ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନିକ ପୂଜାବିଧି ବିଷୟରେ ବିଶେଷ ଆଲୋଚନା ପରେ, ଏବେ କେବଳ ଜାଣିବା କିଛି ବିଶେଷ ନୀତି ବିଷୟରେ। ଅବଶ୍ୟ ଏଗୁଡ଼ିକ ବିଷୟରେ ପୂର୍ବରୁ କିଛି କିଛି ଆଲୋଚନା ହୋଇ ସାରିଛି। ତଥାପି ସମସ୍ତଙ୍କ ଗୋଚରାର୍ଥେ ପ୍ରକାଶ କରୁଛି କି ଶ୍ରୀମନ୍ଦିରରେ ସ୍କନ୍ଦ ପୁରାଣ ଆଧାରିତ ଶ୍ରୀପୁରୁଷୋତମ କ୍ଷେତ୍ର ମାହାତ୍ମ୍ୟ, ବାମଦେବ ସଂହିତା, ନୀଳାଦ୍ରି ମହୋଦୟ, ଯାତ୍ରା ଭାଗବତ ଇତ୍ୟାଦି ଗ୍ରନ୍ଥ ଆଧାରରେ ସମସ୍ତ ଯାନୀଯାତ୍ରା, ପର୍ବପର୍ବାଣୀ ଓ ବିଶେଷ ନୀତି ପାଳିତ ହୋଇଥାଏ। ଆଗରୁ ଆମେ ଶ୍ରୀଜୀଉମାନଙ୍କ ପ୍ରଧାନ ଦ୍ୱାଦଶ ଯାତ୍ରା ବିଷୟରେ ଆଲୋଚନା କରିଛେ। ଏହା ସହିତ ମଧ୍ୟ ତ୍ରୟୋଦଶ ଯାତ୍ରା ହିସାବରେ ଆମେ ମହାପ୍ରଭୁଙ୍କର ପ୍ରତିଷ୍ଠା ଉତ୍ସବ ବା ନୀଳାଦ୍ରି ମହୋଦୟ ଉତ୍ସବ କଥା ଆଲୋଚନା କରିଛେ। କିନ୍ତୁ ଏହି ବିଶେଷ ନୀତିଗୁଡ଼ିକ ହେଉଛି କିଛି ସ୍ୱତନ୍ତ୍ର ପରିସ୍ଥିତିରେ ପାଳିତ ହେଉଥିବା ନୀତି ଯଥା ମହାସ୍ନାନ, ଗୁରୁବାର ମାଜଣା ଓ ଏକାନ୍ତ ନୀତି ନକ୍ଷତ୍ର ବନ୍ଦାପନା, ଏକାଦଶୀ ନୀତି ବନକଲାଗି ନୀତି, ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗ ନୀତି, ଶୀତଳ ଭୋଗ ନୀତି, ଚନ୍ଦନ ଲାଗି ନୀତି, ସ୍ୱତନ୍ତ୍ର ଭୋଗ ନୀତି, ସ୍ୱତନ୍ତ୍ର ବେଶ ନୀତି ଇତ୍ୟାଦି ପ୍ରଧାନ। ଶ୍ରୀମନ୍ଦିରରେ ଏହି ନୀତିଗୁଡ଼ିକ ଯଥା ରୀତି ପାଳିତ ହୋଇଥାଏ। କିନ୍ତୁ ଅନ୍ୟାନ୍ୟ ଜଗନ୍ନାଥ ମନ୍ଦିରରେ ଏସବୁ ଠିକ ଭାବେ ପାଳିତ ହୁଏ ନାହିଁ। ପରମ୍ପରା ଓ ନିୟମ ଅନୁଯାୟୀ ଅନ୍ତତଃ, ମହାସ୍ନାନ, ଏକାନ୍ତ ନୀତି ଓ ଗୁରୁବାର ମlଜଣା, ଏକାଦଶୀ ନୀତି, ବନକ ଲାଗି, ନକ୍ଷତ୍ର ବନ୍ଦାପନା ସହ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟପରାଗ ନୀତି ନିହାତି ଭାବେ ପାଳିତ ହେବା ଉଚିତ। ସମ୍ପୃକ୍ତ ମନ୍ଦିରମାନେ ସେମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ କରିବା ମଧ୍ୟ ଆବଶ୍ୟକ ଅଟେ। ଏମିତିରେ ଶ୍ରୀମନ୍ଦିର ତରଫରୁ ଦ୍ୱାଦଶ ଯାତ୍ରା ସହ, ପ୍ରତିଷ୍ଠା ଉତ୍ସବ ପାଳିତ ହେବା ସଙ୍ଗେ ବାର୍ଷିକ ପ୍ରାୟ ୭୮ଟି ପର୍ବ ପର୍ବାଣୀ ପାଳିତ ହୋଇଥାଏ। ତେଣୁ ଶ୍ରୀମନ୍ଦିର ସର୍ବଦା ଉତ୍ସବ ମୁଖର ରହିଥାଏ। ମହାପ୍ରଭୁଙ୍କର ଏହି ଯାନୀଯାତ୍ରା ଓ ପର୍ବ ପର୍ବାଣୀ, ଜନସାଧାରଣଙ୍କୁ ସର୍ବଦା ଆକର୍ଷିତ କରି ରଖିଥାଏ। ସେବକମାନେ ମଧ୍ୟ ସର୍ବଦା ସେବାରେ ଲିପ୍ତ ରହିଥାନ୍ତି। ଆଗାମୀ ଅଧ୍ୟାୟରେ ଜାଣିବା ୭୮ ପର୍ବ ପର୍ବାଣୀର ସଂକ୍ଷିପ୍ତ ବିବରଣୀ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।
ବନ୍ଧୁ ସୁହୃଦ ଗୃହଗତେ
ଯେ ପ୍ରାଣୀ ଗମେ ଶୂନ୍ୟ ହସ୍ତେ।
ଭାବ ନ ରହେ ବେନି ମଧ୍ୟେ
ନିନ୍ଦିତ ଶାସ୍ତ୍ର ଅନୁବାଦେ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )