Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ବିଧି ଓ ମନ୍ତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ନୀତି ଓ ପୂଜା ବିଧି ଆଲୋଚନା ଭିତରେ ଆମେ ପ୍ରଥମେ ଦ୍ୱାରଫିଟା ନୀତି ଆଲୋଚନା କରିବା। ଅବଶ୍ୟ ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ନୀତି କାନ୍ତି ବିଷୟରେ ସମ୍ୟକ ଆଲୋଚନା କରିଛେ। ଏବେ ତେଣୁ ଏହି ନୀତି ସହିତ ଜଡ଼ିତ ବିଶେଷ ବିଧି ଓ ମନ୍ତ୍ର ବିଷୟରେ ଆଲୋଚନା ଜାରିରହିବ। ଶ୍ରୀମନ୍ଦିରରେ ପ୍ରଚଳିତ ଅବା ପାଳିତ ହେଉଥିବା ଦୈନନ୍ଦିନ ନୀତି ମଧ୍ୟରେ “ଦ୍ୱାରଫିଟା ନୀତି “ହେଉଛି ସର୍ବ ପ୍ରଥମ ନୀତି। ପ୍ରଚଳିତ ପ୍ରଥା ବା ନିୟମ ପ୍ରକାରେ ସୂର୍ଯ୍ୟଉଦୟ ପୂର୍ବରୁ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ହେବା ଆବଶ୍ୟକ। ଅତ୍ୟନ୍ତ ପ୍ରତ୍ୟୁଷରୁ ଶ୍ରୀମନ୍ଦିରର ଦ୍ୱାରଫିଟା ସମୟରେ ସାଧାରଣତଃ ବେଦ ପାଠ, ଶ୍ରୀବିଷ୍ଣୁ ସହସ୍ର ନାମ, ଜୟଦେବ ବିରଚିତ ଶ୍ରୀଗୀତଗୋବିନ୍ଦସହ ଭଗବାନ ବିଷ୍ଣୁଙ୍କ ବିଭିନ୍ନ ସ୍ତୋତ୍ର, ଜଣାଣ ଇତ୍ୟାଦି ଭକ୍ତ, ଆଚାର୍ଯ୍ୟ, ସେବକ ଓ ଉପସ୍ଥିତ ପଣ୍ଡିତ ମଣ୍ଡଳୀ ଦ୍ୱାରା ଗାନ କାରାଯାଏ। ସମୟ ସମୟରେ ଡାକବାଜି ଯନ୍ତ୍ର ଦ୍ୱାରା ଅତ୍ୟନ୍ତ ନିମ୍ନ ସ୍ୱରରେ ଶ୍ରୀମନ୍ଦିର ସମ୍ମୁଖରେ ଯଥା ସିଂହଦ୍ୱାରରେ ପରିବେଷଣ କାରାଯାଏ। ଏହି ସମୟରେ ଏହି ବିଧି ସହିତ ଜଡ଼ିତ ସମସ୍ତ କର୍ମଚାରୀ ତଥା ସେବକ ଓ ଅର୍ଚ୍ଚକମାନେ ସ୍ନାନ ଶୌଚ ଆଦି ସମସ୍ତ ଶୁଦ୍ଧି କ୍ରିୟା ସମ୍ପନ୍ନ କରି ପବିତ୍ରତା ସହିତ ନିଜ ନିଜ ନିର୍ଦ୍ଧାରିତ କର୍ମ ସମ୍ପାଦନ କରିବେ। ପୂଜକ /ସେବକମାନେ ମଠା, ପାଟ ବସ୍ତ୍ର, ମୁକୁଟ ଇତ୍ୟାଦି ପରିଧାନ କରିବେ ଅତିକମରେ ସଫା ଧୋତି ଓ ଚାଦର ଇତ୍ୟାଦି ପରିଧାନ କରିବା ବିଧେୟ। ମୁଣ୍ଡରେ ଚନ୍ଦନ, ଗଳାରେ ତୁଳସୀ ମାଳ ଓ ଚନ୍ଦନ ଉପରେ ଉର୍ଦ୍ଧ୍ଵପୁଣ୍ଡ ତିଳକ ଧାରଣ ସହ, ଅନାମିଜା ଅଙ୍ଗୁଷ୍ଟିରେ ସୁନା, ରୁପା କିମ୍ବା ତମ୍ବା ମୁଦି ଧlରଣ କରିବା ବିଧେୟ। ଏସବୁର ମୂଖ୍ୟ ଉଦ୍ଦେଶ୍ୟ ହେଲା ସେବକ /ପୂଜକମାନଙ୍କ ଶୁଦ୍ଧପୁତ ଥିବାର ପ୍ରମାଣ। ଏହି ଅବସ୍ଥାରେ ଉପସ୍ଥିତ ହୋଇ ସିଂହ ଦ୍ୱାର ସାମ୍ନାରେ ଶ୍ରୀ ସୁଦର୍ଶନଙ୍କ ଉଦ୍ଦେଶ୍ୟରେ “ଓଁ ହ୍ର ସୁଦର୍ଶନାୟ ଅସ୍ତ୍ରlୟ ଫଟ “ଏହି ମନ୍ତ୍ର ତିନି ଥର ଉଚ୍ଚାରଣ କରି ତିନି ଗୋଟି ତାଳି ମାରିବେ। ତା’ପରେ ପ୍ରାର୍ଥନା କରିବେ ଶ୍ରୀ ସୁଦର୍ଶନଙ୍କୁ। “ଓଁ ସୁଦର୍ଶନ ମହାବାହୋ ବିଷ୍ଣୁ ଦ୍ୱାର ସୁରକ୍ଷକ, କପାଟୋଉନ୍ମୋଚନଂ କାର୍ଯ୍ୟଂ ଦେବାନ ବୈ ପୂଜୟାମ୍ୟହମ ଆଗାମୀ ଅଧ୍ୟାୟରେ ଜାଣିବା ୟା ପରବର୍ତ୍ତୀ କାର୍ଯ୍ୟକ୍ରମ। ବର୍ତ୍ତମlନ ସମୟ ଆରାଧନା ଓ ଭାଗବତ ପଠନ।

ରଜ ତମ କୁ ସତ୍ୱ ଗୁଣେ
ସତ୍ୱକୁ ଉପଶମେ ଜିଣେ।
ଗୁରୁ ସେବନେ ସର୍ବ ଦୁଃଖେ
ପ୍ରାଣୀ ତରନ୍ତି ଆତ୍ମା ସୁଖେ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.