ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଲିଖିତ ପାଠ ପ୍ରସାରିତ
ହେଲେ ହିଁ ସାହିତ୍ୟର ହିତ
ହୋଇଲେ ସାହିତ୍ୟ-ରହିତ
ଭାଷାଟେ ନୁହେ ସୁରକ୍ଷିତ
କେବଳ କଥାବାର୍ତା ବଳେ
ଭାଷାଟେ ଧ୍ବନି ହୋଇ ଚଳେ
ଧ୍ବନି ଯେହେତୁ କ୍ଷୀଣଜୀବୀ
ଭାଷାଟେ ହୁଏନି ପ୍ରଭାବୀ
ସକଳ ପ୍ରକାର ଭାବନା
କଥାରେ କରି ସଂରଚନା
କହିବା ଭଳି ଜଣେ ବ୍ୟକ୍ତି
ଖୋଜିଲେ ସୁଦ୍ଧା ନ ମିଳଂତି
ଲେଖାରେ ଜ୍ଞାନ ସଂଚୟନ
ପ୍ରଥା ତ ଅଟେ ସୁପ୍ରାଚୀନ
ଏ ରୀତି କରିଲେ ପାଳନ
ଭାଷା ହୁଏନି କେବେ ମ୍ଳାନ
ଲୋକଂକ କୁଂଠା ଓ ବିରାଗ
ଯୋଗୁଁ ଏ ଭାଷାରେ ସରାଗ
ଯେହେତୁ ପାରୁନାହିଁ ବଢ଼ି
ଭାଷା ରହିଛି ତଳେ ପଡ଼ି
ଭାଷାର ପୁନରଭ୍ୟୁତ୍ଥାନ
ନିମଂତେ ଲଗାଇଲେ ମନ
ଭାଷାକୁ ମିଳେ ଜ୍ଞାନ-ରତ୍ନ
ନିଶ୍ଚୟ ହୁଏ ଶ୍ରୀସଂପନ୍ନ
ପିଲା, ବୁଢ଼ା ଓ ନର, ନାରୀ
ସ୍ବଭାଷା ବ୍ୟବହାର କରି
ହୁଅଂତି ଜ୍ଞାନୀ ଓ ସଂସାରୀ
ଭାଷା ତ ଅଟଇ ସବୁରି
ଭାଷାକୁ କରିବା ଉନ୍ନତ
ଯେହେତୁ ଲୋକଂକ ଦାୟିତ୍ୱ
ତାହାକୁ କରିଲେ ପାଳନ
ଭାଷାଟେ ହୁଏନି ମଳିନ
ବ୍ୟକ୍ତି ବା ଗୋଷ୍ଠୀ ଓ ସମୂହ
ବଂଚିଲେ ନିଜ ଭାଷା ସହ
ଭାଷା ବି ରହିଥାଏ ବଂଚି
ଅନୁଭୂତି ଓ ଜ୍ଞାନ ସଂଚି