ନୂଆଦିଲ୍ଲୀ: ମାତ୍ର ୧୫ ବର୍ଷ ବୟସରେ ବୈଭବ ସୂର୍ଯ୍ୟବଂଶୀ ନିଜ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ ବଳରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । ଏବେ ତାଙ୍କୁ ଭାରତୀୟ ଟିମରେ ସାମିଲ କରାଯାଇଛି । ବୈଭବ ଏ ନେଇ ବେଶ ଉତ୍ସାହିତ ଅଛନ୍ତି । ମୋତେ ମିଳିଥିବା ସୁଯୋଗକୁ କେବେ ହେଲେ ହାତଛଡା କରିବି ନାହିଁ । ୧୦ରୁ ୨୦ ବର୍ଷ ମୁଁ ବିଶ୍ୱ କ୍ରିକେଟରେ ରାଜୁତି କରିବାକୁ ଚାହିଁବି । ୬ ଜୁନରେ ବିସିସିଆଇ ଚୟନ କମିଟି ଭିନ୍ନ ଭିନ୍ନ ସିରିଜ ପାଇଁ ଦଳ ଘୋଷଣା କରିଛି । ଶ୍ରେୟାଶ ଆୟାର ଟି୨୦ ଅଧିନାୟକ ହୋଇଥିବା ବେଳେ ବୈଭବଙ୍କୁ ସୁଯୋଗ ମିଳିବା ସବୁଠାରୁ ଅଧିକ ଚର୍ଚ୍ଚାର କାରଣ ସାଜିଛି । ବହୁତ ରନ କରିବାକୁ ଅଛି । ଅଳ୍ପକେ ସନ୍ତୁଷ୍ଟ ନ ହୋଇ ଆଗକୁ ବଢ଼ିବାକୁ ହେବ ବୋଲି ବୈଭବ କହିଛନ୍ତି ।
ସଚିନ ୧୬ ବର୍ଷ ବୟସରେ ଯେପରି ରାଜୁତି କରିଥିଲେ ୧୫ ବର୍ଷୀୟ ବୈଭବ ମଧ୍ୟ ପରୋକ୍ଷରେ ଏହା ଚାହୁଁଥିବା ତାଙ୍କ କଥାରୁ ଜଣାପଡୁଛି । ଟି୨୦ ଖେଳାଳି ଭାବେ ନିଜକୁ ସୀମିତ କରିବାକୁ ଚାହୁଁନି । ମୁଁ କ୍ରିକେଟର ୩ଟି ଫର୍ମାଟରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଚାହୁଁଛି । ପରିସ୍ଥିତି ଅନୁସାରେ ବ୍ୟାଟିଂ କରିବା ସହ ଦଳକୁ ବିଜୟୀ କରାଇବା ମୋର ପ୍ରାଥମିକତା ରହିବ । ବିରାଟ କୋହଲିଙ୍କ ପରି ମହାନ ଖେଳାଳି ମୋତେ ପ୍ରଶଂସା କରିବା ମୋ ମନୋବଳ ବୃଦ୍ଧି କରିଛି ବୋଲି ସୂର୍ଯ୍ୟବଂଶୀ କହିଛନ୍ତି ।