ଭୁବନେଶ୍ଵର: ଆଜି ବିଧାନସଭାରେ ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ । ଗୃହ କାର୍ଯ୍ୟ ଆରମ୍ଭରୁ ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ । ଗୃହରେ ବିଭିନ୍ନ ସଦସ୍ୟ ନିଜ ନିଜ ପ୍ରଶ୍ନ ପଚାରୁଥିବାବେଳେ ବିଭାଗୀୟ ମନ୍ତ୍ରୀ ସେମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖୁଛନ୍ତି । ଏକ ପ୍ରଶ୍ନର ଉତ୍ତରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ୨୦୨୪ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଗାଁକୁ ପାଇପ ଯୋଗେ ପିଇବା ପାଣି ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଯେଉଁଠି ଉତ୍ସ କି ଜମି ସମସ୍ୟା ରହିଛି, ସେଠି ୨୦୨୫ ସୁଦ୍ଧା ପାଇପ ଯୋଗେ ପାନୀୟ ଜଳ ଯୋଗାଣ କାର୍ଯ୍ୟ ସରିବ ।
ଯେଉଁଠି ୭୦ ଲୋକଙ୍କ ଜନସଂଖ୍ୟା ଅଛି, ସେଠାରେ ମଧ୍ୟ ନୂଆ ନଳକୂପ ଲଗାଯିବ । ଯଦି କୌଣସି ସ୍ଥାନରେ ପାଣି ସମସ୍ୟା ଥାଏ ତେବେ ତା’ର ସମାଧାନ ପାଇଁ ହେଲ୍ପ ଲାଇନ୍ ନମ୍ବର (୧୯୧୬) ଜାରି କରାଯାଇଛି । ମାର୍ଚ୍ଚ 2023 ସୁଦ୍ଧା, 58% ଗାଁରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ଦିଆଯାଇଛି । ଯେଉଁଠି ପାଇପ ପାଣି ନାହିଁ, କିମ୍ବା କାମ ଜାରି ରହିଛି ସେଠାରେ ଜିଲ୍ଲାପାଳ, ପିଡି ଡିଆରଡିଏ ଓ ନିର୍ବାହୀ ଯନ୍ତ୍ରୀଙ୍କୁ ନଳକୂଅ ବସାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳ କି ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଯାଞ୍ଚ ରିପୋର୍ଟ ଆଧାରରେ ନୂଆ ନଳକୂପ ବସାଯିବା ନେଇ ସୂଚନା ରହିଛି।
ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ୩୩୦୦୦ କୋଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ରାଜ୍ୟ ସରକାର ହାତକୁ ନେଇଛନ୍ତି । ଏଥିରୁ ୧୬ଟି କାମ ସରିଥିବା ବେଳେ ୧୯୮ ପ୍ରକଳ୍ପର କାର୍ଯ୍ୟ ଏବେ ଚାଲିଛି । ସେଥିରୁ ୨୫ଟି ପ୍ରକଳ୍ପର କାର୍ଯ୍ୟ ମାର୍ଚ୍ଚ ୨୦୨୪ ସୁଦ୍ଧା ସରିବ । ଅବଶିଷ୍ଟ ପ୍ରକଳ୍ପ କାର୍ଯ୍ୟ ଏଇ ବର୍ଷ ଶେଷ ସୁଦ୍ଧା ସରିଯିବା ବେଳେ ଯଦି କୌଣସି କାରଣ ବସତଃ କିଛି ପ୍ରକଳ୍ପ କାମ ରହିଯାଇଥାଏ ତେବେ ତାକୁ ଡିସେମ୍ବର ୨୦୨୫ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି ।
Comments are closed.