Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ଶ୍ରୀମନ୍ଦିର ରେ ପ୍ରଚଳିତ ନୀତି କଥା ଆଲୋଚନା କରିବା ସମୟରେ ପ୍ରଥମେ ଜାଣିବା ଦୈନିକ ନୀତି ବା ନିତ୍ୟ -ବିଧି :-ଏହି ପର୍ଯ୍ୟାୟରେ ଆମେ ବିଚାର କରିବା କେବଳ ରତ୍ନ ସିଂହାସନ ଉପରେ ବିରାଜମାନ କରିଥିବା ସପ୍ତlବରଣ ମୂର୍ତ୍ତିମାନଙ୍କ ପୂଜା ବିଧି ସମ୍ବନ୍ଧରେ । ଏହି ଦୈନିକ ପୂଜାବିଧିଗୁଡିକ ଯେଉଁ କ୍ରମରେ ପାଳିତ ହୁଅନ୍ତି ତଥା ତାହା ଯେଉଁ ସମୟରେ ପାଳିତ ହୁଏ ।

୧ . ଦ୍ୱାରଫିଟା ଓ ମଙ୍ଗଳ ଆଳତି :- ଏହି ନୀତି ସାଧାରଣତଃ ପ୍ରତିଦିନ ଭୋର ପାଞ୍ଚ ଘଟିକା ବା ତାହା ପୂର୍ବରୁ ହେବାର ବିଧି ରହିଛି। ଶ୍ରୀମନ୍ଦିର ସତ୍ୱଲିପିରେ ଏହି ସମୟ ଉଲ୍ଲେଖ ହୋଇଥିଲେ ମଧ୍ଯ କିଛି ବିଶେଷ ପର୍ବ ଯଥା ଦଶହରା ପରେ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ, ପୁନଶ୍ଚ ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ (ପହିଲି ଭୋଗ ମାସ ) ସମୟରେ ଦ୍ୱାର ଫିଟା ନୀତି ପ୍ରତିଦିନ ରାତି ୨ ଟା /୩ ଟା ମଧ୍ୟରେ ହୋଇଥାଏ । ଏହି ଦୈନିକ ଦ୍ୱାରଫିଟା ନୀତି ପାଇଁ ପାଞ୍ଚ ଜଣ ସେବକଙ୍କ ଉପସ୍ଥିତି ନିତ୍ୟାନ୍ତ ଜରୁରୀ ହୋଇଥାଏ। ସେମାନେ ହେଲେ :-ଭିତରଚ୍ଛା ମହାପାତ୍ର, ପ୍ରତିହାରୀ, ମୁଦୁଲି, ଅଖଣ୍ଡ ମେକାପ ଓ ପାଳିଆ ମେକାପ। ପୂର୍ବ ରାତ୍ରରେ ପହୁଡ଼ ପଡିବା ପରେ ଶ୍ରୀମନ୍ଦିରର ଭିତର ଓ ବାହାର ବେଢା ଶୋଧ ହୋଇ ବଡ଼ଦେଉଳର ଜୟ ବିଜୟ ଦ୍ୱାର ଓ ଛାମୁ ଦୁଆର ବନ୍ଦ ହୋଇ ତାଲା ପଡେ। ଏହି ତାଲା ଉପରେ ମାଟିର ମୁଦ ଦିଆଯାଇଥାଏ। ଏହି ମୁଦ ତଳିଛ ମହାପାତ୍ର ଦେଇଥାନ୍ତି ପ୍ରତ୍ୟୁଷରେ ଉପରେ ବର୍ଣ୍ଣିତ ପାଞ୍ଚସେବକ ଏହି ମୁଦ ଯାଞ୍ଚ କରିବା ପରେ ମୁଦୁଲି ସେବକ ଏହି ମୁଦ କାଢି ତାଲା ଖୋଲନ୍ତି। ଆଗାମୀ ଅଧ୍ୟାୟରେ ଏହି ଦ୍ୱାର ଫିଟା ନୀତିର ଆଉ କିଛି ବିଶେଷ କାର୍ଯ୍ୟକ୍ରମ ବିଷୟରେ ଜାଣିବା। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।
ଏ ଦେହ ପଡେ ମାୟା ଜଡ଼େ
ନିଜ ନିସ୍ତାର ପଥ ହୁଡ଼େ ।
ଯେତେ ଏ ସୃଷ୍ଟିରେ ରଚନା
କୀଟହୁଁ ବ୍ରହ୍ମlଦି କଳ୍ପନା ।
ଆତ୍ମlକ୍ରୀଡ଼ନେ ନରହରି
ପୂର୍ବେ ଅନେକ ସୃଷ୍ଟି କରି ।
ସଂସାରେ ଖେଳି ନାନା ମତେ
ସନ୍ତୋଷ ନ ଲଭିଲା ଚିତ୍ତେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉଵାଚ )

Leave A Reply

Your email address will not be published.