Latest Odisha News

BREAKING NEWS

ରାଜଧାନୀ ଭୁବନେଶ୍ୱରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା

ଭୁବନେଶ୍ୱର : ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲକ୍ଷାଧିକ ଭକ୍ତଙ୍କ ସମାଗମରେ ଅନୁଷ୍ଠିତ ହୋଇଥାଏ । ସେହିପରି ଏକାମ୍ର କ୍ଷେତ୍ର ଭୁବନେଶ୍ୱରରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମଧ୍ୟ ନିଆରା ଢଙ୍ଗରେ ପାଳିତ ହୋଇଥାଏ । ରାଜଧାନୀ ଭୁବନେଶ୍ୱରରେ ଅନେକ ପୁରୁଣା ତଥା ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ରହିଛି । ତେବେ ଏଠାରେ ଥିବା ପ୍ରାୟ ୬୦ଟି ମନ୍ଦିରରେ ରଥଯାତ୍ରା ବେଶ୍ ଉତ୍ସାହର ସହିତ ପାଳିତ ହୋଇଥାଏ ।

କୋଳଥିଆ, ଖଣ୍ଡଗିରିର ଚିଦାନନ୍ଦ ବିହାର ଶ୍ରୀଜଗନ୍ନାଥ ମନ୍ଦିର
ଦିନଥିଲା ରାଜଧାନୀର ସବୁଠୁ ଉଚ୍ଚ ମୂର୍ତ୍ତି ଭାବେ ଏହି ମନ୍ଦିରରେ ଥିବା ଚତୁର୍ଦ୍ଦା ମୂର୍ତ୍ତି ପୂଜିତ ହେଉଥିଲେ । ଏହି ମନ୍ଦିରରେ ପୂଜା ପାଉଥିବା ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମୂର୍ତ୍ତି ର ଉଚ୍ଚତା ହେଉଛି ୩’୧୧’’, ସେହିପରି ସାନଭଉଣୀ ଦେବୀ ସୁଭଦ୍ରାଙ୍କ ମୂର୍ତ୍ତିର ଉଚ୍ଚତା ହେଉଛି ୩’୬’’ ବିଶିଷ୍ଟ ।

ବହୁ ବର୍ଷଧରି ରାଜଧାନୀର ଏହି ପୁରାତନ ରଥଯାତ୍ରା କୋଳଥିଆ ଠାରେ ଅନୁଷ୍ଠିତ ହେଉଛି । ଏହି ରଥଯାତ୍ରାର ବିଶେଷତ୍ୱ ହେଉଛି ‘ମାଳିକା ବଚନ’ ଅନୁସାରେ ଏଠାରେ ରଥଯାତ୍ରା ପାଳିତ ହୋଇଥାଏ । ତେଣୁ ଏଠାକାର ରଥଯାତ୍ରା ‘ମାଳିକା ସିଦ୍ଧାନ୍ତ ରଥଯାତ୍ରା’ ରୂପେ ପ୍ରସିଦ୍ଦି ଲାଭ କରିପାରିଛି ।

ନୟାପଲ୍ଲୀ, ଶ୍ରୀକୃଷ୍ଣ ବଳରାମ ଇସ୍କନ ମନ୍ଦିର

ଇସ୍କନ ମନ୍ଦିରରେ ବ୍ୟବହୃତ ହେଉଥିବା ରଥକୁ କାରିଗର ମାନେ ଦିନ ରାତି ଉଜାଗର ରହି ସମ୍ପୂର୍ଣ୍ଣ କରିବା ଦେଖାଯାଇଥାଏ । ଇସ୍କନ ରଥଯାତ୍ରାରେ ରଥ ଗୁଡ଼ିକ ବେଶ୍ ସୁନ୍ଦର ମଧ୍ୟ ଦିଶୁଥାଏ । ରାଜରାସ୍ତାରେ ରଥଗୁଡ଼ିକୁ ଭକ୍ତମାନେ ଟାଣି ଟାଣି ସିଆରପି ଛକ ଦେଇ ୟୁନିଟ ୮ର ଡ଼ିଏଭି ସ୍କୁଲ ପାଖ ଗୁଣ୍ଡିଚା ମନ୍ଦିରକୁ ନେଇ ଯାଇଥାଆନ୍ତି ।

