Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ଗୋଷ୍ଠୀ ଭିତରେ କରଣ ଗୋଷ୍ଠୀ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ଅଳଙ୍କୃତ କରିଥାଏ। ସେହି ଗୋଷ୍ଠୀର ଏକ ବିଶେଷ ଅଂଶ ହେଲେ ବଇଠି କରଣ। ଆମେ ତଡଉ କରଣ ଓ ଦେଉଳ କରଣଙ୍କ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସମୟରେ ଜାଣିଥିଲେ ଉଭୟ ମହାନାୟକ ଶାଢ଼ୀବନ୍ଧା ସେବକ କିନ୍ତୁ ବଇଠି କରଣ ଶାଢ଼ୀ ବନ୍ଧା ସେବକ ନୁହନ୍ତି। ଏମାନେ କେବଳ ବଂଶାନୁକ୍ରମିକ କରଣ ସେବକ ଅଟନ୍ତି। ଏମାନେ ମୁଖ୍ୟତଃ ବେହରଣରେ ଉପସ୍ଥିତ ରହି ଧ୍ବଜା, ପିଣ୍ଡିକା ଇତ୍ୟାଦି ଆମଦାନୀ ଯେତେ ସବୁ ଚାଲାଣ ହେବାକଥା ତାର ସିରାସ୍ତା ରଖି ସିହା କରିବେ, ରୋଷ ଆଡେ ବୁଲି ଭୋଗ ତନଖି କରିବେ। ଯେଭଳି ଆଗରୁ ଆମେ ଜାଣିଥିଲେ କରଣ ସେବା ଏକ ତତ୍ୱାବଧାରକ ସେବା ବା ପରିଚାଳନାରେ ସହଯୋଗ କରୁଥିବା ସେବା ଏଠାରେ ବଇଠି କରଣ ଠିକ ସେଭଳି କାର୍ଯ୍ୟରେ ନିମଗ୍ନ ଥାନ୍ତି। ଏହି ଗୋଷ୍ଠୀର ଅନ୍ୟ ଏକ ସେବକ ହେଲେ କୋଠ କରଣ ସେବକ। ଏମାନେ ଶାଢ଼ୀ ବନ୍ଧା କରଣ ସେବକ ଓ ଏମାନେ ମଧ୍ଯ ବଂଶାନୁକ୍ରମିକ ଭାବରେ ଏହି ସେବା କରିଥାନ୍ତି। ଠିକ ଦେଉଳ କରଣଙ୍କ ଭଳି ଏମାନେ ଅନ୍ୟ ସେବକଙ୍କ ସେବାରେ ଦୋଷ ତ୍ରୁଟି ବା ପୂଜାରେ କିଛି ତ୍ରୁଟି କଲେ ତାହା ରିପୋର୍ଟ କରନ୍ତି। ଏମାନେ ମୁଖ୍ୟତଃ ବେହରଣ ରେ ସିରସ୍ତା ଲେଖନ୍ତି ଓ ଧ୍ବଜା, ପିଣ୍ଡିକା ଲାଗି, ବାଗୀ ସମସ୍ତର ସିହା କରନ୍ତି ପର୍ବ ପର୍ବାଣୀ ଭୋଗ ତାଲିକା ଦେଉଳ କରଣଙ୍କଠାରୁ ନେଇ ରୋଷ ଆଡେ ଦିଅନ୍ତି। ଚାପ ଉପରେ ଛୁରୀ, ଖଣ୍ଡା ସେବା କରନ୍ତି। ସବୁଠାରୁ ବଡ଼ ସେବା ହେଲା ରାଜା ବିଜେ ବେଳେ ଅନ୍ୟ କରଣଙ୍କ ସହ ଉପସ୍ଥିତ ରହନ୍ତି। ଆଗାମୀ ଅଧ୍ୟାୟରେ ଜାଣିବା ଆଉ କିଛି ବିଶେଷ କରଣ ସେବା ବିଷୟରେ। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।

ଜଗତ ମୋର ରୂପ ଜାଣେ
ନିଜ ଶରୀର ନ ପ୍ରମାଣେ ।
ବୋଲନ୍ତି ପ୍ରଭୁ ଚକ୍ରପାଣି
ଏତେ ଲକ୍ଷଣେ ଭକ୍ତ ଜାଣି ।
ଭକତି ବିନା ଅନ୍ତର୍ଗତ
କେବେହେଁ ନୁହଁଇ ପବିତ୍ର ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.