Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନିତ୍ୟ -ବିଧି ଚାଲିଛି । ଏଥିରେ ଆମେ ସକାଳ ଧୂପ କଥା ଆଲୋଚନା କରି ସାରିବା ପରେ ଏବେ ତା ପରବର୍ତ୍ତୀ ବିଧିଗୁଡିକ ଆଲୋଚନା କରିବା । ଯଥା :- ମଇଲମ ଓ ଭୋଗମଣ୍ଡପ। ପ୍ରଥମେ ଠାକୁରମାନେ ମଇଲମ (ପିନ୍ଧି ଥିବା ସମସ୍ତ ବସ୍ତ୍ର ଓ ପୁଷ୍ପ ଅଳଙ୍କାର ଇତ୍ୟାଦି ଓଲାଗି )ହୋଇ ପୁଣି ନୂତନ ବସ୍ତ୍ର, ପୁଷ୍ପ ଇତ୍ୟାଦି ପରିଧାନ କରନ୍ତି। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଏହି କାର୍ଯ୍ୟକ୍ରମର ସମୟ ନିର୍ଘଣ୍ଟ ହେଲା ଦିବା ୧୧ ଘଣ୍ଟା ଏହି ବେଶ ପରେ ଗରୁଡ଼ ଖୁମ୍ବ ପଛରେ ଥିବା ଭୋଗ ମଣ୍ଡପ ଘରେ ଭୋଗ ମଣ୍ଡପ ଭୋଗ ପୂଜା ହୋଇଥାଏ। ଏହି ଭୋଗ ପ୍ରସ୍ତୁତିରେ ଯାହା ଦ୍ରବ୍ୟ ଲାଗେ ବା ଏଥିରେ ଯାହା ଖର୍ଚ୍ଚ ହୁଏ ତାହା ମନ୍ଦିର ପ୍ରଶାସନ ବହନ କରନ୍ତି ନାହିଁ। ଏଠାରେ ମଠବାଡ଼ିମାନଙ୍କର ଭୋଗ ଓ ଭୋଗ ବିକ୍ରୀ କରୁଥିବା ସେବକମାନଙ୍କ ଭୋଗ ତଥା ସର୍ବ ସାଧାରଣଙ୍କ ବରାଦିଆ ଭୋଗ ପ୍ରସ୍ତୁତ ହୋଇ ଭୋଗ ମଣ୍ଡପରେ ଜମା ହୁଏ। ଏଠାରେ ପ୍ରତିଦିନ କିଛି ନିର୍ଦ୍ଧିଷ୍ଟ ପରିମାଣ ଭୋଗ ପ୍ରସ୍ତୁତ ହୋଇ ନଥାଏ। ଯାତ୍ରୀ ସଂଖ୍ୟା, ଓ ବରାଦ ଅନୁଯାୟୀ ପରିମାଣ ନିର୍ଧାରିତ ହୋଇଥାଏ। ବିଶେଷତଃ ଅନ୍ନ, ମିଠା ଡାଲି, ଡାଳେମା ବିଭିନ୍ନ ତରକାରୀ, ଶାଗ ସହ ଖଟା ଓ ପିଠା ଭୋଗ ପ୍ରସ୍ତୁତ ହୋଇଥାଏ। ମଠ ସୁଆର ଓ ସର୍ବ ସାଧାରଣଙ୍କ ବରାଦ ମୁତାବକ ଏହି ଭୋଗ ମଣ୍ଡପ ଭୋଗର ତାଲିକା ହୋଇଥାଏ। ଆଗରୁ ଜାଣିଲେ ଯେ ଶ୍ରୀମନ୍ଦିର ପରିଚାଳନା ସଂସ୍ଥା ଏହି ଭୋଗର କୌଣସି ଅଂଶ ପାଇଁ ମଧ୍ୟ କୌଣସି ବ୍ୟୟ କରେନାହିଁ। ଆଗାମୀ ଅଧ୍ୟାୟରେ ଏହି ଭୋଗ ମଣ୍ଡପରେ କିପରି ଭୋଗ ହୁଏ ଓ କେଉଁ କେଉଁ ସେବକ ଏଥିରେ ସାମିଲ ହୁଅନ୍ତି, ତାହା ଆଲୋଚନା କରିବା।

ସକଳ କର୍ମ ସେ କରଇ
ବିଧି ନିଷେଧ ତାର ନାହିଁ ।
ବାଳକ ବାଳିକା ସଙ୍ଗତେ
ଅଜ୍ଞାନେ ଖେଳନ୍ତି ଯେମନ୍ତେ ।
ବାଳ ସ୍ଵଭାବେ ଗୁଣ ବହି
ସଙ୍ଗ ଅସଙ୍ଗ ନ ଜlଣାଇ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.