Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ସନ୍ଧ୍ଯା ଆଳତି

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ ।

 

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଭୋଗ ସହ ଦିବା ପହୁଡ଼ ବିଷୟରେ ଆଲୋଚନା କରିଲେ । ବର୍ତ୍ତମାନ ସନ୍ଧ୍ୟା ସମୟ, ଯାହାକି ଶ୍ରୀଜୀଉମାନଙ୍କ ଆଳତିର ବେଳ ତେଣୁ ଆସନ୍ତୁ ଜାଣିବା ସନ୍ଧ୍ୟା ଆଳତି ବିଷୟରେ। ସାଧାରଣତଃ ସୂର୍ଯ୍ୟାସ୍ତ ପରେ ବା ସନ୍ଧ୍ୟା ୬ ଘଣ୍ଟା ସମୟରେ ଶ୍ରୀଜୀଉମାନଙ୍କର ସନ୍ଧ୍ୟା ଆଳତି ହୋଇଥାଏ। ଶ୍ରୀମନ୍ଦିର ସତ୍ୱଲିପିରେ ପ୍ରତ୍ୟେକ କର୍ମ ପାଇଁ ସମୟ ନିର୍ଘଣ୍ଟ ହୋଇଥାଏ। ତେଣୁ ଆଳତି ସମୟ ପୂର୍ବରୁ ବିଭିନ୍ନ ପ୍ରସ୍ତୁତି ମଧ୍ୟରେ ପ୍ରଥମେ ରତ୍ନ ସିଂହାସନ ସଫା କରାଯାଏ। ଖସି ପଡ଼ିଥିବା ସମସ୍ତ ଫୁଲ, ତୁଳସୀ ଇତ୍ୟାଦି ତୋଳି ନିଆଯାଇ ପରିଷ୍କାର କାରାଯାଏ । ଏହାପରେ ଶ୍ରୀଜୀଉମାନଙ୍କୁ ନୂଆ ତୁଳସୀ ମାଳ ଓ ତରାଟ ପୁଷ୍ପ ମିଶ୍ରିତ ଅଧରମାଳ ଓ ଅନ୍ୟାନ୍ୟ ପୁଷ୍ପ ଅଳଙ୍କାର ପ୍ରଦାନ କାରାଯାଏ। ଏହାପରେ ପୂଜକ ଜଳରେ ହସ୍ତ ଧୌତ ପୂର୍ବକ କର୍ପୁର ଆଳତି ଓ ବତୀ ଆଳତି ପାଇଁ ସମସ୍ତ ସରଞ୍ଜାମ (ଦାନୀ)ଇତ୍ୟାଦି ସଫା କରିଦେବେ ପରେ ଆଳତି ପାଇଁ ପ୍ରସ୍ତୁତି କରି ସିଂହାସନ ତଳେ ଠିଆ ହୋଇ ପ୍ରଥମେ କର୍ପୁର ଆଳତି ଓ ପରେ ବତୀ ଆଳତି କରିବେ । ଆଳତି ସମୟରେ ମଙ୍ଗଳ ଆଳତି ସମୟର ଆରତ୍ରିକ ମନ୍ତ୍ର ପାଠ କରାଯିବ। ସନ୍ଧ୍ୟା ଆଳତି ସମୟରେ ଜଗମୋହନରେ ଗୀତଗୋବିନ୍ଦ ଗାନ କରାଯିବ। ଏହି ସମୟରେ ବିଭିନ୍ନ ପାରମ୍ପରିକ ବାଦ୍ୟ ଯଥା ଘଣ୍ଟା, ମୁର୍ଦଙ୍ଗ, ଗିନି, କାହାଳି ଶଙ୍ଖ, ମର୍ଦଲ ଇତ୍ୟାଦି ବାଦ୍ୟ ବଜାଯିବ। ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଏହି ସନ୍ଧ୍ୟା ଆଳତିକୁ ଉପଭୋଗ କରିବା ସହ ଏକାଗ୍ର ଚିତ୍ତରେ ଶ୍ରୀଜୀଉମାନଙ୍କ ଉପାସନା କରିବେ। ଶ୍ରୀମନ୍ଦିରର ପରିବେଶ ଏହି ସମୟରେ ଅତ୍ୟନ୍ତ ଭାବ ଭକ୍ତି ମୟ ହୋଇଥାଏ। ଆଗାମୀ ଅଧ୍ୟାୟରେ ଜାଣିବା ଶ୍ରୀଜୀଉମାନଙ୍କ ରାତ୍ର ଭୋଗ ଵିଷୟରେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।

 

ଏସନ ସଂସାର କୁଟୁମ୍ବ

ସୁଖ ଦୁଃଖରେ ପରାଭବ।

ଯେ ଯାହା ପୂର୍ବେ ଥାଇ କରି

ଭୁଞ୍ଜଇ ସେ ଫଳ ଆବୋରି।

 

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.