Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବେଶ ପରମ୍ପରା ଆଲୋଚନା ଅବସରରେ ଆମେ ପ୍ରଜାୟକ୍ରମରେ ଜାଣିଲେ କିଛି ଦୈନିକ ବେଶ, କିଛି ବର୍ଷ ମଧ୍ୟରେ ପଡୁଥିବା ବିଭିନ୍ନ ପର୍ବ ପର୍ବାଣୀ ଆଧାରିତ ବେଶ ଓ ଶେଷରେ କିଛି ବିଶେଷ ବେଶ ଯାହା ଏକ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ହୁଏ। ଅବଶ୍ୟ ରଘୁନାଥ ବେଶ ପରି କିଛି ବେଶ ଏହାର ବ୍ୟୟ ବହୁଳତା ଯୋଗୁ ଅନେକ ବର୍ଷ ହେଲା ପାଳିତ ହୋଇ ପାରିନି ସେ ବେଶ କଥା ମଧ୍ୟ ଆଲୋଚନା ପରିସରକୁ ଅଣାଗଲା ମୋଟାମୋଟି ଭାବରେ ଶ୍ରୀଜଗନ୍ନାଥଙ୍କ ଦୈନଦିନ ପୂଜା ଅର୍ଚ୍ଚନା ମଧ୍ୟରେ ଅତ୍ୟନ୍ତ ପ୍ରାଚୀନ କାଳରୁ ସ୍ନାନ ସମୟରେ ଅବକାଶ ବେଶ (ସ୍ନାନ ବେଶ ), ଭୋଗ ପୂର୍ବରୁ ପାଟ ବସ୍ତ୍ର ଓ ପୁଷ୍ପମାଲ୍ୟରେ ସଜ୍ଜିତ ସାଧା ବେଶ, ରାତ୍ରରେ ଚନ୍ଦନଲାଗି ବେଶ ଓ ପହୁଡ଼ ପୂର୍ବରୁ ବଡ଼ସିଂହାର ବେଶ, ଏଭଳି ଚାରି ପ୍ରକାର ବେଶ ହୁଅନ୍ତି। ଏହି ବେଶମାନଙ୍କ ପାଇଁ ବିଭିନ୍ନ ବସ୍ତ୍ର, ଭୂଷଣ (ସ୍ଵର୍ଣ ଅଳଙ୍କାର )ଅବା କିଛି ଜରି ଜମ୍ବୁରା ଓ ସୋଲ ଇତ୍ୟାଦିରେ ନିର୍ମିତ୍ତ ଭୂଷଣ, ପୁଷ୍ପ ଅଳଙ୍କାର (ବିଭିନ୍ନ ରଙ୍ଗର ପୁଷ୍ପ ସହ ତୁଳସୀ, ଦୟଣା ଇତ୍ୟାଦି )ବେଶ ସାମଗ୍ରୀ ଆବଶ୍ୟକ ହୋଇଥାଏ। ଏଗୁଡିକ ମେକାପ ସେବକ, ଖୁଣ୍ଟିଆ ସେବକମାନେ ଯୋଗାଇ ଦେଉଥିବା ବେଳେ, ସାଧାରଣତଃ ସିଂହାରୀ ସେବକମାନେ ବେଶ କରିଥାନ୍ତି। ଆଗାମୀ ଅଧ୍ୟାୟଗୁଡିକରେ ଶ୍ରୀଜୀଉମାନଙ୍କ ସେବାରେ ନିୟୋଜିତ ବିଭିନ୍ନ ଧରଣର ସେବକମାନଙ୍କ ସମ୍ବନ୍ଧ ରେ ବିଷଦ ଭlବରେ ଜାଣିବା। ବର୍ତ୍ତମାନ ଏତିକି କହିବି ଆଲୋଚିତ ସମସ୍ତ ବେଶ ଛଡା କିଛି ଏମିତି ବେଶ ଅଛି ଯାହା ସ୍ୱତନ୍ତ୍ର ଭାବେ ହୁଏନି। ଏହା ବେଶ ହିସାବରେ ପରିଗଣିତ ହେଉ ନଥିଲେ ମଧ୍ୟ ଏହାର ବିଶେଷତ୍ୱ ଅଛି, ଯଥା ପହଣ୍ଡି କାଳରେ ଦୃଢ଼ ବସ୍ତ୍ର ପରିଧାନ ବା ସେନାପଟା ଲାଗି ବେଶ ଓ ଟାହିଆ ଲାଗି ବେଶ। ଅଣସର ପରେ ନବ ଯୌବନ ଦର୍ଶନ ସମୟରେ ସ୍ୱତନ୍ତ୍ର ବେଶ, ମକର ସଂକ୍ରାନ୍ତି ପୂର୍ବଦିନ ଶ୍ରୀଜଗନ୍ନାଥ ଓ ଶ୍ରୀବଲଭଦ୍ରଙ୍କ ମକର କୁଣ୍ଡଳ ଧlରଣ ସହ ଆୟୁଧ ଧାରଣ କରି ନବାଙ୍କ ବେଶ ତଥା ଝୁଲଣ ସମୟରେ ନୀତି ସମ୍ବନ୍ଧୀୟ ସ୍ୱତନ୍ତ୍ର ବେଶ ଗୁଡିକ ବିଶେଷ ଭlବରେ ଆଦୃତ ହୋଇଥାଏ। ଭାବଗ୍ରାହୀ ସେ ଭକ୍ତଙ୍କ ଭାବ ବୁଝି ନିଜେ ବେଶ ଧାରଣ କରନ୍ତି। ଆସନ୍ତୁ ସେହି ଭାବଗ୍ରାହୀଙ୍କୁ କରିବା ଆରାଧନା ଓ ନିତିଦିନ ପରି ଭାଗବତ ପଠନ।

“ଯେଣୁ ବିବେକ ବଳେ ପୁଣି
ଏ ଦେହେ ମୋତେ ପରିମାଣି ।
ଈଶ୍ୱର ଅଛି ସର୍ବ ଭୁତେ
ଏ ଅନୁମାନ କରେ ଚିତ୍ତେ ।
ଏବେ ହୋ କହିବା ବିଶ୍ୱାସେ
ଯେ ପୁରାତନ ଇତିହାସେ ।”

ଜୟ ଜଗନ୍ନାଥ ( ଦ. ତ୍ରି. ଉବାଚ )

Leave A Reply

Your email address will not be published.