Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପଣା ଭୋଗର ପ୍ରକାର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପଣା ଭୋଗର ଆଲୋଚନା କରିବା ଅବସରରେ ଆମେ ଜାଣିଲେ ସାଧାରଣତଃ ତିନି ପ୍ରକାର ପଣା ଭୋଗ ଲାଗି ହୋଇଥାଏ। ଯଥା ଦୈନଦିନ ପଣା ଭୋଗ, ଅଣସର ପଣା ଭୋଗ ଓ ଅଧର ପଣା ଭୋଗ। ଦୈନଦିନ ପଣା ଭୋଗ :- ପ୍ରତ୍ୟେକ ଦିନ ଅର୍ପଣ ହେଉଥିବା ପ୍ରାୟ ୬୦ ପ୍ରକାର ଭୋଗ ସାମଗ୍ରୀ ମଧ୍ୟରେ ପଣା ଭୋଗ ଅନ୍ୟତମ। ଏହା ବିନା ଭୋଗ ପଦାର୍ଥର ତାଲିକା ସମ୍ପୂର୍ଣ୍ଣ ହୁଏ ନାହିଁ। ଦୈନିକ ମଧ୍ୟାହ୍ନ ଧୂପ ପରେ ପାଞ୍ଚ ଓଳି ପଣା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଅର୍ପିତ ହୋଇଥାଏ। ଗନ୍ଧଣ ନିକାପ ସରଘରେ ପାଳିଆ ମହାସୁଆର, କ୍ଷୀର, କଦଳୀ, ନବାତ (ଖଣ୍ଡ ), କର୍ପୁର ଇତ୍ୟାଦି ବିବିଧ ସାମଗ୍ରୀମାନଙ୍କ ଦ୍ୱାରା ଏହି ପଣା ପ୍ରସ୍ତୁତ କରନ୍ତି। ଏହି ପାଞ୍ଚ ଓଳି ପଣାରୁ ଶ୍ରୀବଳଭଦ୍ରଙ୍କ ପନ୍ତିରେ ଏକ ଓଳି, ମା ସୁଭଦ୍ରାଙ୍କ ପନ୍ତିରେ ଏକ ଓଳି, ଶ୍ରୀଜଗନ୍ନାଥଙ୍କ ପନ୍ତିରେ ଦୁଇ ଓଳି, ତଥା ଶ୍ରୀସୁଦର୍ଶନଙ୍କ ପନ୍ତିରେ ଏକ ଓଳି ପଣା ନୈବେଦ୍ୟ ହୋଇଥାଏ। କିନ୍ତୁ ବର୍ଷ ମଧ୍ୟରେ ପଡୁଥିବା କିଛି ପର୍ବ ପର୍ବାଣୀରେ ଏହି ପଣାର ପରିମାଣ ବଦଳି ଥାଏ। ଯଥା ପଣା ସଂକ୍ରାନ୍ତି ରେ ୩୧ (ଏକତିରିଶି ) ଓଳି, ଚନ୍ଦନଯାତ୍ରା ୪୨ ଦିନ ଯାକ ଅର୍ଥାତ ବାହାର ଚନ୍ଦନ ୨୧ ଦିନ ଓ ଭିତର ଚନ୍ଦନ ୨୧ ଦିନ, ପ୍ରତିଦିନ ଚାରି ବାଡ଼ରେ (ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ ଶ୍ରୀସୁଦର୍ଶନ ) ୧୯ ଓଳି ପଣା ସମର୍ପିତ ହୋଇଥାଏ। ଦୋଳ ପୁର୍ଣିମା ଦିନ ୯(ନଅ )ଓଳି, ମକର ସଂକ୍ରାନ୍ତି ଦିନ ୮(ଆଠ )ଓଳି ପୁଷ୍ୟାଭିଷେକ ଦିନ ୪(ଚାରି )ଓଳି ତଥା ଅଣସର ସମୟରେ ପ୍ରତିଦିନ ୧୪(ଚଉଦ )ସାନ ଓଳି ଓ ୧୪ ବଡ଼ ଓଳି ଏହିପରି ସମୁଦାୟ ୨୮ (ଅଠେଇଶ )ଓଳି ପଣା ପ୍ରସ୍ତୁତ ହୋଇ ସମର୍ପିତ ହୋଇଥାଏ। ଏହି ଅଣସର ସମୟରେ ଦଇତାପତି ସେବକମାନଙ୍କ ଦ୍ୱାରା ସର ପଣା ଓ ଦଇତାପତି ନିଯୋଗ ଦ୍ୱାରା ପ୍ରସ୍ତୁତ ଡାକ ପଣା ବିଷୟରେ ଆଗାମୀ ଅଧ୍ୟାୟରେ ବିଷଦ ଆଲୋଚନା କରିବା। ବର୍ତ୍ତମାନ କରିବା ଆରାଧନା ଓ ନିୟମିତ ଭାଗବତ ପଠନ।

ଯେ ପ୍ରାଣୀ ପରଦୁଃଖୀ
ପର ସୁଖରେ ଅତି ସୁଖୀ ।
ଅବ୍ୟୟ ଅକ୍ଷୟ ଏ ଧର୍ମ
କହନ୍ତି ପୁଣ୍ୟ ଶ୍ଳୋକ ଜନ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.