Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଶ୍ରୀମନ୍ଦିରର ନିଷେଧ କର୍ମ (୨)

ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତରେ କୌଣସି ଅଶ୍ଲୀଳ ଆଚରଣ କରିବା ନିଷେଧ ବୋଲି ଆମେ ଆଲୋଚନା କଲେ। ମୂଳ କଥା ହେଲା ଯଦି ଭକ୍ତଟିଏ ନିଜର ଭକ୍ତି ଭାବ ଓ ମାର୍ଜିତ ବ୍ୟବହାର ନେଇ ଶ୍ରୀମନ୍ଦିର ହେଉ ଅବା କୌଣସି ଦେବସ୍ଥଳିକୁ ଯାଏ, ତେବେ ଏସବୁ ସତର୍କତା ତା ପ୍ରତି ପ୍ରଯୁଜ୍ୟ ହୋଇନଥାଏ। କିନ୍ତୁ ସଂସାର ଏତେ କଳୁଷିତ ହେଲାଣି ଯେ ମଣିଷକୁ ଏହିସବୁ ସତର୍କ ବାଣୀ ଦେବାକୁ ପଡୁଛି। ଆଜି ଜାଣିବା ଆଉ କିଛି ନିୟମ ବିଷୟରେ ; ଯାହାକୁ ପାଳନ କଲେ ଆମେ ଦେବସ୍ଥଳିର ପବିତ୍ରତା ରକ୍ଷା କରିବା ସହ ନିଜର ପୁଣ୍ୟ ବୃଦ୍ଧି କରି ପାରିବା।

ଶ୍ରୀମନ୍ଦିରରେ ବା ଅନ୍ୟ ଦେବସ୍ଥଳିରେ ଆମେ ଯଥା ସମ୍ଭବ ନୀରବତା ରକ୍ଷା କରିବା, ଅତି ଉଚ୍ଚ ସ୍ୱରରେ କଥା ବାର୍ତ୍ତା କଲେ ମନ୍ଦିରର ବାତାବରଣରେ ଶୁଦ୍ଧତା ରହେ ନାହିଁ।

ଆମେ ଦେବସ୍ଥଳିରେ ବିଚରଣ କରିବା ସମୟରେ ପ୍ରତିଷ୍ଠିତ ଦେବତା ବା ଅନ୍ୟ କୌଣସି ଦେବତାଙ୍କ ବିଷୟରେ ନିନ୍ଦା ବାଣୀ ପ୍ରୟୋଗ କରି ପାରିବନି। ଏହା ଦ୍ୱାରା ଆମେ ଦେବ ଅପମାନ ଦୋଷରେ ଦୋଷୀ ହେବା।

ଶାସ୍ତ୍ର କହିଛି “ଗୁରୁଙ୍କୁ ନମଣିବ ନର, ଗୁରୁ ଯେ ସାକ୍ଷାତ ଈଶ୍ୱର ” ତେଣୁ ଯେକୌଣସି ଦେବସ୍ଥଳିରେ ଯଦି ଦୀକ୍ଷା ଗୁରୁଙ୍କ ସହ ସାକ୍ଷାତ ହୁଏ
ତେବେ ପ୍ରଥମେ ଗୁରୁଙ୍କୁ ପ୍ରଣାମ କରିବ ଓ ତାଙ୍କ ଭଲ ମନ୍ଦ ବୁଝିବ ତାପରେ ଗୁରୁଙ୍କ ଅନୁମତି ନେଇ ଦେବତା ଦର୍ଶନ କରିବ।

ଏଠାରେ ଆଉ ଏକ କଥା କହି ରଖେ ଯଦି ଦେବସ୍ଥଳିରେ ବା ମନ୍ଦିରରେ ଗୁରୁଙ୍କ ବ୍ୟତୀତ କୌଣସି ଅନ୍ୟ ଗୁରୁଜନ ଦେଖା ମିଳନ୍ତି। ତେବେ ତାଙ୍କୁ ଦେବତାଙ୍କ ସାମ୍ନାରେ କେବେ ବି ପ୍ରଣାମ କରିବ ନାହିଁ। ପ୍ରଥମେ ଦେବତାଙ୍କୁ ପ୍ରଣାମ କରିବ ଓ ପରେ ଗୁରୁଜନଙ୍କ ଭଲ ମନ୍ଦ ବୁଝିବ।

ଏହି କଥା କହିବା ବାହୁଲ୍ୟ ଯେ ଦେବସ୍ଥଳି ବା ମନ୍ଦିର ମଧ୍ୟରେ ଯେଣେ ତେଣେ ମଳ ମୂତ୍ର ତ୍ୟାଗ କରିବେ ନାହିଁ । ଏପରିକି ଛେପ ପକାଇବେ ନାହିଁ, ସେଥିପାଇଁ ଥିବା ନିର୍ଦ୍ଧାରିତ ସ୍ଥାନରେ ଏହି କର୍ମ କରିବେ। ଆଉ ଏକ ମୂଖ୍ୟ କଥା ହେଲା ମଦ୍ୟପାନ କରି ମନ୍ଦିର ଯିବେ ନାହିଁ କି ମନ୍ଦିର ମଧ୍ୟରେ ଧୁମ୍ର ପାନ ବି କରିବେନି। ମନ୍ଦିର ମଧ୍ୟରେ ନାରୀ ଜାତି ପ୍ରତି ଅଶ୍ଳୀଳ ବ୍ୟବହାର ନିତ୍ୟାନ୍ତ ଗ୍ରହୀତ ଅପରାଧ ଅଟେ ଏହା ସର୍ବାଦୌ ବର୍ଜନୀୟ।

ଆଜିର ଦିନରେ ଯେତେବେଳ ମନ୍ଦିର ଯିବାକୁ ଶାଳିନ ପୋଷକ ପିନ୍ଧିବା ପାଇଁ ନିୟମ ଜାରି ହେଉଛି। ଭାବୁଛି ଏହି ପ୍ରାଚୀନ ନିୟମଗୁଡ଼ିକ ଠିକ ଭାବରେ ପାଳନ ହେବା ଆବଶ୍ୟକ
ଆଗାମୀ ଅଧ୍ୟାୟରେ ନୀଳାଦ୍ରି ମହୋଦୟ ଗ୍ରନ୍ଥରେ ବର୍ଣ୍ଣିତ କିଛି ପୂଜା ବିଧି ଓ ନିୟମ ବିଷୟରେ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନ।

ଆତ୍ମା କୁଶଳେ ସର୍ବ ସିଦ୍ଧି
ତରଇ ସଂସାର ଜଳଧି।
କର୍ମ ଆଦରି ସହି ଦୁଃଖ
କେବେ ହେଁ ନୋହିବ ବିମୁଖ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ)

Comments are closed.