Latest Odisha News

BREAKING NEWS

ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ, ଅକ୍ଟୋବର ୩ରେ ଗଣତି

ଭୁବନେଶ୍ବର : ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ହେବ ପିପିଲି ଉପନିର୍ବାଚନ । ଅକ୍ଟୋବର ୩ ତାରିଖରେ ହେବ ଭୋଟ ଗଣତି । ଏନେଇ ସୂଚନା ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ଆସନ୍ତା ସେପ୍ଟେମ୍ବର ୬ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି । ଏହାସହ ଆଜିଠୁ ଲାଗୁ ହୋଇଛି ନିର୍ବାଚନ ଆଚରଣ ବିଧି । ଗାଇଡଲାଇନ୍ ମୁତାବକ କୋଭିଡ କଟକଣା ମଧ୍ୟରେ ହେବ ନିର୍ବାଚନ ପ୍ରଚାର, ଭୋଟ ଦାନ ଓ ଭୋଟ ଗଣତି । ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବହାର ଉପରେ ଗୁରୁତ୍ବ ଦିଆଯାଇଛି ।

ସେହିପରି ପ୍ରଚାର ବେଳେ ସଭାଗୃହରେ କ୍ଷମତାର ୩୦ ପ୍ରତିଶତ କିମ୍ବା ସର୍ବାଧିକ ୨୦୦ ଲୋକଙ୍କୁ ଅନୁମତି ମିଳିବ । ବାହାର ସଭାରେ ଷ୍ଟାର କ୍ୟାମ୍ପେନରଙ୍କ କ୍ଷେତ୍ରରେ ସର୍ବାଧିକ ୧ ହଜାର, ଅନ୍ୟ ସାଧାରଣ ସଭାରେ ସର୍ବାଧିକ ୫୦୦ ଲୋକଙ୍କୁ ଅନୁମତି ମିଳିବ । ଡୋର ଟୁ ଡୋର କ୍ୟାମ୍ପେନିଂରେ ସର୍ବାଧିକ ୫ ଜଣଙ୍କୁ ଅନୁମତି ମିଳିବ । ପୂର୍ବରୁ ପିପିଲି ଉପନିର୍ବାଚନ ଲାଗି ୩ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିସାରିଛନ୍ତି । ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ରୁଦ୍ର ପ୍ରତାପ ମହାରଥୀ । ସେହିପରି କଂଗ୍ରେସରୁ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଥିବା ବେଳେ, ବିଜେପିରୁ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପ୍ରଥମ ଥର ସ୍ଥଗିତ ରହିଥଲା ଉପନିର୍ବାଚନ । ପରେ କରୋନାର ଦ୍ବିତୀୟ ଲହର ଯୋଗୁ ପୁଣି ଥରେ ଉପନିର୍ବାଚନ ସ୍ଥଗିତ ରହିଥିଲା ।

କୋଭିଡ କଟକଣା ଭିତରେ ପରିଚାଳନା ହେବ ନିର୍ବାଚନ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ କର୍ମଚାରୀ ଓ ଅଧିକାରୀ ଡବଲ ଡୋଜ ଟିକା ନେଇଥିବା ବାଧ୍ୟତାମୂଳକ କରାଯାଇଛି । ସେପ୍ଟେମ୍ବର ୨୦ରୁ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟରେ ସାମିଲ ହେବେ । ମତଦାନର ୭୨ ଘଣ୍ଟା ପୂର୍ବରୁ ସରିବ ପ୍ରଚାର । ସାନିଟାଇଜେସନ, ବ୍ୟାରିକେଡିଂ ଖର୍ଚ୍ଚ ରାଜନୈତିକ ଦଳ ବା ପ୍ରାର୍ଥୀ ବହନ କରିବେ । ସେହିପରି ଗାଡି ଓ ମୋଟର ସାଇକେଲ ରାଲିକୁ ବନ୍ଦ କରାଯିବ । କ୍ୟାମ୍ପେନିଂ ବେଳେ ସର୍ବାଧିକ ୨୦ଟି ଗାଡିକୁ ଅନୁମତି ମିଳିବ । କୋଭିଡ କଟକଣା ପାଳନ କରିବା ଲାଗି ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କୁ ଦାୟିତ୍ବ ଦିଆଯାଇଛି ।

Leave A Reply

Your email address will not be published.