Latest Odisha News

BREAKING NEWS

କଂଗ୍ରେସରେ ଅଲୋଡ଼ା ‘ପାଇଲଟ’ !

ଭୁବନେଶ୍ୱର: ଧୀରେ ଧୀରେ ଅଲୋଡ଼ା ହୋଇପଡୁଛନ୍ତି କି ପାଇଲଟ ? ରାଜସ୍ଥାନ କଂଗ୍ରେସର ଭବିଷ୍ୟତ ତଥା ଜାତୀୟ କଂଗ୍ରେସର ଯୁବ ଚେହେରା ସଚିନ ପାଇଲଟଙ୍କ ରାଜନୈତିକ ଭବିଷ୍ୟତ କଣ ହେବ? ସେ କଂଗ୍ରେସରେ ରହିବେ ନା କିଛି ବିକଳ୍ପ ଚିନ୍ତା କରିବେ? ଏମିତି କିଛି ଚର୍ଚ୍ଚା ଏବେ ଜୋର ଧରିଛି।

କଂଗ୍ରେସ ବର୍ତ୍ତମାନ ବଡ଼ ହୁଙ୍କାର ଦେଇ ଆଗକୁ ବଢୁଥିବା ବେଳେ ସଚିନ ପାଇଲଟଙ୍କ ବିଦ୍ରୋହ ଦଳ ବିପକ୍ଷରେ ଏକ ବାର୍ତ୍ତା ଦେଇଥିବା କୁହାଯାଉଛି। ଭାରତ ଯୋଡୋ ଯାତ୍ରା ଓ ତା ପରେ ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ଦଳ ସପକ୍ଷରେ ଏକ ବାତାବରଣ ତିଆରି କରିଥିବା ଆଲୋଚନା ହୁଏ।

ଏପରିକି କର୍ଣ୍ଣାଟକ ନିର୍ବାଚନ ପାଇଁ ଦଳ ଲଢ଼େଇକୁ ତୀବ୍ର କରିଛି। ଠିକ ଏଭଳି ସମୟରେ ପାଇଲଟଙ୍କ କାର୍ଯ୍ୟକଳାପ ହାଇକମାଣ୍ଡଙ୍କୁ ଅସନ୍ତୁଷ୍ଟ କରିଥିବା କୁହାଯାଉଛି। ଯାହାର ପ୍ରତିଫଳନ କର୍ଣ୍ଣାଟକ ନିର୍ବାଚନରେ ଦେଖିବାକୁ ମିଳିଛି।

ଏହି କାରଣ ପାଇଁ ସଚିନ ପାଇଲଟଙ୍କୁ କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରସ୍ତୁତ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇ ନ ଥିବା କୁହାଯାଉଛି। କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରସ୍ତୁତ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଅନ୍ୟ ପ୍ରମୁଖ ନେତା ଥିବାବେଳେ ପାଇଲଟ କିନ୍ତୁ ସ୍ଥାନ ପାଇ ନାହାଁନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ପୂର୍ବରୁ ପାଇଲଟ ରାଜସ୍ଥାନ ପିସିସି ସଭାପତି ସହ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ। କିନ୍ତୁ ପ୍ରଥମେ ଗେହଲଟଙ୍କ ବିରୋଧରେ ବିଦ୍ରୋହ ଯୋଗୁ ତାଙ୍କୁ ପଦ ହରାଇବାକୁ ପଡିଥିବା କୁହାଯାଏ। କିନ୍ତୁ ପରେ ପୁଣିଥରେ ପାଇଲଟ କଂଗ୍ରେସର ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ। ଏପରିକି ରାହୁଲଙ୍କ କୋର ଗ୍ରୁପ ସଦସ୍ୟ ଭାବେ ପାଇଲଟଙ୍କୁ ଗଣାଯାଏ।

ଭାରତ ଯୋଡୋ ଯାତ୍ରାରେ ମଧ୍ୟ ତାଙ୍କୁ ରାହୁଲଙ୍କ ସହ ଲଗାତର ଦେଖିବାକୁ ମିଳିଥିଲା। ଏପରିକି କଂଗ୍ରେସର ଜାତୀୟ ସଭାପତି ପଦ ପାଇଁ ଗେହଲଟଙ୍କ ନାଁ ଶୁଣାଯାଉଥିବା ବେଳେ ତାଙ୍କ ସପକ୍ଷରେ ଥିବା ବିଧାୟକଙ୍କ କାରନାମାକୁ ନେଇ ଦଳର ଶୀର୍ଷ ନେତୃତ୍ୱ ଗେହଲଟଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିବା ଦେଖାଯାଇଥିଲା। ସେତେବେଳେ ପାଇଲଟଙ୍କୁ ରାହୁଲଙ୍କ ପାଖେ ପାଖେ ଦେଖିବାକୁ ମିଳୁଥିଲା ।

କିନ୍ତୁ ପାଇଲଟଙ୍କ ଲଗାତର ଏଭଳି କାର୍ଯ୍ୟ ଦଳକୁ ଦୁର୍ବଳ କରୁଛି ବୋଲି କୁହାଯାଉଛି। ଏପରିକି ଆଗକୁ ରାଜସ୍ଥାନ ବିଧାନସଭା ନିର୍ବାଚନ ଥିବାରୁ ପାଇଲଟଙ୍କ ପ୍ରତି ଦଳର ଆଭିମୁଖ୍ୟ କଣ ରହିବ ଓ ପାଇଲଟ କଣ ଭବିଷ୍ୟତ ନିଷ୍ପତ୍ତି ନେବେ ତା ଉପରେ ନଜର।

Leave A Reply

Your email address will not be published.