ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସେବକ ଏହି ବିଷୟରେ ଚିନ୍ତା କରିବା ମାତ୍ରେ ଆଖି ଆଗରେ ଉଦ୍ଭାସିତ ହୁଏ କିଛି ନିଷ୍ଠାବlନ, ନିରଳସ ଚେହେରା ; ଯେଉଁମାନେ ମହାପ୍ରଭୁଙ୍କ ସେବାକୁ ନିଜ ଜୀବନରେ ବ୍ରତ ଭାବେ ଗ୍ରହଣ କରିଥାନ୍ତି। ଆଜି ସେଭଳି ସେବକ ବା ସେବିକା ବିରଳ କିଛି ସେବା ମଧ୍ଯ ବନ୍ଦ ହୋଇଗଲାଣି। କାରଣ ସେଭଳି କଳା ନିପୁଣ ତଥା ନିଷ୍ଠାପର ସେବକ ଆଉ ନାହାନ୍ତି। ଏମାନଙ୍କୁ ଭିତର ଗାଆଣୀ ଦେବଦାସୀ ଭାବେ ଅଭିହିତ କାରାଯାଏ। ଦେବଦାସୀ ସେବିକା କେବଳ ପାଣିସ୍ପର୍ଶ ଜାତିର ହୋଇଥିବା ଆବଶ୍ୟକ। ନିୟମ ଅନୁସାରେ ଏମାନେ ଜୀବନ ସାରା ଅବିବାହିତ ରହିବେ। ବ୍ୟଭିଚାରଠାରୁ ଢ଼େର ଦୂରରେ ରହିବେ। କେବଳ ମହାପ୍ରଭୁଙ୍କ ପାଖରେ ନିଜର ମନ ପ୍ରାଣ ଅର୍ପଣ କରିବେ। ଯଦି ପରିବାର କରିବାର ଇଚ୍ଛା ଜନ୍ମେ ତେବେ ସେହି ପାଣି ସ୍ପର୍ଶ ଜାତିର କନ୍ୟା ସନ୍ତାନଙ୍କୁ ପାଳି ପାରିବେ। ଗାୟନ କଳା ଓ ନୃତ୍ୟ କଳାରେ ନିପୁଣା ହେବେ ।ଓ ଜୀବନ ତମାମ ଏହି କଳାର ଅଭ୍ୟାସ ଜାରି ରଖିବେ। ଏହି ସେବାଟି ଉପଯୁକ୍ତ ସେବିକା ଅଭାବରେ ବନ୍ଦ ହୋଇଛି। କିନ୍ତୁ ସେଵା ପ୍ରଚଳନ ଥିବା ସମୟରେ ଏମାନଙ୍କ ସେବା ଅତ୍ୟନ୍ତ ବିସ୍ତୃତ ଥିଲା ଯାହା ଆପଣ ମାନଙ୍କ ଅବଗତି ନିମନ୍ତେ ମୁଁ ଚେଷ୍ଟା କରୁଛି । ଦୈନିକ ସକାଳ ଧୂପ ପଟୁଆର ବେଳେ ଜଗମୋହନରେ ନୃତ୍ୟ କରୁଥାନ୍ତି, ସେହିଭଳି ଦିନଚାର୍ଯ୍ୟlର ଶେଷ ବେଶ ବଡ଼ ସିଂହାର ବେଶ ସମୟରେ କଳାହାଟ ଦ୍ୱାର ଠାରେ ଗୀତ ଗୋବିନ୍ଦ ଗାନ କରିଥାନ୍ତି । ଶୟନ ଠାକୁରଙ୍କ ବିଜେ ସମୟରେ ତାଙ୍କ ଆଗେ ଆଗେ ମଧୁର ପାରମ୍ପରିକ ସଂଗୀତ ଗାଇଥାନ୍ତି । ଜୟ ବିଜୟ ଦ୍ୱାରଠାରେ ଅଟକି ଶୟନ ଠାକୁର ପଲଙ୍କ ବିଜେ କରିବା ପର୍ଯ୍ୟନ୍ତ ଗୀତ ଗାଉଥାନ୍ତି । ଏଭଳି ବର୍ଣ୍ଣନା କରୁଥିଲେ ସରିବନି । ତେଣୁ ଏହି ସେବା ବନ୍ଦ ହୋଇଥିଲେ ମଧ୍ଯ ଆଗାମୀ ଅଧ୍ୟାୟରେ ଆମେ ଜାଣିବା ନିର୍ଦ୍ଧିଷ୍ଟ ପର୍ବ ପର୍ବାଣୀ ଓ ଯାନୀଯାତ୍ରାରେ ଏମାନଙ୍କ ନିର୍ଦ୍ଧିଷ୍ଟ ଭୂମିକା କଣ? ଆଜି ସମୟ ଆରାଧନା ଓ ଭାଗବତ ପଠନର ।
ତପ ଆଚରି ଶମ ଦମେ
ପ୍ରାଣ ସଂଯମୀ ମହା ଶ୍ରମେ ।
ଭଜନ୍ତି ସେ ହରି ଚରଣେ
ନିଗମ ଧର୍ମ ଆଚରଣେ ।
ବୈକୁଣ୍ଠ ସୁପର୍ଣ୍ଣ ଲକ୍ଷଣ
ଧର୍ମ ସ୍ୱରୂପ ନାରାୟଣ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )