିନୁ ନାହିଁ ଅନ୍ୟ କେହି ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.