Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକମାନଙ୍କ ବିଷୟରେ ସବିଶେଷ ବିବରଣୀ ଦେବା ଏତେ ସହଜ ନୁହେଁ। କାରଣ କିଛି ମୂଖ୍ୟ ସେବା ଓ ସେବକଙ୍କ କଥା ସମସ୍ତେ ଜାଣିଥାନ୍ତି (ଯେଉଁ ମାନେ ପ୍ରଭୁଙ୍କର ପ୍ରତ୍ୟକ୍ଷ ସେଵା ରେ ନିୟୋଜିତ )। କିନ୍ତୁ ଆଜି ଆମେ ଆଲୋଚନା କରିବା ପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସହିତ ଜଡିତ ଦୁଇ ମୂଖ୍ୟ ସେଵକଙ୍କ ବିଷୟରେ ।

୧ . ବଢ଼େଇ ସେବକ ୨ . ରଥ ଡାହୁକ ସେବକ

ପ୍ରଥମେ ଜାଣିବା ବଢ଼େଇ ସେବକଙ୍କ ବିଷୟରେ। ଏମାନେ ରଥ ନିର୍ମାଣର ମୂଖ୍ୟ ସେବକ, ରଥ କାମପାଇଁ ପ୍ରତ୍ୟେକ ଅକ୍ଷୟତୃତୀୟା ଦିନ ଶ୍ରୀମନ୍ଦିର ମୂଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଏମାନକୁ ଶାଢ଼ୀ ପ୍ରଦାନ କାରାଯାଏ। କାରଣ ଏମାନେ ଶାଢ଼ୀ ବନ୍ଧା ସେବକ ଓ ସେବା ବଂଶାନୁକ୍ରମିକ ଅଟେ । ପ୍ରତିବର୍ଷ ରଥ ନିର୍ମାଣର ଦାୟିତ୍ୱ ନେଇଥାନ୍ତି। ଏହାଛଡା ଚନ୍ଦନଯାତ୍ରା ସମୟରେ ଚାପ ତିଆରି କରନ୍ତି। ସେହିପରି ଝୁଲଣ ବେଳେ ଝୁଲଣ ବିମାନ ତିଆରି କରନ୍ତି। ଏହାଛଡା ବର୍ଷ ସାରା ବିଭିନ୍ନ ଯାନୀଯାତ୍ରା ଓ ପର୍ବ ପର୍ବାଣୀରେ ଆବଶ୍ୟକତା ଅନୁସାରେ ପିଢା, ରୁଖା, ଶୃବ, ଶୃଚ, ଭଦ୍ରାସନ, ବେଶ ଉପକରଣ ଇତ୍ୟାଦି ପ୍ରତ୍ୟେକ କାଠ କାମ କରିଥାନ୍ତି। ଏଥି ନିମନ୍ତେ ଆବଶ୍ୟକ କାଠ ମନ୍ଦିର ପ୍ରଶାସନ ଯୋଗାଇ ଦିଅନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ ସେବା ଏମାନେ ନବକଳେବର ସମୟରେ କରିଥାନ୍ତି। ନବକଳେବରର ବନଯାଗ ଦଳ ସହ ଯାଇ ଦାରୁ ଅନ୍ୱେଷଣ ପରେ ଦାରୁ ଛେଦନ କାର୍ଯ୍ୟ କରନ୍ତି। ସେହିପରି କୋଇଲି ବୈକୁଣ୍ଠରେ ରହିଥିବା ଦାରୁମାନଙ୍କୁ ଦଇତା ସେବକଙ୍କ ନିର୍ଦ୍ଦେଶରେ ମୂର୍ତ୍ତି ଗଠନ କରିଥାନ୍ତି। ପାର୍ଶ୍ଵ ଦେବା ଦେବୀ, ଇତ୍ୟାଦି ମଧ୍ୟ୍ୟ ନିର୍ମାଣ କରନ୍ତି। ରଥର ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବିଭିନ୍ନ ସେବକ ଥିଲେ ମଧ୍ଯ ବଢ଼େଇ ସେବକଙ୍କୁ ମୂଖ୍ୟ ଭାବେ ଗ୍ରହଣ କାରାଯାଏ ।

ଏବେ ଜାଣିବା ରଥ ଡାହୁକଙ୍କ ବିଷୟରେ । ଏମାନେ ଶାଢ଼ୀ ବନ୍ଧା ସେବକ ନୁହଁନ୍ତି। କିନ୍ତୁ ସେଵା ବଂଶାନୁକ୍ରମିକ। ମୁଖ୍ୟତଃ ରଥଯାତ୍ରାରେ ରଥ ଉପରେ ଏମାନଙ୍କୁ ଦେଖିବାକୁ ମିଳେ। ଶ୍ରୀଗୁଣ୍ଡିଚା ପୂର୍ବ ଦିନ ରଥ ଖଳାରୁ ସିଂହଦ୍ୱାର ନିକଟକୁ ତିନି ରଥ ଟାଣି ରଖିବା ସମୟରେ ତଥା ରଥଯାତ୍ରା ଦିନ ତିନି ରଥ ଟାଣିବା ସମୟରେ ଏମାନେ ରଥ ଉପରେ ରହି ବେତ ହଲାଇ ହଲାଇ ଉଚ୍ଚସ୍ୱରରେ ଗୀତ ବୋଲି ଭକ୍ତଙ୍କୁ ଉତ୍ସାହିତ କରିଥାନ୍ତି। ସେହିପରି ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ରଥମାନଙ୍କୁ ଦକ୍ଷିଣ ମୋଡ଼ କରାଇବା ଦିନ ଓ ବାହୁଡା଼ଯାତ୍ରାରେ ତିନି ରଥରେ ଏମାନେ ନିଜ ସେବା ପ୍ରଦାନ କରନ୍ତି ।

ଆଗରୁ କୁହାଯାଉଥିଲା ଏମାନେ ଅତ୍ୟନ୍ତ ଅଶ୍ଳୀଳ ସଂଗୀତ ଗାନ କରନ୍ତି ବୋଲି, କିନ୍ତୁ ଏହା ବର୍ତ୍ତମାନ ନିଷିଦ୍ଧ ହୋଇଛି। କାରଣ ଅଶ୍ଳୀଳ ସଙ୍ଗୀତ କୌଣସି ଵିଧିରେ ନାହିଁ। ଏହା ଅବିଧି ଅଟେ। ସତରେ ଏକ ଅପୂର୍ବ ସେବା ଏହ। ପୁଣି ଆଗାମୀ ଅଧ୍ୟାୟମାନଙ୍କରେ ଜାଣିବା ଏଭଳି କିଛି ପରୋକ୍ଷ ସେବା ଓ ସେବକଙ୍କ ବିଷୟରେ। ଏବେ କରିବା ଆରାଧନା ଓ ଭାଗବତ ପଠନ ସବୁଦିନ ପରି ।

ସମାନ ଦୃଷ୍ଟି ସର୍ବଭୁତେ
ଏ ସତ୍ୟ ପଦ ମୋର ମତେ ।
ପ୍ରିୟ ଆବର ସତ୍ୟ ଯେହି
କଵି ବୋଲନ୍ତି ୠତ ସେହି ।
ସକଳ କର୍ମ ଫଳ ତ୍ୟାଗ
ଶଉଚ ଲକ୍ଷଣ ସ୍ଵଭାବ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ)

Leave A Reply

Your email address will not be published.