ସବୁବର୍ଷ ସହରର ଲକ୍ଷାଧିକ ଶ୍ରଦ୍ଧାଳୁମାନେ ଇସ୍କନ ମନ୍ଦିରରେ ଭିଡ଼ ଜମାଇଥିବା ଦେଖାଯାଇଥାଏ । ଏଥର ରଥଯାତ୍ରାରେ ମନ୍ଦିର କର୍ତ୍ତୃପକ୍ଷ ମଧ୍ୟ ଲକ୍ଷାଧିକ ଭକ୍ତଙ୍କର ସମାଗମକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ସୁବିଧା ଲାଗି ବିଭିନ୍ନ ପଦକ୍ଷେପ ନେଇଛନ୍ତି ।

ଶ୍ରୀବାଣୀ କ୍ଷେତ୍ର ‘କିସ୍’ କ୍ୟାମ୍ପସ ଶ୍ରୀଜଗନ୍ନାଥ ମନ୍ଦିର
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବ ମଧ୍ୟ କିସ୍ କ୍ୟାମ୍ପସରେ ରହିଥିବା ଶ୍ରୀବାଣୀ କ୍ଷେତ୍ରରେ ମହାସମାରୋହରେ ଅନୁଷ୍ଠିତ ହୋଇଥାଏ । ସୂଚନାଯୋଗ୍ୟ ପୁରୀ ଶ୍ରୀକ୍ଷେତ୍ର ରଥଯାତ୍ରା ଯେଉଁଭଳି ରୀତିକାନ୍ତିରେ ପାଳିତ ହୋଇଥାଏ ଏଠାରେ ମଧ୍ୟ ମହାପ୍ରଭୁଙ୍କର ରଥଯାତ୍ରା ସେହିପରି ପାରମ୍ପରିକ ନୀତି ଅନୁସାରେ ପାଳିତ ହୋଇଥାଏ ।

ଶ୍ରୀବାଣୀ କ୍ଷେତ୍ରର ରଥଗୁଡ଼ିକ ମଧ୍ୟ ପୁରୀ ରଥ ଗୁଡ଼ିକ ପରି ସୁଦୃଶ୍ୟ ହୋଇଥାଏ । ପୁରୀ ଭଳି ଏଠାରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୧୬ଟି ଚକ, ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜରେ ୧୪ଟି ଚକ ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ୧୨ଟି ଚକ ଲାଗିଥାଏ ।

ପୁରୁଣା ଭୁବନେଶ୍ୱର, ଜମ୍ବେଶ୍ୱର ପାଟଣା ସାହି ମନ୍ଦିର
ଜମ୍ବେଶ୍ୱର ପାଟଣା ସାହି ରଥଯାତ୍ରା କମିଟି ପକ୍ଷରୁ ଏଠାରେ ଏକ ନିଆରା ପରମ୍ପରାରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଠାରେ ୧୦୦ରୁ ଅଧିକ ଛୋଟ ଛୋଟ ପିଲାମାନେ ରଥ ଟାଣିଥାଆନ୍ତି । କମିଟିର ସମ୍ପାଦକ ବସନ୍ତ ସମର୍ଥାଙ୍କ କହିବାନୁଯାୟୀ ରଥ ଗୁଡ଼ିକ ତିନିମୁଣ୍ଡିଆ ଓ ଶ୍ରୀଲିଙ୍ଗରାଜ ମନ୍ଦିର ଦେଇ ଗଙ୍ଗା-ଜମୁନା ମନ୍ଦିର ଟଣାଯିବାର ବ୍ୟବସ୍ଥା ହୋଇଛି ।

ସହସ୍ରାଧିକ ମହିଳା ଟାଣିବେ ରଥ
ବାରିପଦାରେ ସୁଭଦ୍ରାଙ୍କ ରଥ ମହିଳାମାନେ ଟାଣିବା ପରି ଭୁବନେଶ୍ୱରର କେତେକ ରଥଯାତ୍ରାରେ କେବଳ ମହିଳା ଓ ଯୁବତୀମାନେ ମଧ୍ୟ ସୁଭଦ୍ରାଙ୍କ ରଥ ଟାଣିବାର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

ସେହି ମନ୍ଦିର ଗୁଡ଼ିକ ହେଲେ – ଇସ୍କନ, କିସ୍ ଓ ତମାଣ୍ଡୋରେ ଥିବା ରଥ ।

 

ଚନ୍ଦ୍ରଶେଖରପୁରର ଆର.ସି.ଏମ ରଥଯାତ୍ରାରେ ଆଦିବାସୀ ସମ୍ପଦାୟର ଲୋକମାନେ ବହୁ ସଂଖ୍ୟାରେ ରଥ ଟାଣୁଥିବାର ଦେଖାଯାଇଥାଏ ।

Leave A Reply

Your email address will not be published.