Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ସ୍ନାନ ମନ୍ତ୍ର

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ।  ଓଁ ନମୋ ଭାଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅବକାଶ ନୀତି ଶେଷ ପର୍ଯ୍ଯାୟରେ ଦର୍ପଣ ଉପରେ ପଡ଼ିଥିବା ପ୍ରତିବିମ୍ବକୁ ଚନ୍ଦନ ଲେପନ କରିବେ ଓ ମନ୍ତ୍ର ଗାଇବେ “ଗନ୍ଧ ଦ୍ୱାରାଂ ଦୁରାଧର୍ଷାଂ ନିତ୍ୟପୁଷ୍ଟାଂ
କରୀଷିଣୀମ୍, ଈଶ୍ୱରୀଂ ସର୍ବଭୁତାନାଂ ତାମିହୋପହ୍ୱୟେ ଶ୍ରିୟମ ।।”

ଏହାପରେ ନିମ୍ନ ମନ୍ତ୍ର ପଢି ଶ୍ରୀଜୀଉମାନଙ୍କୁ ପୁଷ୍ପାଞ୍ଜଳୀ ଦେବ।

“ଓଁ ସମସ୍ତ ଚକ୍ରଚକ୍ରେଶ ସର୍ବତୃପିକରଂ ପରମ। ଅଖଣ୍ଡlନନ୍ଦ ସମ୍ପୂର୍ଣଂ ଗୃହlଣ ଜଳ ମୁତ୍ତମମ୍ ।

ଶ୍ରୀଜୀଉମାନଙ୍କ ଜଳ ସ୍ନାନ ସମୟରେ ସମୁଦ୍ର ଜ୍ୟେଷ୍ଠା ମନ୍ତ୍ର ଓ ପୁରୁଷସୂକ୍ତ ମନ୍ତ୍ର ମଧ୍ୟ ବୋଲା ଯାଇପାରିବ। ସମୁଦ୍ର ଜ୍ୟେଷ୍ଠା ମନ୍ତ୍ରଟି ଋଗବେଦ -ସପ୍ତମ ମଣ୍ଡଳ ୪୯ ସୂକ୍ତରେ ଅଛି। ପୁରୁଷସୂକ୍ତ ମନ୍ତ୍ରଟି କାଣ୍ଵ ସଂହିତା ୩୫ /୧/୨୨ ଶ୍ଳୋକ ମଧ୍ୟରେ ଅଛି। ଏହି ଜଳ ସ୍ନାନ ପରେ ଅର୍ଚ୍ଚକ /ପୂଜକ ମୂଳ ମନ୍ତ୍ର ଉଚ୍ଚାରଣ କରି ଶ୍ରୀବିଗ୍ରହମାନଙ୍କ ରୁପକୁ ମନରେ ସ୍ମରଣ କରି ପବିତ୍ର ସୁକ୍ଷ୍ମ ବସ୍ତ୍ର ଦ୍ୱାରା ମାନସରେ ପ୍ରଭୁଙ୍କର ଶ୍ରୀଅଙ୍ଗ ଉତ୍ତମ ରୂପେ ପୋଛିଦେବେ। ନୀଳାଦ୍ରିମହୋଦୟ ଗ୍ରନ୍ଥ କହେ ବାଜପେୟ ତଥା ଅଶ୍ୱମେଧ ପ୍ରଭୃତି ଯାଗ ଅନୁଷ୍ଠାନ କଲେ ଯେଉଁ ଫଳ ମିଳେ, ବିଧି ଅନୁସାରେ ଶ୍ରୀବିଗ୍ରହମାନଙ୍କ ସ୍ନାନ ସମାପନ କଲେ ତାଠାରୁ ଅନେକ ଗୁଣ ଅଧିକ ଫଳ ମିଳେ । ସେହିପରି ଭକ୍ତିପୂର୍ଣ୍ଣ ହୃଦୟରେ ଯେଉଁ ଭକ୍ତ ଏହି ସ୍ନାନ ବିଧି ଦର୍ଶନ କରନ୍ତି ସେମାନେ ବୈକୁଣ୍ଠ ପ୍ରାପ୍ତି ହୁଅନ୍ତି । ଶ୍ରୀମନ୍ଦିରରେ ଏହି ନୀତି ସକାଳ ୬: ୩୦ ମଧ୍ୟରେ ହୋଇଥାଏ। କିନ୍ତୁ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଉଦୟ ପୂର୍ବରୁ ଏହି ନୀତି ସମାପନ ହେଲେ ଅତି ଉତ୍ତମ ଫଳ ମିଳିଥାଏ। ଆଗାମୀ ଅଧ୍ୟାୟରେ ଜାଣିବା ଏହି ସ୍ନାନ ବିଧିର ଆଉ କିଛି କଥା । ବର୍ତ୍ତମାନ କିନ୍ତୁ ସମୟ ଆରାଧନା ଓ ଭାଗବତ ପଠନ।

ବୃକ୍ଷର ତଳେ ଯେହ୍ନେ ଆସି
ପଥୁକି ବିଶ୍ରାମନ୍ତି ବସି।
ପୁଣି ଚଳନ୍ତି ଶ୍ରମ ସାରି
ସେ ବୃକ୍ଷ ନୁହଁଇ କାହାରି ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.