ଭୁବନେଶ୍ୱର: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ “କୋଭିଡ-୧୯ ପରିଚାଳନାରେ ଗଣମାଧ୍ୟମ”ର ଭୂମିକାକୁ ନେଇ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି । ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଶୈଳେଶ କୁମାର ମାଲବ୍ୟ ଏଥିରେ ଅଧ୍ୟକ୍ଷତା କରିଥିଲେ । ବର୍ତମାନର ସଙ୍କଟପୂର୍ଣ୍ଣ ସମୟରେ ମିଥ୍ୟା ଖବର ବ୍ୟାପକ ପ୍ରସାରଣ ହେଉଥିବାରୁ ଗଣମାଧ୍ୟମ ଦାୟିତ୍ୱସମ୍ପନ୍ନ ହୋଇ ଖବର ପରିବେଷଣ କରିବା ଲାଗି ସେ ଆହ୍ୱାନ କରିଥିଲେ ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଥିଲେ ଯେ ଆମେ ସମସ୍ତେ ଏକ ବୈଶ୍ୱିକ ସଙ୍କଟ ଦେଇ ଗତି କରୁଛୁ । ବର୍ତମାନ ମହାମାରୀ ସହିତ ତାଳଦେଇ ‘ସୂଚନା ମହାମାରୀ’ ମଧ୍ୟ ଦେଖାଦେଇଛି । ଏଭଳି ସମୟରେ ଗଣମାଧ୍ୟମ ଦାୟିତ୍ୱସମ୍ପନ୍ନ ହୋଇ ଖବର ପ୍ରସାରଣ କରିବା ଆବଶ୍ୟକ ବୋଲି ଶ୍ରୀ ସତପଥୀ ମତପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର କହିଥିଲେ ଯେ କରୋନା ମହାମାରୀ ସମୟରେ ଗଣମାଧ୍ୟମ ଏକ ପ୍ରଶଂସନୀୟ ଭୂମିକା ନିର୍ବାହ କରୁଛି । ଗଣମାଧ୍ୟମ ସୂଚନାର ପ୍ରସାରଣ ମାଧ୍ୟମରେ ବ୍ୟବସ୍ଥାକୁ ସହଯୋଗ ଯୋଗାଇ ଦେଉଛି । ତେବେ ଗଣମାଧ୍ୟମ ନକାରାତ୍ମକ ନୁହେଁ, ବରଂ ସକାରାତ୍ମକ ଖବର ପ୍ରସାରଣ କରିବା ଆବଶ୍ୟକ ।
କାର୍ଯ୍ୟକ୍ରମରେ ଅନ୍ୟତମ ଆଲୋଚକ ଭାବେ ଅଂଶଗ୍ରହଣ କରିଥିବା ‘ସମ୍ବାଦ’ର ଫିଚର ସମ୍ପାଦକ ତଥା ସମ୍ବାଦ ସ୍କୁଲ ଅଫ ମିଡିଆ ଆଣ୍ଡ କଲଚରର ଅଧ୍ୟକ୍ଷ ବିଶିଷ୍ଟ କଥାକାର ଗୌରହରି ଦାସ । ସେ କହିଥିଲେ ଯେ ଗଣମାଧ୍ୟମ, ବିଶେଷ କରି ସମ୍ବାଦପତ୍ରଗୁଡ଼ିକ ଗୁରୁତର ସଙ୍କଟ ଦେଇ ଗତି କରୁଛନ୍ତି । ଏସବୁ ସଂସ୍ଥା ତିଷ୍ଠି ରହିବା ଲାଗି ସଂଘର୍ଷ କରୁଛନ୍ତି । ତେବେ ମହାମାରୀ ସମୟରେ କେବଳ ନକାରାତ୍ମକ ଖବର ପ୍ରସାରଣ ନକରି ସକାରାତ୍ମକ ସୂଚନା ଲୋକମାନଙ୍କ ନିକଟରେ ପହଁଚାଇବା ଉଚିତ ବୋଲି ସେ ମତପ୍ରକାଶ କରିଥିଲେ ।
