Latest Odisha News

BREAKING NEWS

ପିପିଲି ଉପନିର୍ବାଚନ ଲାଗି ଅଧିକ ୭୫ଟି ବୁଥ୍, କୋଭିଡ୍ କଟକଣାରେ ହେବ ଭୋଟ୍

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ ବଢ଼ିବ ମତଦାନ କେନ୍ଦ୍ର ସଂଖ୍ୟା । ପୂର୍ବରୁ ୨୭୧ଟି ବୁଥ୍ ଥିବାବେଳେ ଏବେ ଏହାକୁ ୩୪୮କୁ ବୃଦ୍ଧି କରାଯାଇଛି । ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ସୋହାନୀ ସୂଚନା ଦେଇଛନ୍ତି । ଅତିରିକ୍ତ ଭାବେ ୭୫ଟି ସହାୟକ ବୁଥ୍ କରାଯାଉଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ବୁଥ୍ ସଂଖ୍ୟାର ୧୭ ପ୍ରତିଶତ ଉପନିର୍ବାଚନ ଲାଗି ବୃଦ୍ଧି ହୋଇଛି । ପ୍ରତି ବୁଥରେ ହଜାରେ ଜଣ ଭୋଟର ମତଦାନ କରିପାରିବେ ।

ଗତବର୍ଷ ଅଗଷ୍ଟରେ ଜାରି ହୋଇଥିବା କୋଭିଡ୍ ଗାଇଡଲାଇନ୍ ଅନୁସାରେ କାର୍ଯ୍ୟ କରାଯିବ । କୋଭିଡ୍ କଟକଣା ମଧ୍ୟରେ ପିପିଲିରେ ଭୋଟ ଗ୍ରହଣ କରାଯିବ । ମାସ୍କ, ସାମାଜିକ ଦୂରତ୍ୱ, ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହେବ ବୋଲି କହିଛନ୍ତି ସିଇଓ । ସମସ୍ତ ବୁଥରେ ଆବଶ୍ୟକତାର ଦେଢ଼ଗୁଣ ଇଭିଏମ୍ ଓ ଭଭିପାଟ୍ ପ୍ରସ୍ତୁତ କରି ରଖାଯାଇଛି । ପ୍ରଥମ ଟେକ୍ନିକାଲ୍ ଚେକ୍ ସରିଛି ବୋଲି କହିଛନ୍ତି ସିଇଓ ।

ନୋଡାଲ୍ ହେଲଥ ଅଫିସରଙ୍କୁ ନିଯୁକ୍ତି କରାଯିବ । ସେ କୋଭିଡ୍ ଗାଇଡଲାଇନ କିଭଳି ପାଳନ ହେଉଛି ସେ ଅନୁଧ୍ୟାନ କରିବେ । ଗତ ଉପନିର୍ବାଚନ ଭଳି ଚଳିତଥର ପୋଷ୍ଟାଲ ବାଲାଟ ୮୦ରୁ ଅଧିକ ବୟସ୍କ, ଦିବ୍ୟାଙ୍ଗ, କୋଭିଡ୍ ଆକ୍ରାନ୍ତ ଓ କୋଭିଡ୍ ସନ୍ଦିଗ୍ଧଙ୍କ ଲାଗି ବ୍ୟବହାର ହେବ ।

ସେହିଭଳି ପ୍ରାର୍ଥୀ ନାମାଙ୍କନ ବେଳେ ସାଙ୍ଗରେ ୨ ଜଣଙ୍କୁ ଆଣିବେ । ୨ଟି ଗାଡ଼ିରୁ ଅଧିକ ବ୍ୟବହାର କରିବେ ନାହିଁ । ଘରକୁ ଘର ବୁଲି କ୍ୟାମ୍ପେନିଂ ବେଳେ ୫ ଜଣରୁ ଅଧିକ ରହିବେ ନାହିଁ । ମତଦାନ ଦିନ ବୁଥ୍ ସାନିଟାଇଜ୍ କରାଯିବ । ଥର୍ମାଲ ସ୍କାନିଂ ସହ କରୋନା ସନ୍ଦିଗ୍ଧଙ୍କୁ ଟୋକନ୍ ଦିଆଯିବ । ଶେଷ ଘଣ୍ଟାଏ ସେମାନେ ମତଦାନ କରିବେ । ଏଥିପାଇଁ ଅଙ୍ଗନୱାଡ଼ି କର୍ମୀ ଓ ଆଶାକର୍ମୀଙ୍କୁ ଦାୟିତ୍ୱ ଦିଆଯିବ ।

ଉପନିର୍ବାଚନରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ସମ୍ମୁଖଯୋଦ୍ଧା ଭାବେ ବିବେଚିତ କରାଯିବ । ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ କୋଭିଡ୍ ଟିକା ଦିଆଯିବ । ଆସନ୍ତା ଏପ୍ରିଲ୍ ୧୭ ତାରିଖରେ ପିପିଲି ଉପନିର୍ବାଚନ ଲାଗି ଭୋଟ୍ ଗ୍ରହଣ ହେବାକୁ ଥିବାବେଳେ ମେ’ ୨ ତାରିଖରେ ଭୋଟ୍ ଗଣତି ହେବ ।

Leave A Reply

Your email address will not be published.