Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ-ବିଧିର ପ୍ରଥମ ସୋପାନ ଦ୍ୱାର ଫିଟା ଓ ମଙ୍ଗଳ ଆଳତି/ଆରତି ବିଷୟରେ ଆଲୋଚନା ଜାରି ରହିଛି ଓ ଆମେ ଜାଣିଲେ ପାଞ୍ଚ ଜଣ ସେବକ ଯଥା ଭିତରଛ ମହାପାତ୍ର, ପ୍ରତିହାରୀ, ମୁଦୁଲି, ଅଖଣ୍ଡ ମେକାପ, ତଥା ପାଳିଆ ମେକାପ ଜୟ ବିଜୟ ଦ୍ୱାର ତାଲା ଖୋଲିବା ପରେ ଭିତରକୁ ଯାଇ ଛାମୁ ଦ୍ୱାର ବା କଳାହାଟ ଦ୍ୱାରରେ ପୂର୍ବରୁ ପଡ଼ିଥିବା ମାଟି ମୁଦକୁ ଭଲ ଭାବେ ଯାଞ୍ଚ କରିଥାନ୍ତି ଓ ମୁଦୁଲି ସେବକ ତାଲା ଖୋଲି ଦିଅନ୍ତି। ଏହି କ୍ରମରେ ପରେ ପରେ ଅନ୍ୟାନ୍ୟ ଦ୍ୱାର ଖୋଲା ଯାଇଥାଏ। ସମୟ ସମୟରେ ଏହି କାର୍ଯ୍ୟକ୍ରମରେ ବ୍ୟତିକ୍ରମ ଘଟିଥାଏ। କାରଣ କିଛି ବିଶେଷ ଅସୁବିଧା ଯୋଗୁଁ ଶ୍ରୀଜୀଉମାନଙ୍କର ପହୁଡ଼ ହୋଇ ପାରେନି। ପହୁଡ଼ ନହେଲେ ଦେଉଳ ଶୋଧ ବି ହୋଇ ପାରେନି। ଅର୍ଥାତ ଦେଉଳ ମଧ୍ୟରୁ ସମସ୍ତ ଲୋକଙ୍କୁ ବାହାର କରାଯାଇ ପାରେନି ଅବା ଦ୍ୱାର ମଧ୍ୟ ତାଲା ପଡି ପାରେନି। ଏଭଳି ଦିନମାନଙ୍କରେ ଦ୍ୱାର ଫିଟା ନୀତିର ପ୍ରଶ୍ନ ଉଠେ ନାହିଁ। ଉକ୍ତ ଦିନମାନଙ୍କରେ କେବଳ ମଙ୍ଗଳ ଆରତିଠାରୁ ନୀତି ଆରମ୍ଭ ହୋଇଥାଏ। ବିଶେଷ ଦିନ ବ୍ୟତୀତ ଅନ୍ୟ ସବୁଦିନ ଦ୍ୱାର ଫିଟା ସରିବା ପରେ ମଣିମା ଡାକ ଦେଇ ସେବକମାନେ ଭିତରେ ପ୍ରବେଶ ପୂର୍ବକ ରତ୍ନ ପଲଙ୍କ ଉଠାଇ ନିଅନ୍ତି। ଏହାପରେ ଆରମ୍ଭ ହୁଏ ମଙ୍ଗଳ ଆଳତି, ଭିତରଛ ମହାପାତ୍ର ଶ୍ରୀଜଗନ୍ନାଥଙ୍କର ଓ ଅନ୍ୟ ଦୁଇଜଣ ପୁଷ୍ପାଳକ ସେବକ ବଲଭଦ୍ର ଓ ସୁଭଦ୍ରାଙ୍କ ମଙ୍ଗଳ ଆରତି ରତ୍ନ ସିଂହାସନ ତଳେ ରହି କରିଥାନ୍ତି। ଏହି ମଙ୍ଗଳ ଆରତି ଦେଖିବା ପାଇଁ ଅନେକ ଭକ୍ତ ସମାବେଶ ହୋଇଥାନ୍ତି। ଏହି ଭକ୍ତମାନଙ୍କୁ ଭିତର କାଠ ଅର୍ଗଳି ପାଖରେ ରହି ଆରତି ଦର୍ଶନର ଅନୁମତି ଥାଏ। ବିଶେଷ ପରିସ୍ଥିତିରେ ଯଦି ଭକ୍ତ ପୋଖରୀଆ କୁ ଯିବାକୁ ଚାହେଁ ତେଵେ ଶ୍ରୀମନ୍ଦିର କର୍ତ୍ତୃପକ୍ଷଙ୍କ ଅନୁମତି ସହ କିଛି ପରିମାଣିକ ଦେୟ ଦେବାକୁ ପଡିଥାଏ । ଏହି ମଙ୍ଗଳ ଆଳତି ସମୟରେ ତିନି ବାଡ଼ ରେ ପ୍ରଥମେ କର୍ପୁର ଆଳତି ହୋଇଥାଏ, ଏହାପରେ ପିଠାଉବଟା ସହ ଏକୋଇଶିଟି ଘିଅବତୀର ଆଳତି ହୁଏ। ଏହି ମଙ୍ଗଳ ଆରତି ଦର୍ଶନ ଅତ୍ୟନ୍ତ ପୁଣ୍ୟ ପ୍ରଦାୟକ ବୋଲି ବିବେଚନା କାରାଯାଏ। ଏଭଳି ଅନେକ ଭକ୍ତ ଅଛନ୍ତି ଯେଉଁମାନେ ପ୍ରତ୍ୟହ ମଙ୍ଗଳ ଆରତି ଦର୍ଶନ କରିଥାନ୍ତି । ନିଜ ଆରାଧ୍ୟଙ୍କୁ ଜାଗ୍ରତ କରିବା ସହ ନିଜେ ଉର୍ଜାବାନ ହୋଇ ଗୋଟିଏ ଦିନର ଆରମ୍ଭ କାରିଥାଏ ସମର୍ପିତ ଭକ୍ତଟିଏ। ଆଗାମୀ ଅଧ୍ୟାୟରେ ଜାଣିବା ମଙ୍ଗଳ ଆଳତି ପରେ ହେଉଥିବା ନୀତି (ମଇଲମ ) ବିଷୟରେ। ଏବେ କରିବା ଆରାଧନା ଓ ଭାଗବତ ପଠନ ।

ସ୍ଵଭାବେ କାମ କ୍ରୋଧ ବଳେ
ନିତ୍ୟ ଅସାଧୁ ସଙ୍ଗେ ମିଳେ ।
ଏଣୁ ଏ ବିପ୍ର ଆଦି ବ6ର୍ଣ
ପାପୀ ଦାମ୍ଭିକ ଅଭିମାନେ ।
ବିଷ୍ଣୁ ଜନଙ୍କୁ ଦେଖି ପାଶେ
ନିନ୍ଦା କରନ୍ତି ଉପହାସେ ।

ଜୟ ଜଗନ୍ନାଥ (ଦ.ତ୍ରି. ଉବାଚ )

Comments are closed.