ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ଆଲୋଚନା ଅବସରରେ ଆମର ଆଲୋଚିତ ବେଶଟି ଥିଲା “ଗଜ ଉଦ୍ଧାରଣ ବେଶ “ବା “ଗଜେନ୍ଦ୍ର ମୋକ୍ଷ “ବେଶ । ଏହି ନାମ ଉଚ୍ଚାରିତ ହେବା ମାତ୍ରେ ଆଖି ଆଗରେ ନାଚେ ଏକ ଅତି ସମ୍ବେଦନଶୀଳ ଦୃଶ୍ୟ, ଯେଉଁଠି ପ୍ରଭୁଙ୍କୁ ଅର୍ପଣ କରିବା ପାଇଁ ପଦ୍ମ ତୋଳିବା ସମୟରେ ଗଜ ପଡିଛି ଏକ କୁମ୍ଭୀର କବଳରେ। ତାପରେ ଆକୁଳ ପାର୍ଥନା, ଭକ୍ତ ଭଗବାନଙ୍କ ଲୀଳା ଭିତରେ, ସୁଦର୍ଶନଙ୍କ ଦ୍ୱାରା ନକ୍ର ନାଶ ଓ ଗଜ ଉଦ୍ଦାର.ସଂକ୍ଷେପରେ ଏହି ଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟର ଅବତାରଣ ହୁଏ ଏହି ବେଶ ଭିତରେ। ତେଣୁ ଏହି ବେଶ ଏକ ନିଆରା ବେଶ ଓ ଅତ୍ୟନ୍ତ ରୋଚକ ବେଶ। ଏହି ବେଶରେ ଶ୍ରୀଜଗନ୍ନାଥ, ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଗରୁଡ଼ ଉପରେ ଉପଵେଶନ କରନ୍ତି। ତାଙ୍କ କୋଳରେ ମହାଲକ୍ଷ୍ମୀ ବିରାଜମାନ କରିଥାନ୍ତି। ବଡ଼ଠାକୁର ବଳଭଦ୍ର ମଧ୍ୟ ଶଙ୍ଖ, ଚକ୍ର, ହଳ ଓ ମୁଷଳ ଧାରଣ କରନ୍ତି। ମା ସୁଭଦ୍ରା ଛନ୍ଦାପାଦରେ ପଦ୍ମ କଳିକା ଧାରଣ କରିଥାନ୍ତି। ଶ୍ରୀଜୀଉମାନେ ସୋଲ ଓ ଜରିରେ ନିର୍ମିତ୍ତ ଚୁଳ, କିରୀଟ, ଓ ଅଳଙ୍କାରମାନ ଧାରଣ କରିଥାନ୍ତି। ରତ୍ନ ସିଂହାସନ ଉପରେ ଏହି ବେଶ ଧରି ଶ୍ରୀଜୀଉମାନେ ରହୁଥିବା ବେଳେ, ସିଂହାସନ ତଳେ ପୋଖରୀଆରେ ହାତୀ ଓ କୁମ୍ଭୀର ସହ ପଦ୍ମ ପୋଖରୀର ଦୃଶ୍ୟ ରଚନା କାରାଯାଏ। କୁମ୍ଭୀର ଆକ୍ରମଣରୁ ରକ୍ଷା ପାଇବା ପାଇଁ ଗଜ ଵା ହସ୍ତୀ ନିଜ ଶୁଣ୍ଢରେ ଏକ ପଦ୍ମ ପୁଷ୍ପ ଧାରଣ କରି ମହାପ୍ରଭୁଙ୍କୁ ଆକୁଳ ପାର୍ଥନା କରିବାର ଭଙ୍ଗୀ ଅତ୍ୟନ୍ତ ପ୍ରାଣସ୍ପର୍ଶି ହୋଇଥାଏ। ଏହି ରାମଣୀୟ ବେଶ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖା ଯାଇଥାଏ। ସ୍ନାନ ବେଦୀରେ ଗଜାନନ ବେଶ ଓ ରତ୍ନ ସିଂହାସନରେ ଗଜ ଉଦ୍ଧାରଣ ବେଶ ଦୁଇଟି ଯାକ ସମ୍ପୂର୍ଣ ଅଲଗା। ଗୋଟିଏରେ ପ୍ରଭୁ ନିଜେ ଗଜାନନ ବେଶ ହୁଅନ୍ତି। କିନ୍ତୁ ଆଉ ଗୋଟିଏ ବେଶରେ ଭକ୍ତ ଗଜରାଜଙ୍କୁ ଉଦ୍ଧାର କରନ୍ତି। ଆସନ୍ତୁ ସେହି ପ୍ରଭୁଙ୍କୁ କରିବା ଆରାଧନା ଓ ସବୁଦିନ ପରି ଭାଗବତ ପଠନ ।
“ଅନେକ ଜନ୍ମ କର୍ମ ଭାଗ୍ୟେ
ମୋ ଜ୍ଞାନ ବିବେକ ବୈରାଗ୍ୟେ ।
ଉଦାସୀ ମତେ ଦେହେ ଥାଇ
ଗୁରୁଙ୍କ ଉପଦେଶ ଧ୍ୟାୟୀ ।
ପୁତ୍ର କଳତ୍ର ପଶୁ ଦାସେ
ଏହାଙ୍କୁ ପୋଷି ଦେହ ଆଶେ ।
ଜୟ ଜଗନ୍ନାଥ (ଦ.ତ୍ରି. ଉବାଚ )