Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିରର ନିଷେଧ ସାମଗ୍ରୀ (୨)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ନୀତି ନିୟମ ମଧ୍ୟରେ ଗୋଟିଏ ସାଧାରଣ ଭକ୍ତ କଣ କଣ କରିବା ଉଚିତ ନୁହେଁ ସେ ବିଷୟରେ ଅଳ୍ପ କିଛି ଆଲୋଚନା କରିଥିଲେ। କିନ୍ତୁ ଆଜିର ଆଲୋଚନାରେ ଜାଣିବା ଗୋଟିଏ ମନ୍ଦିର ବା ଦେବ ସ୍ଥାନ ପରିସରରେ ସାଧାରଣ ମଣିଷଟିଏ କଣ କରିବା ଉଚିତ ନୁହେଁ। ଯଦି ଦେବ ସ୍ଥାନ ଭ୍ରମଣରେ ଯାଉଥିବା ମଣିଷଟି ଏହା ପାଳନ କରିଥାଏ। ତେବେ ସେ ନିଜର ଭକ୍ତି ଭାବ ପ୍ରକଟ କରିବା ସହ ଅନ୍ୟର ଭକ୍ତି ଭାବ ପ୍ରଦର୍ଶନରେ ବାଧା ସୃଷ୍ଟି କରେ ନାହିଁ। ତେବେ ସେଗୁଡ଼ିକ କେଉଁ କେଉଁ ନିଷିଦ୍ଧ କର୍ମ ଜାଣିବା।

ପାଦରେ କୌଣସି ପ୍ରକାର ପାଦୁକା ପରିଧାନ କରି କୌଣସି ମନ୍ଦିର ପ୍ରବେଶ କରିବା ନାହିଁ।

ଦେବତାଙ୍କ ସମ୍ମୁଖରେ ପହଞ୍ଚି ତାଙ୍କୁ ପ୍ରଣାମ ନଜଣାଇ ଫେରି ଆସିବା ଅତ୍ୟନ୍ତ ଦୋଷାବହ।

ଯଦି ଆମେ ପ୍ରଣାମ ଜଣାଇବା ସମୟରେ ଗୋଟିଏ ହସ୍ତରେ ପ୍ରଣାମ କରୁଛେ, ତାହା ପ୍ରଭୁଙ୍କର ଅବମାନନା ବୋଲି ବିବେଚିତ ହେବ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମହାପ୍ରଭୁଙ୍କୁ ପାର୍ଥନା କରିବା ସମୟରେ ଆମେ ପାଟିରେ କିଛି ବି ଖାଦ୍ୟ ପଦାର୍ଥ ରଖିବା ନାହିଁ। ଏହା ଅଇଁଠା ମୁହଁ ହିସାବରେ ପରିଗଣିତ ହୋଇଥାଏ। ସମ୍ପୂର୍ଣ୍ଣ ଶୁଦ୍ଧ ଭାବରେ ଓ ଭକ୍ତି ସହକାରେ ସ୍ତୁତି କରିବା ଉଚିତ।

କୌଣସି ପରିସ୍ଥିତିରେ ମଧ୍ୟ ମନ୍ଦିର ମଧ୍ୟକୁ ଅଶୌଚ ଅବସ୍ଥାରେ ଯିବେ ନାହିଁ। ସ୍ନାନ ଶୌଚ ହୋଇ ମନ୍ଦିର ଗଲେ ହିଁ ଭଗବାନ ଗୁହାରି ଶୁଣିବେ।

ଅନେକ ସମୟରେ ଆମେ ଦେଖିବାକୁ ପାଉ କିଛି ମନ୍ଦିର ମଧ୍ୟରେ ଭକ୍ତ ମାନେ ଗୋଡ଼ ଲମ୍ବାଇ ବସିଥାନ୍ତି ଏହା ସର୍ବଆଦୌ ବର୍ଜନୀୟ। ଯଦି ବିଶେଷ କାରଣରୁ ଗୋଡ଼ ଲମ୍ବାଇ ବସିବାକୁ ପଡିଥାଏ, ତେବେ ତାହା ଦେବତାଙ୍କ ଦିଗରେ ହେବା ଉଚିତ ନୁହେଁ। ସଂଯମତା ଓ ଶାଳୀନତା ନିହାତି ଆବଶ୍ୟକ।

ପ୍ରତ୍ୟେକ ଦେବ ସ୍ଥାନରେ ଭୋଜନ ପାଇଁ ସ୍ୱତନ୍ତ୍ର ସ୍ଥାନ ଥାଏ। କିନ୍ତୁ ଆମେ ସମୟ ସମୟରେ ଦେବତାଙ୍କ ସମୁଖରେ ମଧ୍ୟ ଭୋଜନ କରିଥାଉ ତାହା ବର୍ଜନୀୟ।

ଆଗାମୀ ଅଧ୍ୟାୟରେ ପୁଣି ଜାଣିବା ଆମର ମନ୍ଦିର ମଧ୍ୟରେ କିପରି ଆଚରଣ ହେବା ଉଚିତ। ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।
ସମେ ବସଇ ସର୍ବ ଦେହେ
ମୂଢ଼ ନ ଜlଣେ ମାୟା ମୋହେ।
ଦେବତା ଋଷି ପିତୃ ଭୁତ
ଯେ ଅବା ଅଟନ୍ତି ଆଗତ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Leave A Reply

Your email address will not be published.