ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ କୃଷ୍ଣଲୀଳାସମ୍ପର୍କୀୟ ବିଭିନ୍ନ ବେଶ ବର୍ଣ୍ଣନା ସମୟରେ ଆମେ ଦୁଇଟି ପ୍ରମୁଖ ବେଶ “ବଣ ଭୋଜି” ବେଶ ଓ “କାଳୀୟ ଦଳନ” ବେଶ ବିଷୟରେ କିଛି କିଛି ତଥ୍ୟ ଜାଣିଲେ।
ଉପରୋକ୍ତ ଦୁଇଟି ବେଶରେ ମୁଖ୍ୟତଃ ଶ୍ରୀଜଗନ୍ନାଥଙ୍କ ବିଶେଷ ଭୂମିକା ଥିଲା। କିନ୍ତୁ ଆଜିର ଆଲୋଚ୍ୟ ବିଷୟ”ପ୍ରଲମ୍ବାସୁର ବଧ ”
ବେଶରେ ବଡ଼ବାଡ଼ ଠାକୁର ଶ୍ରୀ ବଳଭଦ୍ରଙ୍କ ଭୂମିକା ବେଶୀ। କାରଣ ପୌରାଣିକ ତଥ୍ୟ ଆଧାରରେ ଜଣାଯାଏ ତାଳବଣରେ କାଦମ୍ବରୀ ପ୍ରମତ୍ତ ଶ୍ରୀବଳରାମ (ବଳଦେବ ) ଠାକୁର ପ୍ରବଳ ପ୍ରତାପୀ ଅସୁର ରାଜ ପ୍ରଲମ୍ବାସୁରଙ୍କୁ ବଧ କରିଥିବା ସ୍ମୃତିରେ ଏହି ବେଶ ଅନୁଷ୍ଠିତ ହୋଇଥାଏ।
ଶ୍ରୀମନ୍ଦିରରେ ପ୍ରଚଳିତ ବେଶ ପରମ୍ପରା ଆଧାରରେ ଏହି ବେଶ ଭାଦ୍ରବ ମାସ କୃଷ୍ଣ ପକ୍ଷ ଦ୍ୱାଦଶୀ ତିଥିରେ ଅନୁଷ୍ଠିତ ହୋଇଥାଏ। ମଧ୍ୟାହ୍ନ ଧୂପ ପରେ ଏହି ବେଶ ଅନୁଷ୍ଠିତ ହୁଏ। ଏହି ବେଶରେ ଶ୍ରୀଜଗନ୍ନାଥ ଓ ମା ସୁଭଦ୍ରା ନିଜ ନିଜ ସାଧାରଣ ବେଶରେ ବିରାଜମାନ କରୁଥିବା ବେଳେ କେବଳ ଶ୍ରୀବଳଭଦ୍ରଙ୍କ ପଦପ୍ରାନ୍ତରେ
ପ୍ରଲମ୍ବାସୁରର ଏକ ମୂର୍ତ୍ତି ସଜାଇ ରଖାଯାଇଥାଏ। ଫଳରେ ଅସୁରର ସ୍କନ୍ଦ ଓ ଦୁଇ ଭୁଜରେ ବଳଭଦ୍ର ଠାକୁର ବସିବା ପରି ଦୃଶ୍ୟମାନ ହୋଇଥାଏ। ଭକ୍ତ ଓ ଶ୍ରଦ୍ଧାଳୁମାନେ ଏହି ବେଶ ଦର୍ଶନ କରି ପୁଣ୍ୟ ଅର୍ଜନ କରିବା ସହ ଶ୍ରୀବଳରାମଙ୍କ ଅପୂର୍ବ ଶକ୍ତିର ପରିଚୟ ପାଇଥାନ୍ତି।। ଐତିହାସିକ ତଥ୍ୟ କହେ ଷୋଡଶ ଶତାବ୍ଦୀରେ ଭକ୍ତ ବଳରାମ ଦାସ ଏହି ବେଶର ପରିକଳ୍ପନା କରିଥିଲେ। ପରେ ଏହା ସ୍ୱୀକୃତି ପାଇ ଶ୍ରୀମନ୍ଦିରରେ ପ୍ରଚଳିତ ହୋଇଥିଲା। ଆଗକୁ ସେହି କୃଷ୍ଣ ଲୀଳା ଆଧାରିତ ଅନ୍ୟ ବେଶ ଗୁଡିକ ବିଷୟରେ ଆଲୋଚନ ଜାରି ରଖିବା। ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ।
ସର୍ବଗୁଣେ ଯାର ମନ
ତାର ସମୀପେ ସର୍ବ ଧନ ।
ମୋ ଭାବେ ଚିତ୍ତ ଯାର ନାହିଁ
ସଂସାରେ ଦରିଦ୍ରଟି ସେହି ।
ଅଜିତ ଇନ୍ଦ୍ରିୟ ଯାହାର
ସଂସାରେ କୃପଣ ସେ ନର ।
ତ୍ରିଗୁଣ ସଙ୍ଗ ଯାର ନାହିଁ
ଉଦ୍ଧବ ଈଶ୍ୱର ଟି ସେହି ।
ଜୟ ଜଗନ୍ନାଥ (ଦ. ତ୍ରି. ଉବଚ )
Comments are closed.