Latest Odisha News

BREAKING NEWS

ମୁକ, ବଧିର ଭଳି ଅଭିନୟ କରି ଲୁଟ୍ କରୁଥିଲେ ତାମିଲନାଡୁର ତିନି ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଆନ୍ତରାଜ୍ଯ ଲୁଟେରା। ମୁକ, ବଧିରର ପରିଚୟ ଦେଇ ଲୋକଙ୍କ ସହାନୁଭୂତି ପାଉଛନ୍ତି। ଆଉ ଏହାପରେ କଳାକନା ବୁଲାଉଛନ୍ତି। ଏଭଳି ତିନି ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ତିନି ଅଭିଯୁକ୍ତ ତାମିଲନାଡୁର ଲୁଟେରା ବୋଲି ଜଣାପଡ଼ିଛି। ଏମାନଙ୍କ ବୟସ ୩୫ ରୁ ୫୦ ବର୍ଷ।

ଶେଷ ୩ ମାସ ଧରି ଭୁବନେଶ୍ୱର ଅଞ୍ଚଳରେ ବୁଲି ବୁଲି ଏମାନେ ଚୋରି କରୁଥିଲେ ବୋଲି ଜଣାପଡ଼ିଛି। ଚୋରି କରିବା ପୂର୍ବରୁ ପ୍ରଥମେ ଘରକୁ ଘର ବୁଲି ରେକି କରୁଥିଲେ, ଏହାପରେ ମୁକ ବଧିର ସାର୍ଟିଫିକେଟ ନେଇ ସକାଳୁ ସକାଳୁ ଘର ଭିତରେ ପଶି ଯାଉଥିଲେ। ପରେ ସକାଳୁ ଘରେ କେହି ନଥିବେ ବେଳେ କିମ୍ବା ଶୋଇଥିବା ବେଳେ ଚୋରି କରୁଥିଲେ।

ଯଦି କେହି ଦେଖୁଛନ୍ତି ମୁକ ବଧିର ସାର୍ଟିଫିକେଟ ଦେଖାଇ ଲୋକଙ୍କୁ ଭକୁଆ ବନେଇବାରେ ସକ୍ଷମ ହେଉଥିଲେ। ଗିରଫ ତିନି ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ କୌଣସି ମାମଲା ଦାୟର ହୋଇନଥିବାରୁ ଏମାନଙ୍କୁ ଧରିବା କଷ୍ଟକର ହୋଇପଡିଥିଲା। ଏମାନେ ଟୁଇନ ସିଟିରେ ଚୋରି କରିବା ପରେ ତାମିଲନାଡୁ ପଳାଉଥିଲେ।

ତେବେ କମିଶନରେଟ ପୋଲିସର ସ୍ପେଶାଲ ସ୍କାର୍ଡ ଟିମ୍ ଏହି ୩ ଲୁଟେରାଙ୍କୁ ଗିରଫ କରିଛି। ତଦନ୍ତ ବେଳେ ଜଣାପଡ଼ିଛି ଯେ ଭୁବନେଶ୍ୱର ଓ କଟକରେ ୧୨ଟି ସ୍ଥାନରେ ଏମାନେ ଚୋରି କରିଛନ୍ତି। ତାଙ୍କ ନିକଟରୁ ୪ଟି ଲାପଟପ, ୭ଟି ମୋବାଇଲ ଫୋନ, ଚାର୍ଜର ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଡିଭାଇସ ଜବତ ହୋଇଛି। ବିଭିନ୍ନ ହଷ୍ଟେଲ, ମେସ ଏବଂ ଘରେ ବୁଲି ଦେଖିବା ପରେ ଚୋରି କରିବାକୁ ଉଦ୍ୟମ କରୁଥିଲେ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

Leave A Reply

Your email address will not be published.