ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦୈନନ୍ଦିନ ନୀତି ଭିତରେ ଦ୍ଵିତୀୟ ନୀତି ହେଲା “ମଙ୍ଗଳ ଆଳତି “. ଏହି ବିଷୟରେ ଅନେକ ଆଲୋଚନା କଲେ, ତଥାପି ମଙ୍ଗଳ ଆଳତି ବେଳର ଆଉ ଏକ ମନ୍ତ୍ର ଜାଣିବା ।
“ଓଁ ଇଦଂ ଗୁଁ ହବି ପ୍ରଜନନଂ ମେ ଅସ୍ତୁ ଦଶବୀର ଗୁଁ, ସର୍ବଗଣ ଗୁଁ ସ୍ୱସ୍ତୟେ ଆତ୍ମସନି, ପ୍ରଜାସନି, ପଶୁସନି ଲୋକା ସନ୍ୟଭୟସନି, ଅଗ୍ନି ପ୍ରଜାଂ ବହୁଳାଂ ମେ କରୋତ୍ବନ୍ନଂ ପୟୋ ରେତୋ ଅସ୍ମାସୁ ଧର ।”
ଏହା ବୈଦିକ ଆଳତି ମନ୍ତ୍ର ଏହା ପାଠ କରିବା ଲାଭ ଦାୟକ ପାଠ ନକଲେ କୌଣସି କ୍ଷତି ନାହିଁ। ଦୈନନ୍ଦିନ ସେବାର ପରବର୍ତ୍ତୀ ପର୍ଯାୟ ହେଲା ମଇଲମ ଓ ତଡପ ଲାଗି। ଏହି ମଇଲମ ଶବ୍ଦଟି ଶ୍ରୀମନ୍ଦିରରେ ଏକ ବହୁଳ ପ୍ରସାରିତ ଶବ୍ଦ। କିନ୍ତୁ ସାଧାରଣ ଭକ୍ତମାନେ ଏହାର ସଠିକ ଅର୍ଥ ଜାଣି ପାରନ୍ତି ନାହିଁ। କିନ୍ତୁ ଏହାର ସଠିକ ଅର୍ଥ ହେଲା ପୂର୍ବରୁ (ରାତ୍ରିରୁ ) ପିନ୍ଧିଥିବା ବା ଶ୍ରୀଜୀଉମାନେ ଧାରଣ କରିଥିବା ସମସ୍ତ ପୁଷ୍ପଅଳଙ୍କାର, ମାଳା ସହ ବସ୍ତ୍ର ଇତ୍ୟାଦିକୁ ଓଲାଗି କରିବା ଅଥବା ଶ୍ରୀବିଗ୍ରହମାନଙ୍କ ଶରୀରରୁ କାଢିନେବା। ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ଏହି ବିଷୟରେ ବିଷଦ ବ୍ୟାଖ୍ୟା ଦିଆଯାଇଛି। କୁହାଯାଇଛି ଯଦି ସୂର୍ଯ୍ୟ ଉଦୟ ପରେ ବାସି ଫୁଲ ଓ ବସ୍ତ୍ର ଶ୍ରୀଅଙ୍ଗରେ ରହେ ତେବେ ତାହା କଣ୍ଟା ସଦୃଶ୍ୟ ଶ୍ରୀଅଙ୍ଗକୁ ଲାଗିଥାଏ। ତେଣୁ ମଙ୍ଗଳ ଆକଟି ପରେ ପରେ ପୂଜକ /ଅର୍ଚ୍ଚକ /ଆଚାର୍ଯ୍ୟ /ସେବକମାନେ ସଙ୍ଗେ ସଙ୍ଗେ ରତ୍ନସିଂହାସନକୁ ମୁଣ୍ଡିଆ ମାରି ପ୍ରଭୁଙ୍କର ଆଜ୍ଞା ନେଇ ଶ୍ରୀଅଙ୍ଗ ମାନଙ୍କରୁ ସମସ୍ତ ବାସି ଫୁଲ ଓ ବସ୍ତ୍ର କାଢ଼ି ଏକ ବାଉଁଶ ତାଟରେ ରଖିବେ। ଏହା ହିଁ ମଇଲମ କ୍ରିୟା ଭାବରେ ପରିଗଣିତ ହୁଏ। ଶ୍ରୀଜୀଉମାନେ ଏହାପରେ ସ୍ନାନ ପାଇଁ ପ୍ରସ୍ତୁତ ହେଉଥିବାରୁ ଶ୍ରୀବିଗ୍ରହରେ ତଡପ ଲାଗି କରିବେ। ଏଠାରେ ତଡପ ଶବ୍ଦର ସଠିକ ଅର୍ଥ ହେଲା ଏକ ଗାମୁଛା ଜାତୀୟ ସୁତା ବସ୍ତ୍ର। ଏହି ବସ୍ତ୍ରକୁ ଶ୍ରୀବିଗ୍ରହମାନଙ୍କୁ ପିନ୍ଧାଇବା ବାସ୍ତବରେ ଶ୍ରୀମନ୍ଦିର ପରିଭାଷାରେ ତଡପଲାଗି ବୋଲି କୁହାଯାଇଥାଏ। ମଇଲମ ଓ ତଡପ ଲାଗି ଏକ ସମୟରେ ହେଉଥିବାରୁ ଏହାକୁ ଗୋଟିଏ ନୀତି ପର୍ଯାୟରେ ରଖାଯାଇଛି। ଶ୍ରୀଜୀଉମାନଙ୍କ ଅବକାଶ ନୀତି କଥା ଆଲୋଚନା କରିବା ଆଗାମୀ ଅଧ୍ୟାୟରେ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ ।
ପ୍ରାଣୀ ଜୀବନ ରକ୍ଷା କଲେ
ଆପଣେ ରକ୍ଷା ପାଇ ଭଲେ।
କ୍ଷମା ଯାହାର ହୃଦେ ରହେ
ବିଷ୍ଣୁ ବସନ୍ତି ତାର ଦେହେ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.