Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ଆଲୋଚନାର ପର୍ଯାୟରେ ଆମେ ପ୍ରତ୍ୟୁଷରେ ଅନୁଷ୍ଠିତ ହେଉଥିବା ଦ୍ୱାର ଫିଟା ଓ ମଙ୍ଗଳ ଆଳତି ବିଷୟରେ ଜାଣିଲେ ଏବେ ଜାଣିବା ତା ପରବର୍ତ୍ତୀ ନଧୋ ମଇଲମ :-ଏଭଳି ନାମକରଣରୁ ଲାଗୁଛି ଏହା ନିଶ୍ଚିତ ଏକ ବିଚିତ୍ର ନୀତି ବା ନିତ୍ୟ ବିଧି। କିନ୍ତୁ ଅସଲରେ ଏହା ଏକ ସରଳ ନୀତି, ଯେଉଁଥିରେ ଶ୍ରୀଜୀଉମାନେ ପୂର୍ବ ରାତିରେ ଯେଉଁ ବେଶ ପୋଷlକ ପିନ୍ଧିଥାନ୍ତି। ତାହାକୁ ଶ୍ରୀଅଙ୍ଗରୁ ଖୋଲି ଦିଆଯାଏ। ଏହା ହିଁ ଶ୍ରୀମନ୍ଦିର ଭାଷାକୋଷରେ ଏହା ମଇଲମ ବା ବେଶ ଉଲାଗି ବୋଲି କଥିତ ଅଛି। ଶ୍ରୀମନ୍ଦିର ସତ୍ୱଲିପିରେ ଏହି ନୀତି ପାଇଁ ଯେଉଁ ସମୟ ନିର୍ଘଣ୍ଟ ନିର୍ଧାରିତ କରିଛନ୍ତି, ତାହା ସକାଳ ଛଅ ଘଟିକା ବୋଲି ଉଲ୍ଲେଖ ହୋଇଛି। କିନ୍ତୁ ସାଧାରଣତଃ ମଙ୍ଗଳ ଆଳତି ସରିବା ପରେ ଆରମ୍ଭ ହୋଇଥାଏ । ଏହି ନୀତି ସହ ଜଡିତ ସେବକ ହେଲେ -ପୁଷ୍ପାଳକ 3ଜଣ, ଖୁଣ୍ଟିଆ, ଚାଙ୍ଗଡ଼ା ମେକାପ, ଓ ଧୋବାସେବକ ତିନିବାଡ଼ ପାଇଁ ତିନି ପୁଷ୍ପାଳକ ରତ୍ନସିଂହାସନ ଉପରକୁ ଯାଇ ପୂର୍ବ ରାତିରେ ଶ୍ରୀଜୀଉମାନେ ଧାରଣ କରିଥିବା ସମସ୍ତ ବେଶ ଫୁଲ, ତୁଳସୀ ଓ ଅଙ୍ଗଲାଗି ବସ୍ତ୍ର ମାନ ମଇଲମ (ବାହାର )କରିଦିଅନ୍ତି। ଏହା ପରେ ଶ୍ରୀଜୀଉମାନଙ୍କ ଅବକାଶ ନୀତି ପାଇଁ ତଡପ ଓ ଉତ୍ତରୀୟ ନାମକ ସୂତା ଗାମୁଛା ପରି ବସ୍ତ୍ର ପିନ୍ଧାଇ ଦେଇଥାନ୍ତି । ଉଲାଗି ହୋଇଥିବା ସମସ୍ତ ବସ୍ତ୍ର ପ୍ରତିଦିନ ଧୋବା ସେବକମାନେ ଧୋଇ ଥାନ୍ତି । ଏଠାରେ ମଧ୍ଯ ଧୋବା ସେବକମାନେ ଏକ ବ୍ୟତିକ୍ରମ ଅଟନ୍ତି । ସାଧାରଣତଃ ଏମାନେ ବ୍ରlହ୍ମଣ ଓ ଲୁଗା ଧୋଉଥିବାରୁ ଏମାନଂକୁ ଧୋବା ସେବକ କୁହାଯାଏ । ଆଗାମୀ ଅଧ୍ୟାୟରେ ସମ୍ପୂର୍ଣ ଅବକାଶ ନୀତି ବିଷୟରେ ଆଲୋଚନା କରିବା, ବର୍ତ୍ତମାନ କିନ୍ତୁ କରିବା ଆରାଧନା ଓ ସବୁଦିନ ପରି ଭାଗବତ ପଠନ ।

ଜଳ ପବନ ମୋ ଆହାର
ସନ୍ତୋଷେ ରଖିବି ଶରୀର ।
ଜନ୍ତୁଏ ଭବ କୂପେ ପଡି
କୃଷ୍ଣ ଭକତି ଦୂରେ ଏଡି ।
ଜନ୍ମି ବଞ୍ଚିତ ଏ ଶରୀରେ
ପଡନ୍ତି ଦୁଃଖ ମହାଘୋରେ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.