ବରିଷ୍ଠ ସାମ୍ବାଦିକ ତଥା ‘ଓଡ଼ିଶା ବାଇଟ୍ସ ଡଟକମ, ଓଡ଼ିଶା ସମ୍ବାଦ ଡଟଇନ’ର ଗ୍ରୁପ ସମ୍ପାଦକ ସନ୍ଦୀପ ମିଶ୍ର କହିଥିଲେ ଯେ ବର୍ତମାନ ଗଣମାଧ୍ୟମ ଜଗତ ବିଭିନ୍ନ ପ୍ରକାରର ସଙ୍କଟ ମଧ୍ୟ ଦେଇ ଗତି କରୁଛି । ରାଜସ୍ୱ କ୍ଷତି ସହିତ ଖବର ସଂଗ୍ରହ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଅନ୍ୟପକ୍ଷରେ ଏହି ଆହ୍ୱାନପୂର୍ଣ୍ଣ ସମୟରେ ସଠିକ ସମୟରେ ସଠିକ ସୂଚନା ପହଁଚାଇବାର ଆବଶ୍ୟକତା ଯୋଗୁ ଗଣମାଧ୍ୟମ ଚାପରେ ରହୁଛି । ଏଭଳି ପ୍ରତିକୂଳ ପରିସ୍ଥିତି ସତ୍ୱେ ସୂଚନା ପ୍ରସାରଣ ନିରପେକ୍ଷ ଏବଂ ବିଶ୍ୱସନୀୟ ହେବା ଜରୁରି ବୋଲି ସେ ମତବ୍ୟକ୍ତ କରିଥିଲେ ।
ବରିଷ୍ଠ ସାମ୍ବାଦିକ ତଥା ନନ୍ଦିଘୋଷ ଟିଭିର ସମ୍ପାଦକ ଶିଶିରଭଟ୍ଟ ମିଶ୍ର କାର୍ଯ୍ୟକ୍ରମରେ ଅନ୍ୟତମ ଆଲୋଚକ ଭାବେ ଅଂଶଗ୍ରହଣ କରି ମହାମାରୀର ଏହି ସଙ୍କଟପୂର୍ଣ୍ଣ ସମୟକୁ ଦ୍ୱାପର ଯୁଗର ଯଦୁବଂଶ ଧ୍ୱଂସ ସମୟର ସ୍ଥିତି ସହିତ ତୁଳନା କରିଥିଲେ । ସେ କହିଥିଲେ ଯେ ଗଣମାଧ୍ୟମ ଏବଂ ସାମ୍ବାଦିକମାନଙ୍କ ପାଇଁ ଏବେ ଏକ ଗମ୍ଭୀର ସ୍ଥିତି ସୃଷ୍ଟି ହୋଇଛି । ସାମ୍ବାଦିକମାନେ ମହାମାରୀ ଦ୍ୱାରା ଆକ୍ରାନ୍ତ ହେଉଥିବା ଯୋଗୁ ଖବର ସଂଗ୍ରହ ବାଧାପ୍ରାପ୍ତ ହେଉଛି । ଏହା ସତ୍ୱେ ସକାରାତ୍ମକ ଖବର ସଂଗ୍ରହ କରିବା ବର୍ତମାନ ସମୟର ଆବଶ୍ୟକତା ବୋଲି ସେ କହିଥିଲେ ।
ଏହି ଭର୍ଚୁଆଲ ଆଲୋଚନା ଏବଂ ପ୍ରଶ୍ନୋତର କାର୍ଯ୍ୟକ୍ରମରେ ରାଜ୍ୟ ଗଣମାଧ୍ୟମ ଜଗତର ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଅଂଶଗ୍ରହଣ କରି କରୋନା ମହାମାରୀ ସମୟରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ସକାରାତ୍ମକ ଖବର ପ୍ରସାରଣ ଉପରେ ଗୁରୁତ୍ୱାରୋପ କରିଥିଲେ ।
Comments are closed.