Latest Odisha News

BREAKING NEWS

ଓଡ଼ିଶାରେ ଷ୍ଟ୍ରୋକ ମୃତ୍ୟୁସଂଖ୍ୟା କମାଇବା ଲାଗି ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ବିଶେଷ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ଆଇଏଫଆଇ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟପ୍ଲସର ମିଳିତ ଆନୁକୂଲ୍ୟରେ ଅକ୍ଟୋବର ୧୬ରୁ ୩୧ ପର୍ଯ୍ୟନ୍ତ ପ୍ରାୟ ଦୁଇ ସପ୍ତାହ ଧରି ‘ଷ୍ଟ୍ରୋକମୁକ୍ତ ଜୀବନ’ ଶୀର୍ଷକରେ ସଚେତନତା ଅଭିଯାନ ଆରମ୍ଭ କରାଯଇଛି । ସେହି ପରିପ୍ରେକ୍ଷୀରେ ବ୍ରେନ୍‌ ଷ୍ଟ୍ରୋକ ବା ମସ୍ତିଷ୍କାଘାତର ମୁକାବିଲା ପାଇଁ ବିଶ୍ୱ ଷ୍ଟ୍ରୋକ ଦିବସ ପୂର୍ବରୁ ରାଜ୍ୟର ଡାକ୍ତର, ଜନସ୍ୱାସ୍ଥ୍ୟ ଓ ପଲିସି ବିଶେଷଜ୍ଞମାନଙ୍କ ମଧ୍ୟରେ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଏକ ବିଶେଷ ବୈଷୟିକ ଆଲୋଚନାଚକ୍ର ତଥା କନକ୍ଲେଭ ଆୟୋଜିତ ହୋଇଯାଇଛି । ଏହି ଅବସରରେ ‘ଷ୍ଟ୍ରୋକମୁକ୍ତ ଜୀବନ’ ଉପରେ ପ୍ରସ୍ତୁତ ସ୍ୱତନ୍ତ୍ର ସୂଚନାପତ୍ର ଉନ୍ମୋଚନ କରାଯାଇ ବଣ୍ଟନ କରାଯାଇଥିଲା। ଆରଏମଆରସି ଭୁବନେଶ୍ୱର, ଇଣ୍ଡିଆନ ପବ୍ଲିକ ହେଲଥ ଆସୋସିଏସନ, ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆ (ପିଏଚଏଫଆଇ) ଏବଂ କେୟାର ହସ୍ପିଟାଲସ୍, ଏହି ସ୍ୱାସ୍ଥ୍ୟ ସଚେତନତା ଅଭିଯାନର ପାର୍ଟନର ଭାବେ ଯୋଡ଼ି ହୋଇଛନ୍ତି।

