Latest Odisha News

BREAKING NEWS

ହାତ ଗୋଡ଼ ନ ଥାଇ ବି ମଡ଼େଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ଭିତରେ ଏମିତି ଅନେକ ଅଛନ୍ତି, ଯେଉଁମାନେ ନିଜ ଭିତରେ ଥିବା ଛୋଟ ଛୋଟ ଅଭାବକୁ ନେଇ ଭାଗ୍ୟ ଓ ଭଗବାନଙ୍କୁ ଦୋଷ ଦେଇଥାନ୍ତି । କଥା କଥାକେ ନିଜର ଅକ୍ଷମତା ବା ଅସର୍ମଥତାକୁ ନିନ୍ଦି ଥାନ୍ତି । ହେଲେ ଆଉ ଏମିତି ବି ଅନେକ ଅଛନ୍ତି ଯେଉଁମାନେ ନିଜର ଅକ୍ଷମତାକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥାନ୍ତି । ଭାଗ୍ୟକୁ ଦୋଷ ଦେଇ ନୁହେଁ, ବରଂ ନିଜ ଭିତରେ ଥିବା ସାହସକୁ ଏକଜୁଟ କରି ଆଗକୁ ବଢିବା ଓ ଜିଇଁବାର ନୂଆ ରାସ୍ତା ଖୋଜିଥାନ୍ତି । ଏମିତି ଜଣେ ମହିଳା ହେଉଛନ୍ତି ଭିକ୍ଟୋରିଆ ସାଲସେଡୋ ।

ଇକ୍ୱେଡର ବାସିନ୍ଦା ଭିକ୍ଟୋରିଆ ସାଲସେଡୋଙ୍କ ବୟସ ମାତ୍ର ୨୬ ବର୍ଷ । ଦେଖିବାକୁ ସୁନ୍ଦରୀ ଥିବା ଭିକ୍ଟୋରିଆ ଜଣେ ଦିବ୍ୟାଙ୍ଗ । ତାଙ୍କର ଦୁଇ ହାତ ଓ ଗୋଟିଏ ଗୋଡ ନାହିଁ । ତାଙ୍କୁ ଯେତେବେଳେ ୬ ବର୍ଷ ବୟସ ହୋଇଥିଲା ସେତେବେଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରୁ ସେ ବଞ୍ଚିଗଲେ ସତ, ହେଲେ ତାଙ୍କର ଦୁଇ ହାତ ଓ ଗୋଟେ ଗୋଡ଼ ହରାଇଲେ । ସାଧାରଣତଃ ଏଭଳି ସ୍ଥିତିରେ ଲୋକେ ବଞ୍ଚିବାର ଆଶା ଛାଡି ଦିଅନ୍ତି । ସାରା ଜୀବନ ଭାଗ୍ୟ ଓ ଭଗବାନଙ୍କୁ ଅଭିସମ୍ପାତ ବାଡନ୍ତି । ସେମିତି ସ୍ଥିତିରେ କିନ୍ତୁ ହାର ମାନି ନ ଥିଲେ ସାଲସେଡୋ ।

ଅକ୍ଷମତା ଆଳରେ ଜୀବନ ସହ ସାଲିସ୍ ନ କରି ବରଂ ଚ୍ୟାଲେଞ୍ଜ ଭାବେ ଗ୍ରହଣ କଲେ । ଆଉ ଆଗକୁ ବଢି ଚାଲିଲେ । ନିଜର ସବୁ କାମ ଗୋଟିଏ ଗୋଡରେ କରିବା ଅଭ୍ୟାସ ମଧ୍ୟ ଆରମ୍ଭ କଲେ । ତାଙ୍କର ଏହି ଚେଷ୍ଟା ସଫଳ ହେଲା । ୧୯ ବର୍ଷ ବୟସରେ ତାଙ୍କର ଜଣେ ସମ୍ପର୍କୀୟ ତାଙ୍କୁ ମଡେଲିଂ କରିବାକୁ ପ୍ରସ୍ତାବ ଦେଲେ । ଗୋଡ଼ ହାତ ନ ଥିଲେ ବି ସୁନ୍ଦରୀ ଥିବା ଭିକ୍ଟୋରିଆ ମଡ଼େଲ ହେବା ପାଇଁ ଲାଗି ପଡ଼ିଲେ । ସୁଯୋଗ ଓ ପ୍ରୋତ୍ସହନ ବି ମିଳିଲା । ମଡେଲିଂ ଜଗତରେ ଧୀରେ ଧୀରେ ନାଁ କରିବାକୁ ଲାଗିଲେ । ୨୦୨୧ରେ ଆୟୋଜିତ ମିସ୍ ଇକ୍ୱେଡର ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଆଉ ତାଙ୍କୁ ସଫଳତା ମଧ୍ୟ ମିଳିଲା । ଏବେ ସୋସିଆଲ ମିଡିଆରେ ନିଜର ଦୈନନ୍ଦିନ କାର୍ଯ୍ୟର ଭିଡିଓ ଅପଲୋଡ କରିବା ସହ ମଡେଲିଂର ଭିଡିଓ ଅପ୍‌ଲୋଡ କରି ଅନେକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଭିକ୍ଟୋରିଆ ।

 

 

Leave A Reply

Your email address will not be published.