Latest Odisha News

BREAKING NEWS

ପୂଜା ପେଣ୍ଡାଲରେ ଆଦୌ ବ୍ୟବହାର ହେବନି ପ୍ଲାଷ୍ଟିକ: ମେୟର

ଭୁବନେଶ୍ବର: ଆଜିଠୁ ପୀଠରେ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଯାଇଥିବାବେଳେ, ମଣ୍ଡପ ଗୁଡିକରେ ପୂଜା ପାଇଁ ଜୋରଦାର ଚାଲିଛି ସାଜସଜ୍ଜା । କମିଟି ଅଧ୍ୟକ୍ଷ ମାନେ ନିଜ ମଣ୍ଡପକୁ ଆକର୍ଷଣୀୟ ଓ ମନୋରମ କରିବାକୁ ବିଭିନ୍ନ ପ୍ରକାର ଢଙ୍ଗରେ ସଜାଇ ଚାଲିଛନ୍ତି । ଭୁବନେଶ୍ୱରରେ ଯେପରି ପୂଜା ଅବସରରେ ପେଣ୍ଡାଲଗୁଡିକରେ କୌଣସି ପ୍ରକାରର ପ୍ଲାଷ୍ଟିକ ବ୍ୟବହାର ନହୁଏ ସେନେଇ ଆଜି ବିଏମସି ପକ୍ଷରୁ କଡା ନିର୍ଦ୍ଦେଶ ଜାରି ହୋଇଛି ।

ବିଏମସି ମେୟର ସୁଲୋଚନା ଦାସ କହିଛନ୍ତି ଯେ, ସମସ୍ତ ପୂଜା ପେଣ୍ଡାଲ୍‌ ନିକଟରେ ଡଷ୍ଟବିନ୍ ରହିବ । ପ୍ରତ୍ୟେକ ଦିନ ଅଳିଆ ନେବାକୁ ଦୁଇ ଥର ଗାଡ଼ି ଯିବ । ଜୈବିକ ପଦ୍ଧତିରେ ପୂଜା ପେଣ୍ଡାଲ୍ ହେବ । ସମସ୍ତ ମଣ୍ଡପରେ ସୂଚନା କେନ୍ଦ୍ର ପ୍ରତିଷ୍ଠା କରାଯିବ । ପୂର୍ବ ଥର ଭଳି ଏଥିର ମଧ୍ୟ ସମସ୍ତ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ କରାଯିବ ।

ସେହିପରି ବିସର୍ଜନ ପାଇଁ ୫ଟି ଅସ୍ଥାୟୀ ଜଳାଶୟ ନିର୍ମାଣ କରାଯାଇଛି । ରାଜଧାନୀର ରାଜରାସ୍ତା ବିପର୍ଯ୍ୟସ୍ଥ ହୋଇପଡ଼ିଥିବାବେଳେ, ପୂଜା ପୂର୍ବରୁ ସେଗୁଡ଼ିକର ମରାମତି ସରିବା କଥା ହେଲେ ପ୍ରବଳ ବର୍ଷା ଓ ପାଗ ଖରାପ କାରଣରୁ ତାହା ସମ୍ଭବ ହୋଇପାରିନଥିଲା । ହେଲେ ପାଗରେ ସୁଧାର ଆସିବା ପରେ ବୁଧବାର ଠାରୁ ଏହି କାମ ଦ୍ରୁତଗତିରେ ଚାଲିଛି ବୋଲି ସୂଚନା ଦେଇଛନ୍ତି ମେୟର ।

ପୂଜା ପୂର୍ବରୁ ସବୁ ରାସ୍ତାର ମରାମତି କାମ ସାରିବାକୁ ଚେଷ୍ଟା କରାଯାଉଛି । ପୂର୍ତ୍ତ ବିଭାଗ ଅଧିନରେ ଥିବା ରାସ୍ତା କାମ ସାରିବାକୁ ସେମାନଙ୍କୁ କୁହାଯାଇଛି । ତେଣୁ ସେମାନେ ମଧ୍ୟ କାମ ଜାରି ରଖିଛନ୍ତି ବୋଲି ମେୟର କହିଛନ୍ତି ।

Leave A Reply

Your email address will not be published.