Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

 

ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଙ୍କ ନିତ୍ୟ -ବିଧିକୁ ଉପସ୍ଥାପନା କଲା ବେଳେ ଲାଗୁଛି ଆମେ କେଉଁ ରାଜାଧିରାଜ ମଣିଷ ମାନଙ୍କ ଦୈନଦିନ କର୍ମଗୁଡିକ ହିଁ ଆଲୋଚନା କରୁଛେ । ସବୁତ ଠିକ ମଣିଷ ପରି ଚାଲିଛି । କିନ୍ତୁ ଏକ ନିଆରା ଢଙ୍ଗରେ ସେଥିପାଇଁ ଶାସ୍ତ୍ର କହେ । ପଣ୍ଡିତମାନେ କହନ୍ତି “ପ୍ରଭୁଙ୍କର ଏ ମାନବୀୟ ଲୀଳା “ଅବା “ଲୋକବତ ତୁ ଲୀଳା କୈବଲ୍ୟମ ” । କିନ୍ତୁ ଆଜି ଯେଉଁ ନିତ୍ୟ -ବିଧିଟି ଆଲୋଚନା କରିବା ସେଠାରେ ଏହି ଉକ୍ତି ଆଂଶିକ ଭାବରେ ଲାଗୁହୁଏ । କାରଣ ଆମେ ଆଜି ଜାଣିବା ମଧ୍ୟlନ୍ନ ପହୁଡ଼ ବିଷୟରେ ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ଅପରାହ୍ନ ପ୍ରାୟ ୧ ଘଣ୍ଟା ରୁ ୧ .୩୦ ମିନିଟ ପର୍ଯ୍ୟନ୍ତ ଏହାର ସମୟ ନିର୍ଦ୍ଧାରିତ ହୋଇଛି । ଏହାକୁ କେହି କେହି ଦିବା ପହୁଡ଼ ବୋଲି କହିଥାନ୍ତି । ସାଧାରଣ ଭାଷାରେ କହିଲେ ଦିନରେ ଶୋଇବା (ପହୁଡ଼ ) କେବଳ ବୃଦ୍ଧ ବୃଦ୍ଧା, ରୋଗୀ ଇତ୍ୟାଦିଙ୍କୁ ଦିନ ବେଳା ଶୋଇବା ପାଇଁ ଅନୁମତି ଥାଏ । ନଚେତ ଏହାକୁ ଏକ କୁଅଭ୍ୟାସ ରୂପେ ମଣିଷ ପରିଗଣିତ କରେ । ତେଣୁ ଆମ ଠାକୁର କିପରି ଏହା ପାଳନ କରିବେ । ଏହି ନୀତି ହେବାର ନିୟମ ଥିଲେ ବି ଅଧିକାଂଶ ଦିନ ଏହା ଅନୁଷ୍ଠିତ ହୁଏ ନାହିଁ । ବର୍ଷ ଭିତରେ କେବଳ କାର୍ତ୍ତିକ ମାସ ଓ ଧନୁ ମାସ ଅବା ପହିଲି ଭୋଗ ଲାଗୁଥିବା ମାସରେ ଅଳ୍ପ କିଛିଦିନ ଏହି ନୀତି ପାଳିତ ହୋଇଥାଏ । ଅନ୍ୟ ଦିନମାନଙ୍କରେ ଯଥା ସମୟରେ ନୀତି ସମ୍ପନ୍ନ ହୋଇ ନପାରିଲେ ତଥା ପର୍ବପର୍ବାଣୀ ଦିନମାନଙ୍କରେ କିଛି ଅଧିକା ନୀତି ଓ ପୂଜା ବିଧି ହେବା ଫଳରେ ଏହି ଦିବା ପହୁଡ଼ ନୀତି ହୋଇପାରେ ନାହିଁ । ଯଦି ଦିବା ପହୁଡ଼ ହୁଏ ତେବେ ଜୟବିଜୟ ଦ୍ୱାର ବନ୍ଦ ହୁଏ । କଳାହାଟ ଦ୍ୱାର, ଓ ବେହରଣ ଦ୍ୱାର ମଧ୍ଯ ବନ୍ଦ ହୋଇଥାଏ. ମଧ୍ୟାହ୍ନ ଭୋଗ ପରେ ପରେ ପୂଜା ସ୍ଥାନ ପରିସ୍କାର କରାଯାଇ ଠାକୁରମାନଙ୍କର ମଇଲମ ଓ ବେଶ ହୋଇଥାଏ । ଏହାପରେ ପଲଙ୍କ ବିଜେ ହୋଇ ପହୁଡ଼ ଆଳତି ଜରାଯାଏ । ଭିତରେ ଜଳୁଥିବା ବଇଠା ଓଲ୍ଲାହି ବିଡ଼ିଆ ଲାଗି ହୁଏ । ଏହା ମୋଟା ମୋଟି ଭାବରେ ଦିବା ପହୁଡ଼ କାର୍ଯ୍ୟକ୍ରମ, ଆଗାମୀ ଅଧ୍ୟାୟ ରେ ଜାଣିବା ସନ୍ଧ୍ୟା ଆଳତି ନୀତି କଥା କିନ୍ତୁ ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ସବୁଦିନ ପରି ।

ଯେ ପ୍ରାଣୀ ଅକିଞ୍ଚନ ମତ
ଶମ ସୁଶାନ୍ତ ଦାନ୍ତଚିତ୍ତ ।
ମୋର ଆନନ୍ଦ ରସେ ରସେ
ସୁଖ ସମୁଦ୍ରେ ନିତ୍ୟେ ଭାସେ ।
ମୁଁ ଯାକୁ ହୁଅଇ ସଦୟ
ତାହାର କାହିଁ ଦୁଃଖ ଭୟ ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.