Latest Odisha News

ସମାପିତ ହେଲା ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ଚେତନାର ଫଟୋଚିତ୍ର ପ୍ରଦର୍ଶନୀ

ଲୀଳାମୟଙ୍କ ଲୀଳାକୁ ଫଟୋଚିତ୍ର ମାଧ୍ୟମରେ ଦେଖିଲେ ୧.୨୫ ଲକ୍ଷରୁ ଉର୍ଦ୍ଧ୍ୱ ଦର୍ଶକ

ପୁରୀ : ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଶ୍ରୀଜଗନ୍ନାଥ ସଂସ୍କୃତି, ପରମ୍ପରା ଓ ଚେତନାକୁ ନେଇ ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ସମାପିତ ହୋଇଯାଇଛି ।

ଶରଧାବାଲିର ଭୋଳାନାଥ ବିଦ୍ୟାପୀଠରେ ଚାଲିଥିବା ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀରେ ସ୍ଥାନିତ ସାତ ଶହ ବର୍ଷ ପୂର୍ବରୁ ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀମନ୍ଦିରର ରୂପରେଖ, ପ୍ରାଚୀନ ସମୟରୁ ଗତବର୍ଷର ରଥଯାତ୍ରା ଏବଂ ତତସମ୍ପର୍କିତ ରୀତିନୀତିର ଫଟୋସମୂହ ସମେତ ଚଳିତ ବର୍ଷର ଚନ୍ଦନଯାତ୍ରା ତଥା ରଥଖଳାର ମନୋରମ ଫଟୋ ସମସ୍ତଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା । ସେହିପରି ଶ୍ରୀମନ୍ଦିର ଓ ରଥଯାତ୍ରା ସହିତ ଓତଃପ୍ରୋତଃ ଭାବେ ଜଡିତ ପୁରୀର ମଠସମୂହ ଏବଂ ପବିତ୍ର ପୁଷ୍କରିଣୀ ଓ ମହୋଦଧିର ଫଟୋ ମଧ୍ୟ ଜନସାଧାରଣଙ୍କ ପାଇଁ ଏକ ନୂତନ ଅନୁଭୂତି ପ୍ରଦାନ କରିଥିଲା । ପ୍ରତ୍ୟେକ ପ୍ରଦର୍ଶନ ବୋର୍ଡରେ ଦର୍ଶିତ ଫଟୋଚିତ୍ରଗୁଡିକୁ ଜନମାନସରୁ ବିଲୁପ୍ତପ୍ରାୟ ପୁରାତନ ରଚନାର କବିତା ପଂକ୍ତି ମାଧ୍ୟମରେ ବ୍ୟାଖ୍ୟା କରାଯାଇଥିଲା । ଓଡ଼ିଆ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଗାୟନ କରାଯାଇଥିବା ଶ୍ରୀଜଗନ୍ନାଥଙ୍କ ସଂସ୍କୃତ ଶ୍ଳୋକ ଏବଂ ଓଡିଆ ଭକ୍ତି ସଙ୍ଗୀତ ସମେତ ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କୁ ନେଇ ପ୍ରସ୍ତୁତ ପ୍ରାମାଣିକ ଚଳଚ୍ଚିତ୍ର, ୧୯୩୧ ରୁ ୧୯୬୨ ପର୍ଯ୍ୟନ୍ତ ରଥଯାତ୍ରାର ଭିଡିଓ, ପୂର୍ଣ୍ଣାଙ୍ଗ ଓଡିଆ ଚଳଚ୍ଚିତ୍ର ‘ଶ୍ରୀ ଜଗନ୍ନାଥ’ ଓ ହିନ୍ଦୀ ଚଳଚ୍ଚିତ୍ର ‘ଜୟ ଜଗନ୍ନାଥ’ ଆଦି ଏଲ୍‌ଇଡି ଭିଡିଓ ୱାଲରେ ଅହରହ ପ୍ରଦର୍ଶିତ ହେଉଥିଲା । ଯାହାକୁ ଦର୍ଶକମାନେ ବହୁ ପରିମାଣରେ ଉପଭୋଗ କରୁଥିଲେ । ପ୍ରଦର୍ଶନୀ ମଣ୍ଡପର ବିପରୀତ ପାଶ୍ୱର୍ରେ ରଥଯାତ୍ରା ଠାରୁ ଆରମ୍ଭ କରି ନିଳାଦ୍ରୀବିଜେ ପର୍ଯ୍ୟନ୍ତ ସମସ୍ତ ରୀତିକାନ୍ତିର ସଂକ୍ଷିପ୍ତ ସୂଚନା ପ୍ରଦାନ କରାଯିବା ସହିତ ଭିଡିଓ ୱାଲରେ ମଧ୍ୟ ରଥଯାତ୍ରାକୁ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ଜାରୀ କରାଯାଇଥିବା ଜରୁରୀ ସୂଚନାଗୁଡିକ ପ୍ରଦର୍ଶିତ ହେଉଥିଲା ।

ଶ୍ରୀଜଗନ୍ନାଥଙ୍କ ପ୍ରମୁଖ ଲୀଳା, ରୀତିନୀତି ଆଦି ସମ୍ପର୍କରେ ଜ୍ଞାନ ଆହରଣ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗର ଏହି ଫଟୋଚିତ୍ର ପ୍ରଦର୍ଶନୀ ମଣ୍ଡପରେ ପ୍ରତ୍ୟହ ସହସ୍ରାଧିକ ଜନସମାଗମ ହେଉଥିଲା । ଗତ ଦଶ ଦିନରେ ଲୀଳାମୟଙ୍କ ଲୀଳାକୁ ଫଟୋଚିତ୍ର ମାଧ୍ୟମରେ ୧.୨୫ ଲକ୍ଷରୁ ଊଦ୍ଧ୍ୱର୍ ଦର୍ଶକ ଦେଖିଥିବା ବେଳେ ଶନିବାର ଓ ରବିବାର ସରକାରୀ ଛୁଟି ଦିବସ ଥିବାରୁ ଏହି ଦୁଇଦିନ ମଧ୍ୟରେ ପ୍ରଦର୍ଶନୀ ମଣ୍ଡପକୁ ପାଖାପାଖି ୪୦ ହଜାର ଦର୍ଶକ ଆସିଥିଲେ ।

Comments are closed.