Latest Odisha News

ଧରାବତରଣ କଲେ ପ୍ରଥମପୂଜ୍ୟ ଶ୍ରୀଗଣେଶ, ଜାଣନ୍ତୁ କେଉଁ ଆକୃତିର ମୂର୍ତ୍ତି ପୂଜା କଲେ କେଉଁ ବର ମିଳେ

ଭୁବନେଶ୍ଵର: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଅଗ୍ରପୂଜ୍ୟ, ବିଘ୍ନରାଜ ଶ୍ରୀ ବିନାୟକଙ୍କ ପୂଜା । ଏଥିପାଇଁ ପୁରପଲ୍ଲୀ ହୋଇଉଠିଛି ଚଳଚଞ୍ଚଳ । ବଡ ବଡ ତୋରଣ ସାଙ୍ଗକୁ ଆକର୍ଷଣୀୟ ସାଜସଜା ସହ ପୂଜା ପେଣ୍ଡାଲରେ ଚାଲିଛି ଗଜାନନଙ୍କ ହୋମ ଯଜ୍ଞ । ମନ୍ଦିର ଏବଂ ଶିକ୍ଷାନୁଷ୍ଠାନରେରେ ବି ଗଣେଶଙ୍କ ସ୍ୱତନ୍ତ୍ର ପୂଜା ନୀତି ଆରମ୍ଭ ହୋଇଗଲାଣି । ତେବେ ଆପଣମାନେ ଶ୍ରୀଗଣେଶଙ୍କର ବିଭିନ୍ନ ଆକୃତିର ମୂର୍ତ୍ତି ଦେଖିଥିବେ । ଏହି ବିଭିନ୍ନ ଆକୃତିର ମୂର୍ତ୍ତି ପଛରେ ରହିଛି କିଛି କାରଣ । ଏତଦବ୍ୟତୀତ ବିଭିନ୍ନ ଆକୃତିର ମୂର୍ତ୍ତି ପାଇଁ ରହିଛି ବିଶେଷ ପୂଜାର୍ଚ୍ଚନା । ତେବେ ଆସନ୍ତୁ ସେ ବିଷୟରେ ଜାଣିବା କିଛି ।

ଶ୍ରୀଗଣେଶଙ୍କ ବିଭିନ୍ନ ଆକୃତି

ଗଜବକ୍ର: ସମ୍ପୁର୍ଣ୍ଣ ଶରୀରରେ ସର୍ପ ଗୋଡାଇ ହୋଇଥିବା ପ୍ରତିମା ଖୁବ୍ ଚମତ୍କାର ପ୍ରତୀତ ହୋଇଥାଏ । ଏହି ପ୍ରତିମାକୁ ମଙ୍ଗଳକାରୀ ଗଣେଶ ମଧ୍ୟ କୁହାଯାଏ ।

ମହାଗଣପତି: ‘ଓଁ’ ଆକୃତି ସମାନ ଏହି ପ୍ରତିମାରେ ଶ୍ରୀ ଗଣେଶଙ୍କ ମସ୍ତକରେ ଚନ୍ଦ୍ରମା ଶୋଭା ପାଇଥାଏ । ଏକଦନ୍ତଙ୍କ ପେଟ ବଡ ଆକାରର ହୋଇଥାଏ,ତେବେ ଏହି ପ୍ରତିମାକୁ ଜ୍ଞାନର ପ୍ରତିକ ବୋଲି ମନାଯାଏ ।

ବିଘ୍ନେଶ୍ୱର: ଏହି ପ୍ରତିମାରେ ଗରୁଡ ଏବଂ ସିଂହ ମଧ୍ୟ ସ୍ଥାନ ପାଇଥାନ୍ତି । ବଡରୁ ବଡ ବିଘ୍ନକୁ ନାଶ କରୁଥିବା ଏହି ପ୍ରତିମାକୁ ବିଘ୍ନେଶ୍ୱର କୁହାଯାଏ ।

