Latest Odisha News

BREAKING NEWS

ପୁରୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଫଟୋ ପ୍ରଦର୍ଶନୀ ଉଦଘାଟିତ

ପୁରୀ : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧିନସ୍ଥ ଆଂଚଳିକ ଲୋକ ସମ୍ପର୍କ ବ୍ୟୁରୋ ପକ୍ଷରୁ ପୁରୀଠାରେ ଏକ ମଲ୍ଟି ମିଡିଆ ଫଟୋ ଚିତ୍ର ପ୍ରଦର୍ଶନୀ ଆରମ୍ଭ ହୋଇଛି । ଶୁକ୍ରବାର ଅପରାହ୍ନ ୫ଟା ବେଳେ ପୁରୀ ବଡଦାଣ୍ଡର ଶରଧା ବାଲି ଅଂଚଳରେ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଛି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ସହଯୋଗରେ ଆୟୋଜିତ ଏହି ମଲ୍ଟି ମିଡିଆ ପ୍ରଦର୍ଶନୀ ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ଓ ଉଦ୍ୟୋମୀତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରଦର୍ଶନୀକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।

ପ୍ରତ୍ୟହ ଦିନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲା ରହିବ । ରଥଯାତ୍ରା ଉପଲକ୍ଷେ ଆୟୋଜିତ ଏହି ମଲ୍ଟି ମିଡିଆ ଫଟୋ ପ୍ରଦର୍ଶନୀର ଶିରୋନାମା ରହିଛି – ‘୪୮ ମାସର ପରିବର୍ତ୍ତିତ ଭାରତ’ ।
ଉଦ୍ଘାଟନୀ ସମାରୋହ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମକୁ ଜନ ଆନ୍ଦୋଳନରେ ପରିବର୍ତନ କରାଇବା ହେଉଛି ଏହାର ଉଦ୍ଦେଶ୍ୟ । ଏହାର ଆଭିମୁଖ୍ୟ ଯେପରି ଲୋକଙ୍କ ପାଖରେ ପହଂଚିବ ସେ ଦିଗରେ ପ୍ରୟାସ କରାଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷର ରଥଯାତ୍ରାରେ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ରଥଯାତ୍ରା ଆୟୋଜନ ପାଇଁ ଆହ୍ୱାନ ଦେଇଛନ୍ତି । ଏଣୁ ରଥଯାତ୍ରାର ସଫଳ ଓ ଶାନ୍ତିପୂର୍ଣ୍ଣ ଆୟୋଜନ ପାଇଁ ସେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି ।

ଏହି ରଙ୍ଗିନ ଫଟୋଚିତ୍ର ପ୍ରଦର୍ଶନୀରେ ଓଡିଶାର ବିକାଶ ପ୍ରତି ଶ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଗୁରୁତ୍ୱକୁ ପ୍ରାଧାନ୍ୟ ଦିଆଯାଇଛି । ଏହାଛଡା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା, ସୌଭାଗ୍ୟ ଯୋଜନା, ଆକାଂକ୍ଷୀ ଜିଲ୍ଲା ସମୁହର ବିକାଶ ପାଇଁ ପରିକଳ୍ପନା, ନୀଳ ବିପ୍ଳବ, ଦ୍ୱିତୀୟ ସବୁଜ ବିପ୍ଳବ, ରେଳ ବିକାଶ, ଓଡିଶାର ଜାତୀୟ ରାଜପଥର ବିକାଶ, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ପାରାଦୀପ ବନ୍ଦରର ବିକାଶ, ପାରାଦୀପ ପେଟ୍ରୋ ରସାୟନ ପ୍ରକଳ୍ପ, ଓଡିଶାର ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା, ଜୈବ ଇନ୍ଧନ ପ୍ରସ୍ତୁତି ଲାଗି ପେଟ୍ରୋଲିୟମ ମନ୍ତ୍ରଣାଳୟର ପ୍ରୟାସ, ପାରାଦୀପରେ ପ୍ଲାଷ୍ଟିକ ପାର୍କ, ପାଇପ ଗ୍ୟାସ ଯୋଗାଣ ପ୍ରକଳ୍ପ ଓ ଧାମରାଠାରେ ଏଲଏନଜି ଟର୍ମିନାଲ ପ୍ରତିଷ୍ଠା, ତାଳଚେର ସାର କାରଖାନାର ପୁନରୁଦ୍ଧାର, ଭଦ୍ରକରେ ବୟନଶିଳ୍ପ ପାର୍କ, ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା, ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଜନୌଷଧି ଯୋଜନା, ପୋଷଣ ଅଭିଯାନ, ଓଡିଶାରେ ନୂଆ ମେଡିକାଲ କଲେଜ ସ୍ଥାପନ ପାଇଁ ଉଦ୍ୟମ, ଡିଜିଟାଲ ଓଡିଶା, ଓଡିଶାରେ ନୂତନ ଉଚ୍ଚତର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା, ଆର୍ଥିକ ଅର୍ନ୍ତଭୁକ୍ତିକରଣ, ପ୍ରଧାନମନ୍ତ୍ରୀ କୃଷି ଜଳସେଚନ ଯୋଜନା ଏବଂ ସର୍ବୋପରି ଓଡିଶାର ଟଙ୍କିକିଆ ଚାଉଳ ଯୋଗାଣ ସ୍କିମ ପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନ ବିଷୟରେ ଏହି ପ୍ରଦର୍ଶନୀରେ ଆଲୋକପାତ କରାଯାଇଛି ।

ଆଜିର ଉଦ୍ଘାଟନୀ ସମାରୋହାରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅତିରିକ୍ତ ମହାନିର୍ଦ୍ଦେଶକ ତଥା ଅତିରିକ୍ତ ପ୍ରେସ ରେଜିଷ୍ଟ୍ରର (ଓଡିଶା) ରଞ୍ଜନା ଦେବ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ଏହି ସମାବେଶରେ ପତ୍ର ସୂଚନା କାର୍ଯ୍ୟାଳୟର ଗଣ ଯୋଗାଯୋଗ ଅଧିକାରୀ ଶ୍ରୀ ପ୍ରଦୀପ କୁମାର ଚୌଧୁରୀ ପ୍ରଦର୍ଶନୀର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।

ଆଂଚଳିକ ଲୋକ ସମ୍ପର୍କ ବ୍ୟୁରୋ, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ହେଉଥିବା ଏହି ପ୍ରଦର୍ଶନୀର ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜନ କରାଯାଉଛି । ଆଜି ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶ୍ରୀ ଶ୍ୟାମ ପ୍ରକାଶ ସେନାପତି । ୧୦ ଦିନିଆ ଫଟୋ ଚିତ୍ର ପ୍ରଦର୍ଶନୀର କ୍ଷେତ୍ର ପରିଚାଳନା ଦାୟିତ୍ୱରେ ରହିଛନ୍ତି ବରିଷ୍ଠ କ୍ଷେତ୍ର ପ୍ରଚାର ଅଧିକାରୀ ଶ୍ରୀ ମହେନ୍ଦ୍ର ପ୍ରସାଦ ଜେନା, ଶ୍ରୀ ମନୋଜ କୁମାର ପାତ୍ର, ଶ୍ରୀ ମନୋଜ କୁମାର ଜାଲି, ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ଗୋପା ବିଶ୍ୱାସ ପ୍ରମୁଖ ।

Leave A Reply

Your email address will not be published.