ଏହି କନକ୍ଲେଭରେ ‘ଷ୍ଟ୍ରୋକ ମୁକାବିଲା ପାଇଁ ଏକାଠି ହେବା’ ଶୀର୍ଷକରେ ଆୟୋଜିତ ବୈଷୟିକ ଆଲୋଚନାଚକ୍ରରେ ବରିଷ୍ଠ ନ୍ୟୁରୋଲୋଜି ବିଶେଷଜ୍ଞ ଡାକ୍ତର ମାୟା ଗନ୍ତାୟତ, ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ ଇଣ୍ଡିଆର (ପିଏଚଏଫଆଇ) ନିର୍ଦ୍ଦେଶକ ଡକ୍ଟର ଶ୍ରୀଧର ମୁରଲୀଧରରାଓ କଦମ, ଆରଏମଆରସି ଭୁବନେଶ୍ୱରର ବୈଜ୍ଞାନିକ ଡାକ୍ତର ଶ୍ରୀକାନ୍ତ କାନୁନଗୋ ଏବଂ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ, ଭୁବନେଶ୍ୱର ସଂସ୍କରଣର ବରିଷ୍ଠ ବାର୍ତ୍ତା ସମ୍ପାଦକ କସ୍ତୁରୀ ରାୟ ପ୍ରମୁଖ ଯୋଗଦେଇ ଷ୍ଟ୍ରୋକର ପ୍ରତିଷେଧକ ଓ ସଫଳ ପରିଚାଳନା ଉପରେ ଗୁରୁତ୍ୱ ଦେଇଥିଲେ। ଆଇଏଫଆଇ ଫାଉଣ୍ଡେସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସ୍ୱାସ୍ଥ୍ୟପ୍ଲସର ସିଇଓ ସିଦ୍ଧାର୍ଥ ରଥ ଅଧିବେଶନ ସଞ୍ଚାଳନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମହାନଗର ନିଗମର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଷ୍ଟ୍ରୋକ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସଚେତନତା ପାଇଁ ଆଇଏଫଆଇ ଫାଉଣ୍ଡେସନ ସହିତ ଏହାର ପାର୍ଟନରମାନଙ୍କୁ ପ୍ରଶଂସା କରିବା ସହ ‘ପରିବର୍ତ୍ତିତ ଜୀବନଶୈଳୀ ସହ ସବୁ ବୟସର ବ୍ୟକ୍ତି ଷ୍ଟ୍ରୋକ ଦ୍ୱାରା ପ୍ରଭାବିତ ହେଉଛନ୍ତି ଏବଂ ଷ୍ଟ୍ରୋକର ଲକ୍ଷଣ ଜାଣିବା ସହ ଠିକଣା ସମୟରେ ରୋଗୀଙ୍କୁ ଡାକ୍ତରଖାନା ପହଞ୍ଚାଇ ଚିକିତ୍ସା ବ୍ୟବସ୍ଥା କରିପାରିଲେ ଷ୍ଟ୍ରୋକର ମୁକାବିଲା କରିପାରିବା ବୋଲି ମତ ପ୍ରକାଶ କରିଥିଲେ । ଏହି କନକ୍ଳେଭରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଷ୍ଟ୍ରୋକ ଭଳି ଏକ ଜଟିଳ ସମସ୍ୟାର ମୁକାବିଲା ଲାଗି ସରକାରଙ୍କ ସହ ଜନସ୍ୱାସ୍ଥ୍ୟ ଗବେଷଣା ଅନୁଷ୍ଠାନ, ଘରୋଇ ହସ୍ପିଟାଲ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ – ସମସ୍ତଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ।

ଏହି ସ୍ୱାସ୍ଥ୍ୟ ଭିତ୍ତିକ କାର୍ଯ୍ୟକ୍ରମରେ ଷ୍ଟ୍ରୋକ ସଚେତନତା ଅଭିଯାନର ଅଧ୍ୟକ୍ଷ ତଥା ଓଡ଼ିଶା ଲାଇଭର ସମ୍ପାଦକ ନୀଳାମ୍ବର ରଥ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ସିଦ୍ଧାର୍ଥ ମିଶ୍ର ଏହି କନକ୍ଲେଭର ସଂଚାଳନ କରିଥିଲେ ଏବଂ ସ୍ୱାସ୍ଥ୍ୟପ୍ଲସର ଅନ୍ୟତମ ପ୍ରଯୋଜିକା ସୁଶ୍ରୀସ୍ମିତା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଷ୍ଟ୍ରୋକର ପ୍ରଭାବ ଓ ଏହାର ମୁକାବିଲା ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ପାଇଁ ପ୍ରତିବର୍ଷ ଅକ୍ଟୋବର ୨୯ ତାରିଖ ଦିନ ବିଶ୍ୱ ଷ୍ଟ୍ରୋକ ଦିବସ ଭାବେ ପାଳନ କରାଯାଉଛି। ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୧୫ ନିୟୁତ ବ୍ୟକ୍ତି ଷ୍ଟ୍ରୋକରେ ପ୍ରଭାବିତ ହେଉଥିବା ବେଳେ ସେମାନଙ୍କ ଭିତରୁ ୫ ନିୟୁତ ମୃତ୍ୟୁବରଣ କରୁଛନ୍ତି। ସେହିପରି ଆଉ ୫ ନିୟୁତ ରୋଗୀ ବିଭିନ୍ନ ପ୍ରକାର ଗୁରୁତର ଶାରୀରିକ ଓ ମାନସିକ ଅକ୍ଷମତାର ଶିକାର ହେଉଛନ୍ତି। ତେବେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ପାରିଲେ ୯୦ ଭାଗ ଘଟଣାରେ ଷ୍ଟ୍ରୋକକୁ ଏଡ଼ାଇ ଦିଆଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି

Leave A Reply

Your email address will not be published.