ଗଣପତି: ହସ୍ତରେ ପଦ୍ମ ପୁଷ୍ପ,ଡାଳିମ୍ବ ଏବଂ ଲେମ୍ବୁ ଧାରଣ କରିଥିବା ତ୍ରୀନେତ୍ରଧାରୀ ଶ୍ରୀ ଗଜାନନଙ୍କ ଏହି ପ୍ରତିମା ପ୍ରଗତି ତଥା ଉନ୍ନତିକୁ ଇଙ୍ଗିତ କରେ ।

ଏକାକ୍ଷର: ରକ୍ତବର୍ଣ୍ଣୀ ଶରୀର ଏବଂ ଚନ୍ଦ୍ରାକାର ମୁକୁଟ ଧାରଣ କରିଥିବା ଏବଂ ହାତ,ପାଦ ଛୋଟ ହୋଇଥିବା ଏହି ଗଣେଶ ପ୍ରତିମା ଜୀବନରେ ପ୍ରଗତି ଆଣିଥାଏ ।

ପଞ୍ଚମୁଖି ଗଣପତି: ପଞ୍ଚମୁଖି ଶ୍ରୀ ଗଣେଶଙ୍କ ଏହି ପ୍ରତିମାରେ ଗଜାନନଙ୍କ ମୁଖରଙ୍ଗ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ,ଏହି ପ୍ରତିମା ବ୍ୟକ୍ତିକୁ ପ୍ରଗାଢ ସମ୍ମାନର ଅଧିକାରୀ କରିଥାଏ ।

ସିଂହ ଗଣପତି : ବୀଣା,ଚକ୍ର, ମୁଦ୍ରା,ରକ୍ତ କଳସ ଧାରଣ କରିଥିବା ଏହି ମୂର୍ତ୍ତି ବିନାଶ ତଥା ସଂକଟରୁ ରକ୍ଷା କରିଥାଏ ।

ବାଳ ଗଣପତି: ପ୍ରଭୁ ଶିବ ଏବଂ ମା’ ପାର୍ବତୀଙ୍କ କୋଳରେ ବସିଥିବା ପ୍ରଭୁ ବିନାୟକ ମହାଦେବଙ୍କ ଜଟାରୁ ବାହାରୁଥିବା ଗଙ୍ଗାଜଳରେ କ୍ରୀଡାରତ ଥିବାର ନଜର ଆସେ । ଏହି ପ୍ରତିମା ପୂଜାରେ ସନ୍ତାନହାନୀ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଗଣେଶ ପ୍ରତିମାରେ ଓଲଟା ହାତ ଆଡକୁ ଶୁଣ୍ଢ ଥିବା ଆବଶ୍ୟକ । ସାଧାରଣ ଲୋକେ ଘରେ ଏହି ପ୍ରତିମାକୁ ପୂଜା କରିବା ଦରକାର । ଯେଉଁମାନେ ତନ୍ତ୍ର-ମନ୍ତ୍ର ସାଧନା କରନ୍ତି ସେମାନେ ସିଧା ହସ୍ତ ଶୁଣ୍ଢ ପୂଜା କରିଥାନ୍ତି । ପଣ୍ଡିତଙ୍କ କହିବାନୁସାରେ ବଜାରରେ ବିଭିନ୍ନ ଧାତୁର ମୂର୍ତ୍ତି ବିକ୍ରି ହେଉଥିଲେ ମଧ୍ୟ ମାଟି ମୂର୍ତ୍ତିକୁ ହିଁ ଘରେ ପୂଜା କରିବା ଉଚିତ୍ । ଏହାଛଡା ଯଦି ସୁନା,ଚାନ୍ଦୀ,ତମ୍ବା ମୂର୍ତ୍ତିକୁ ପୂଜା କରୁଛନ୍ତି ତେବେ ପ୍ରାଣପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିବା ଉଚିତ୍ ।

Leave A Reply

Your email address will not be published.